ପ୍ରକଳ୍ପ କହୁଛି ଏମିତି ଦିଶିବ ”ବରାହ ଦ୍ୱୀପ”

ଯାଜପୁରସଦର : ଯାଜପୁର ସହରରେ ପର୍ଯ୍ୟଟନର ବିକାଶ ପାଇଁ ଶହଶହ କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ବରାହ ଦ୍ବୀପରେ ଅନେକ ପ୍ରକଳ୍ପ କରାଯିବା ସହ ବିରଜା ମନ୍ଦିର ନିକଟରେ ମଧ୍ୟ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାନ୍ଥନିବାସର ବ୍ୟବସ୍ଥା କରାଯାଇଛି। କୋଟିକୋଟି ଟଙ୍କା ଅନୁଦାନର କାର୍ଯ୍ୟକାରିତା ଏବେ ଫଳଶୂନ୍ୟ ଦେଖା ଯାଉଛି। କେଉଁଠାରେ ପ୍ରକଳ୍ପ ନିର୍ମାଣ ସରି ନଷ୍ଟ ହେବାକୁ ବସିଲାଣି ତ କେଉଁଠି ଅସାମାଜିକ ଲୋକଙ୍କ କବ୍‌ଜାରେ ପର୍ଯ୍ୟଟନ ପ୍ରକଳ୍ପ।

ଯାଜପୁର ସହର ଉପକଣ୍ଠ ବୈତରଣୀ ନଦୀ ମଝିରେ ଥିବା ବରାହ ଦ୍ବୀପର ରୂପ ବଦଳିବାକୁ ଯାଉଛି। ପାଖାପାଖି ୧୦ଟି ଭିନ୍ନଭିନ୍ନ ପ୍ରକଳ୍ପ ଜରିଆରେ ବରାହ ଦ୍ବୀପ ସୌନ୍ଦର୍ଯ୍ୟୀକରଣ କରାଯିବାକୁ ଯୋଜନା ରହିଛି। ଲୋକମାନଙ୍କ ଅଗୋଚରରେ ଦୀର୍ଘ ବର୍ଷ ଧରି ଚାଲୁଥିବା ଏହି ପ୍ରକଳ୍ପଗୁଡ଼ିକର ନାମ କ’ଣ , କେଉଁଠି କେଉଁ ପ୍ରକଳ୍ପ ହେବ, ତାହାକୁ ନେଇ ଅନ୍ଧାରରେ ସହରବାସୀ। ଏପରିକି ଅନେକ ଗୁପ୍ତ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ମାଧ୍ୟମରେ କୋଟି କୋଟି ଟଙ୍କା ବାଟମାରଣା ହେଉଥିବା ଜଣାପଡ଼ିଛି। ପ୍ରାଥମିକ ଭାବେ ଏହି କାର୍ଯ୍ୟରେ ଭ୍ରମାତ୍ମକ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ଏନେଇ ଏଜି ଅଡିଟ ସ୍ପଷ୍ଟୀକରଣ ମାଗିଛନ୍ତି। ଏଠାରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର କୌଣସ ଫଳକ ନଥିବା ବେଳେ କେଉଁ କାର୍ଯ୍ୟ ପାଇଁ କେତେ ଟଙ୍କା ବ୍ୟୟ ଅଟକଳ ତାହା ମଧ୍ୟ ଗୋପନ ରଖାଯାଇଛି।

ଏହା ଭିତରେ ୧୧୦ ଫୁଟର ଶିବ ମୂର୍ତ୍ତି ସହ ଗ୍ୟାଲେରି, ନନ୍ଦି ଓ ନନ୍ଦୀ ବେସ୍, ବରାହ ପୋଖରୀ, ବରାହ ଦ୍ବୀପର ଘାଟ, ‌ଐତିହ୍ୟ ପାର୍କ, ସଂଗ୍ରହାଳୟ, ହସ୍ତତନ୍ତ ବଜାରର ଆଲୋକୀକରଣ ପାଇଁ ପାଖାପାଖି ୫୦ କୋଟି ଟଙ୍କାର ପ୍ରାରମ୍ଭିକ ଅଟକଳ କରାଯାଇଥିଲା। ପରବର୍ତ୍ତୀ ସମୟରେ ବର୍ଷ ବଢ଼ିବା ସହ ଅଟକଳ ମୂଲ୍ୟ ମଧ୍ୟ ଦୁଇଗୁଣିତ ହେଉଛି। ଏବେ ସେଠାରେ କେ‌ତେକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ପରିତ୍ୟକ୍ତ ଓ ଭଗ୍ନ ଅବସ୍ଥାରେ ଅସାମାଜିକ ଲୋକଙ୍କ ଆଡ଼ାସ୍ଥଳୀ ପାଲଟିଛି। ସଞ୍ଜ ନଇଁଲେ ବିଭିନ୍ନ ଅସାମାଜିକ କାର୍ଯ୍ୟର ଆଡ୍ଡାସ୍ଥଳୀ ପାଲଟୁଛି ଏହି ସ୍ବପ୍ନର ପ୍ରକଳ୍ପ। ଏହାକୁ ବାସ୍ତବ ରୂପ ଦେବାକୁ ପର୍ଯ୍ୟଟନ ବିଭାଗକୁ ଆଉ କେତେ ଦିନ ସମୟ ଲାଗିବ ନା ଖାଲି ଭୂତ କୋଠି ହୋଇ ସ୍ବପ୍ନର ପ୍ରକଳ୍ପ ଯାଜପୁରବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର