ବାଲେଶ୍ବର/ବାସୁଦେବପୁର : ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଥିବା କେଳେଙ୍କାରୀର ଗୁମର ଏବେ ଫିଟିବା ଆରମ୍ଭ ହୋଇଯାଇଛି। ପ୍ରଥମେ ବ୍ୟାଙ୍କର ବିଭିନ୍ନ ଶାଖାରେ ବେଆଇନ୍‌ ନିଯୁକ୍ତି ପାଇଥିବା ୩୬ ଜଣ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କାର ହୋଇଥିବାବେଳେ ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ଡୁଆ ସେବା ସମବାୟ ସମିତି ସଭାପତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

Advertisment

ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ତୁଆ ସେବା ସମିତିର ସଭାପତି ତଥା ବରଣ୍ଡୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ନଗେନ୍ଦ୍ର ବିଶ୍ବାଳ ଓ ବର୍ତ୍ତମାନର ସରପଞ୍ଚ ତାଙ୍କ ପତ୍ନୀ ବସନ୍ତ ମଂଜରୀ ବିଶ୍ବାଳଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଭିଜିଲାନ୍ସ ଟିମ୍‌ ଏକକାଳୀନ ୧୦ଟି ସ୍ଥାନରେ ଛାନ୍‌ଭିନ ଜାରି ରଖିଥିବା ଜଣାପଡ଼ିଛି। ତେବେ ଚଢ଼ଉ ବେଳେ ଭିଜିଲାନ୍ସ ହାତରେ ବହୁ କାଗଜପତ୍ର, ନଗଦ ଟଙ୍କା, ଅଳଙ୍କାର, ବ୍ୟାଙ୍କ ପାସବୁକ ଆଦି ପଡ଼ିଥିବା ବେଳେ ତାର ସଠିକ ଆକଳନ ଏଯାଏ ଜଣାପଡ଼ିନାହିଁ। ଭିଜିଲାନ୍ସର ଏହି ଚଢ଼ଉ ଆଜି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି।