ନନ୍ଦନକାନନରେ ସପ୍ତମ ହସ୍ତୀ ଦିବସ ପାଳିତ

ବାରଙ୍ଗ: ରବିବାର ସକାଳେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଠାରେ ସପ୍ତମ ହସ୍ତୀ ଦିବସ ପାଳିତ ହୋଇଯାଇଛି।

ଏ ବର୍ଷ ହସ୍ତୀ ଦିବସର ପ୍ରମୁଖ ଆକର୍ଷଣ ଥିଲା ଦେଢ଼ ବର୍ଷର ହାତୀ ଶାବକ ‘ମାମା’। ସକାଳ ସାଢ଼େ ଆଠଟା ବେଳେ ନନ୍ଦନକାନନର ନିର୍ଦେଶକ ହରିଶଙ୍କର ଉପାଧ୍ୟାୟ ‘ମାମା’କୁ ଫଳ ଖୁଆଇ ହସ୍ତୀ ଦିବସର ଶୁଭାରମ୍ଭ କରିଥିଲେ। ଏଥର ହସ୍ତୀ ଦିବସରେ ଭାଗ ନେଇଥିବା ସମସ୍ତ ହାତୀଙ୍କୁ କଦଳୀ, ସେଓ, ଆଖୁ, ନଡ଼ିଆ ଓ ମକ୍କା ଆଦି ଖାଇବାକୁ ଦିଆ ଯାଇଥିଲା।

‘ମାମା’ ସମେତ ଏଥର ହସ୍ତୀ ଦିବସ ପାଳନରେ ଭାଗ ନେଇ ନେଇଥିଲେ ସମୁଦାୟ ୩ଟି ହାତୀ। ଅନ୍ୟ ଦୁହେଁ ହେଲେ ‘ପ୍ରେମା’ ଓ ‘ବାସନ୍ତୀ’। ‘ଈରା’, ସଉରୀ ଓ କମଳା ନାମକ ଅନ୍ୟ ୩ଟି ହାତୀଙ୍କ ମିଜାଜ୍‌ ଭଲ ନ ଥିବାରୁ ସେମାନଙ୍କୁ ହସ୍ତୀ ଦିବସରେ ସାମିଲ କରାଯାଇ ନାହିଁ ବୋଲି କୁହାଯାଉଛି।

ଏ ବର୍ଷ ପ୍ରଥମ ଥର ପାଇଁ ହସ୍ତୀ ଦିବସରେ ଭାଗ ନେଇଥିବା ହାତୀମାନଙ୍କୁ ବେଶ କରାଯାଇ ନାହିଁ। ହାତୀମାନେ ସିଦାସାଦା ଜନ୍ତୁ ଓ ସେମାନେ ସଜ ହେବାକୁ ସୁଖମଣନ୍ତି ନାହିଁ ବୋଲି ପ୍ରକୃତିପ୍ରେମୀମାନେ ଅଭିଯୋଗ କରିଥିଲେ।

ପୂର୍ବାହ୍ନ ୧୦ଟାରେ ଶେଷ ହୋଇଥିବା ଆଜିର ହସ୍ତୀ ଦିବସ ପାଳନ ଅବସରରେ ନନ୍ଦନକାନନ ପରିସରରେ ହାତୀ ସୁରକ୍ଷା ସମ୍ବନ୍ଧରେ କୁଇଜ୍‌ ଓ ସଚେତନତା ଉପରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସ୍କୁଲ୍‌ପିଲା, ପ୍ରାଣୀ ଉଦ୍ୟାନର କର୍ମଚାରୀ ଓ ପର୍ଯ୍ୟଟକ ବସିଥିଲେ। ସ୍ଥାନୀୟ ଅଞ୍ଚଳର ହାଇସ୍କୁଲ୍‌ମାନଙ୍କରୁ ୫୦ ସରିକି ଛାତ୍ରଛାତ୍ରୀ କୁଇଜ୍‌ରେ ଭାଗ ନେଇଥିଲେ। ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଆଜି ଚନ୍ଦକା ଅଭୟାରଣ୍ୟରେ ମଧ୍ୟ ହସ୍ତୀ ଦିବସ ପାଳନ କରାଯାଇଛି। ସେଠାରେ ନନ୍ଦ ଓ ଯଶୋଦାଙ୍କୁ ଫଳ ଖୁଆଯାଇ ଦିବସର ଶୁଭାରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର