ଓଡ଼ିଶା ସୀମାରେ ଛତିଶଗଡ଼ ପୁଲିସର ଦାଦାଗିରି : ଛତିଶଗଡ଼ୀଙ୍କୁ ଛାଡ଼ି ଓଡ଼ିଆଙ୍କୁ ମାଡ଼

ସୋହେଲା : ସୋହେଲା-ବରମକେଲା(ଛତିଶଗଡ଼) ରାସ୍ତାରେ ଉଭୟ ରାଜ୍ୟ ସୀମାନ୍ତରେ କରୋନା ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଛତିଶଗଡ଼ ଡୋଙ୍ଗରିପାଲି ପୁଲିସ ଓଡ଼ିଶା ସୀମାକୁ ସିଲ କରିଛି । କିନ୍ତୁ ଛତିଶଗଡ଼ ପୁଲିସ ନିଜ ରାଜ୍ୟ ଛାଡ଼ି ଓଡ଼ିଶା ପଟକୁ ମାଡ଼ି ଆସି ଦାଦାଗିରି ଦେଖାଉଛି। ସୀମା ସିଲ୍‌ ଆଳରେ ସେଠାକାର ପୁଲିସ୍‌ ଓଡ଼ିଶାର ଗ୍ରିଂଜାଲ ଛକରୁ କଂଶଟିକିରାକୁ ଯାଇଥିବା ରାସ୍ତାକୁ ଜବରଦଖଲ କରିଛି। ରାସ୍ତା ଉପରେ ଛତିଶଗଡ଼ ପୁଲିସର ଏକ ବ୍ୟାରିଅର ରଖି ଗଛକାଟି ରାସ୍ତାକୁ ଅବରୋଧ କରିଛି। ଅର୍ଥାତ ଏହି ରାସ୍ତା ଏକପ୍ରକାର ଛତିଶଗଡ଼ ପୁଲିସ୍‌ କବଜାରେ ରହିଛି। ଫଳରେ କଂଶ ଟିକିରାରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କୁ ଛତିଶଗଡ଼ ପୁଲିସ ଅକାରଣ‌ରେ ବନ୍ଧକ ରଖିଛି। ଫଳରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଘରୁ ବାହାରି ପାରୁନାହାନ୍ତି।

ଶନିବାର ସୋହେଲା ସାପ୍ତାହିକ ବଜାର ଥିବାରୁ ସ୍ଥାନୀୟ ଲୋକେ ପରିବା କିଣିବା ପାଇଁ ଆସୁଥିବା ବେଳେ ଛତିଶଗଡ଼ ପୁଲିସ ସେମାନଙ୍କୁ ଅଟକାଇଥିଲା। ପୁଲିସ ସେମାନଙ୍କୁ ଓଡ଼ିଶା ସୀମାରେ ବେଆଇନ ଭାବେ ପ୍ରବେଶ କରି ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବରକାଗଜକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାଭୁକ୍ତ କରାଯାଇଛି। ଖବରକାଗଜ ବିତରଣ ଏବଂ ବିକ୍ରୟ କରିବାକୁ ଅନୁମତି ସହିତ ହକରମାନଙ୍କୁ ବିନା ବାଧାରେ ଖବରକାଗଜ ବାଣ୍ଟିବା ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ ହୋଇଛି। କିନ୍ତୁ ଜନୈକ ହକରକୁ ମଧ୍ୟ ଛତିଶଗଡ଼ ପୁଲିସ ଦୁର୍ବ୍ୟବହାର କରି ଅଟକ ରଖିଥିଲା। ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ସମ୍ବାଦ ପ୍ରତିନିଧିଙ୍କୁ ମଧ୍ୟ ଛତିଶଗଡ଼ ପୁଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିଛି। ପୂର୍ବରୁ ଛତିଶଗଡ଼ ସରକାର ଓଡ଼ିଶା ସୀମାକୁ ଜବରଦଖଲ କରି ସ୍ୱାଗତ ତୋରଣ ନିର୍ମାଣ କରୁଥିଲେ। ଏହାକୁ ଓଡ଼ିଶାର ଲୋକେ ବିରୋଧ କରିବା ସହିତ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଓଡ଼ିଶା ସୀମାକୁ ଜବରଦଖଲ କରି ନିର୍ମାଣ ସମଗ୍ରୀକୁ ଜବତ କରିଥିଲେ। ଏହାବ୍ୟତୀତ ଛତିଶଗଡ଼ ପୁଲିସ ଓ ପ୍ରଶାସନ ବାରମ୍ବାର ଓଡ଼ିଶା ସୀମାରେ ମନମାନି କରୁଥିବାରୁ ସୀମାନ୍ତରେ ବସବାସ କରୁଥିବା ଓଡ଼ିଶାବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ସମ୍ବନ୍ଧିତ ଖବର