ନୂଆ ରୂପ ପାଇବ ବରମୁଣ୍ଡା ବସଷ୍ଟାଣ୍ଡ୍, ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି

ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନିକୁ ମିଳିଲା ଟେଣ୍ଡର, ୨୪ ମାସରେ କାମ ସମ୍ପୂର୍ଣ୍ଣ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି, ଖଣ୍ଡଗିରିକୁ ସ୍ଥାନାନ୍ତର ହେବ ଓଏସଆରଟିସି ଡିପୋ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ସହିତ ଦେଶର ଅନ୍ୟ ବ୍ୟାବସାୟିକ କେନ୍ଦ୍ର ସ୍ଥଳୀଗୁଡ଼ିକର ସଂଯୋଗ ପାଇଁ ଭୁବନେଶ୍ବର ବରମୁଣ୍ଡା ବସ ଷ୍ଟାଣ୍ଡକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ପରିଣତ କରାଯିବ। ଏହାସହିତ ବରମୁଣ୍ଡାରେ ଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ ଡିପୋ ସ୍ଥାନାନ୍ତର କରି ଖଣ୍ଡିଗିରିଠାରେ ଏକ ନୂତନ ବସ ଡିପୋ କରିବା ପାଇଁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ ଏହି ବସ୍ ଟର୍ମିନାଲ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ୬୬ ଲକ୍ଷ ୫୪ ହଜାର ଟଙ୍କା। ଭାରତ ସରକାରଙ୍କ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ଲିମିଟେଡ ଏହି କାର୍ଯ୍ୟ କରିବ। ଆସନ୍ତା ୨୪ ମାସ ଭିତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ସମସ୍ତ ଅତ୍ୟାଧୁନିକ ସୁବିଧା ପ୍ରଦାନ କରାଯିବ। ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ, ଟେଣ୍ଡର ପାଇଥିବା ଏଲ-୧ ବିଡର ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ଆଗାମୀ ୫ ବର୍ଷ ପାଇଁ ସମ୍ପୃକ୍ତ ସଂସ୍ଥା ବସ ଟର୍ମିନାଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବ। ନିଷ୍ପତ୍ତି ମୁତାବକ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲକୁ ବସ ଟର୍ମିନାଲ ଓ ବ୍ୟାସାୟିକ ପ୍ରତିଷ୍ଠାନ ପାଇଁ ବିକାଶ କରାଯିବ। ୧ ଲକ୍ଷ ୩୧ ହଜାର ୭୧୩ ବର୍ଗ ଫୁଟ ଅଞ୍ଚଳରେ ବସ୍ ଟର୍ମିନାଲ ନିର୍ମାଣ ହେବାକୁ ଥିବାବେଳେ ୧ ଲକ୍ଷ ୭ ହଜାର ୯୧୨ ବର୍ଗ ଫୁଟ ଅଞ୍ଚଳକୁ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ବିନିଯୋଗ କରାଯିବ। ଟର୍ମିନାଲରେ ୩୫ଟି ବସ ରହିବା ପାଇଁ ବସ-ବେ କରାଯିବ। ୧୯୦ଟି ବସ୍ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ଜନସାଧାରଣଙ୍କ ସୁବିଧା ପାଇଁ ବସ ଷ୍ଟାଣ୍ଡରେ ୨୫୦ରୁ ଅଧିକ ଚାରିଚକିଆ ଯାନ ଓ ୧୭୫ଟି ଦୁଇ ଚକିଆ ଯାନର ପାର୍କିଂ କରିବା ଭଳି ସୁବିଧା କରିବାକୁ ସ୍ଥିର କରାଯାଇଛି। ଏହାସହିତ ବସ ଟର୍ମିନାଲରେ ଵାଇଫାଇ ଇଣ୍ଟରନେଟ୍ ସୁବିଧା, ସ୍ମାର୍ଟ ଅଗ୍ନିଶମ ନିବାରଣ ବ୍ୟବସ୍ଥା, ଏଲିଭେଟର, ଏସ୍କାଲେଟର ଓ ସିସିଟିଭି ଲଗାଯିବ। ଏଥିପାଇଁ ଓଡ଼ିଶା ସଡ଼କ ପରିବହନ ନିଗମର ବସ ଡିପୋ ପାଇଁ ଥିବା ୧୭ ଏକର ପରିମିତ ଜମିକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ନିର୍ମାଣ ପାଇଁ ବ୍ୟବହାର କରାଯିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ଯେ ବରମୁଣ୍ଡା ବସ ଷ୍ଟାଣ୍ଡକୁ ମଲ୍ଟି ମୋଡାଲ ହାଇଟେକ୍ ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡରେ ପରିଣତ କରିବା ପ୍ରସ୍ତାବକୁ ଗତବର୍ଷ ଜାନୁଆରିରେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ।

ସମ୍ବନ୍ଧିତ ଖବର