କଟକ: ଭୁବନେଶ୍ବର ବଡ଼ଗଡ଼ କେନାଲ କଲୋନି ଅଞ୍ଚଳର ଡ୍ରେନେଜ ଓ ସ୍ବେରେଜ ବ୍ୟବସ୍ଥା ସଂପର୍କିତ ବୈଷୟିକ ଟିମର ପୂର୍ଣ୍ଣାଙ୍ଗ ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ଏମ.ଏସ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଭୁବନେଶ୍ବର ପୌର ନିଗମ (ବିଏମସି) ପକ୍ଷରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସେପ୍ଟେମ୍ବର ୧୩ରେ ଏକ ବୈଷୟିକ ଟିମ୍ ଗଠନ କରାଯାଇଥିଲା। ଏଥିରେ ବିଏମସି ସିଟି ଇଂଜିନିୟର, ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ, ୱାଟକୋ ସାଧାରଣ ପରିଚାଳକ, ଭୁବନେଶ୍ବର ଆର ଆଣ୍ଡ ବି ସର୍କଲ ମୁଖ୍ୟ କନଷ୍ଟ୍ରକସନ ଇଂଜିନିୟର, ଜଳ ସଂପଦ ବିଭାଗ ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସଦସ୍ୟ ରହିଛନ୍ତି। ସେପ୍ଟେମ୍ବର ୧୫ରେ ବୈଷୟିକ କମିଟି ସଦସ୍ୟମାନେ ବଡ଼ଗଡ଼ କେନାଲ କଲୋନି ଅଞ୍ଚଳ ଯାଇ ସ୍ବେରେଜ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସଂପୃକ୍ତ ଅଞ୍ଚଳରେ ସ୍ବେରେଜ ସଂଯୋଗ ଦୁଇଟି ଲାଇନରେ ବିଛା ଯାଇଛି।
ଏଥିରେ ଗୋଟିଏ ଲାଇନ ଉପର ଅନାବୃତ୍ତ ରହିଛି। ଅଞ୍ଚଳରେ ବ୍ୟକ୍ତିବିଶେଷଙ୍କ ଘରକୁ ସ୍ବେରେଜ ସଂଯୋଗ କାର୍ଯ୍ୟ ଆଂଶିକ ଶେଷ ହୋଇଛି। ଦୟା ବର୍ଜ୍ୟ କେନାଲ ବନ୍ଧ ସଂପ୍ରସାରଣ ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି। ଏଥି ସହିତ କେନାଲ ବନ୍ଧ ପାର୍ଶ୍ବ ମୁଖ୍ୟ ଡ୍ରେନ ନିର୍ମାଣ ଆର ଆଣ୍ଡ ବି ଦ୍ବାରା କରିବା ପାଇଁ ପ୍ରସ୍ତାବ ରହିଛି। ଜଳସେଚନ ବିଭାଗ କେନାଲରେ ଜଳ ପ୍ରବାହର ଯତ୍ନ ନେବ। ଆର ଆଣ୍ଡ ବି ଓ ଜଳସେଚନ ବିଭାଗ କାର୍ଯ୍ୟ ସଂପୂର୍ଣ୍ଣ କରିବା ପରେ ବିଏମସି ଆଭ୍ୟନ୍ତରୀଣ ଡ୍ରେନ୍ କାର୍ଯ୍ୟ ଆରମ୍ଭ କରିବ। ତେଣୁ ମୁଖ୍ୟ ଡ୍ରେନ୍ କାର୍ଯ୍ୟ ଆର ଆଣ୍ଡ ବି କରିବା ପରେ ବିଏମସି ପକ୍ଷରୁ ଆଭ୍ୟନ୍ତରୀଣ ଡ୍ରେନ୍ ଲାଇନ ସଂଯୋଗ କାର୍ଯ୍ୟ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ସବୁ ବିଭାଗ ମଧ୍ୟରେ ସମନ୍ବୟ ଆବଶ୍ୟକ, ଏଥି ପାଇଁ କିଛି ସମୟ ଲୋଡା। ଏହି ମୁଖ୍ୟ ଡ୍ରେନ୍, ଆଭ୍ୟନ୍ତରୀଣ ସଂଯୋଗ ଲାଇନ ଇତ୍ୟାଦି କାର୍ଯ୍ୟ ଶେଷ ହେବା ପରେ ଅଞ୍ଚଳରେ ଆଉ ଜଳବନ୍ଦୀ ସମସ୍ୟା ରହିବ ନାହିଁ। ସେ ପର୍ଯ୍ୟନ୍ତ ଜଳ ନିଷ୍କାସନ ପାଇଁ ବିଏମସି ପକ୍ଷରୁ ଆବଶ୍ୟକ ସ୍ଥିତିରେ ପମ୍ପ ବ୍ୟବହାର କରାଯାଉଛି। ଏଭଳି ସ୍ଥିତିରେ ବୈଷୟିକ କମିଟିର ସବିଶେଷ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଲୋଡା ବୋଲି ବିଏମସି ଅଧୀକ୍ଷଣ ଯନ୍ତ୍ରୀ (ଡ୍ରେନେଜ)ଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ସତ୍ୟପାଠରେ ଥିବା ତଥ୍ୟକୁ ବିଚାରକୁ ନେଇ ନଭେମ୍ବର ୭ ସୁଦ୍ଧା ବୈଷୟିକ କମିଟି ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ବରଗଡ଼ କେନାଲ କଲୋନି ଅଞ୍ଚଳର ଡ୍ରେନେଜ ଓ ସ୍ବେରୋଜ ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ। ବିଏମସି ଏକ ବୈଷୟିକ ଟିମ ଗଠନ କରିବ। ଏହି ଅଞ୍ଚଳକୁ ଯାଇ ବୈଷୟିକ ଟିମ୍ ନିର୍ମାଣ କରାଯାଇଥିବା ଡ୍ରେନେଜ ଓ ସ୍ବେରେଜ ବ୍ୟବସ୍ଥା ବର୍ଷାଜଳ ପରିଚାଳନା ପାଇଁ ପର୍ଯ୍ୟାପ୍ତ କି ନୁହେଁ ଅନୁଧ୍ୟାନ କରିବ। ଏହି ଡ୍ରେନେଜ ଓ ସ୍ବେରେଜ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ଓ ସ୍ଥାନୀୟ ବାସିନ୍ଦାଙ୍କ ଏହି ପ୍ରସଂଗରେ ଆଉ କିଛି ସମସ୍ୟା ରହିଛି କି ନାହିଁ ସେ ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ ବୋଲି ହାଇକୋର୍ଟ ଅଗଷ୍ଟ ୧୧ରେ କହିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ବଡଗଡ଼ କଲୋନି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା, ସ୍ବେରେଜ ଓ ଡ୍ରେନେଜ ପ୍ରସଂଗକୁ ନେଇ ୨୦୧୬ରେ ସ୍ଥାନୀୟ ବାସିନ୍ଦା ପୁରୁଷୋତ୍ତମ ବଳ ଓ ଅନ୍ୟମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନିଧି ମହାନ୍ତି, ଅସିତ କୁମାର ଜେନା ଓ ତ୍ରୈଲୋକ୍ୟନାଥ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।