ଭୁବନେଶ୍ବର : ବରପୁତ୍ରମାନଙ୍କର ଗାଁକୁ ଆଦର୍ଶ ଗାଁରେ ପରିଣତ କରାଯିବ। ସେସବୁ ଗାଁର ବିକାଶ ହେବ। ସେମାନେ ପାଠ୍ୟପୁସ୍ତକରେ ସ୍ଥାନ ପାଇବେ। ବିଜେଡି ଏ ସଂକ୍ରାନ୍ତରେ ଯେଉଁ ନିଷ୍ପତ୍ତି ନେଇଥିଲା, ତାହାର କାର୍ଯ୍ୟାନ୍ବୟନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି।
ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷି ମନ୍ତ୍ରୀ ଅରୁଣ ସାହୁ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୋଟିଏ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଏକାଠି ହୋଇ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଲୋକସେବା ଭବନର ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତି ପାଳନ ସଂପର୍କରେ ବି ଆଲୋଚନା ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟ ସଂସ୍କୃତି ବିଭାଗ ଏବଂ ସାହିତ୍ୟ ଏକାଡ଼େମି ଗୋଟିଏ ତଥ୍ୟ ରଖିଛନ୍ତି। ପାଖାପାଖି ୧୪୦୦ ବରପୁତ୍ରଙ୍କର ଏକ ତାଲିକା କରାଯାଇଛି, ଯେଉଁମାନଙ୍କର ଗ୍ରାମର ବିକାଶ ହେବ। ସେସବୁକୁ ଆଦର୍ଶ ଗାଁ ପାଇଁ ବିଭିନ୍ନ ବିଭାଗ କାର୍ଯ୍ୟକ୍ରମ ହାତକୁ ନେବେ। କେଉଁ ବରପୁତ୍ରଙ୍କ ବିଷୟରେ କେଉଁ ଶ୍ରେଣୀରେ ପଢାଯିବ ସେ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଆସନ୍ତା ୮ ତାରିଖ ଦିନ ପରବର୍ତ୍ତୀ ବୈଠକ ବସିବ। ଏହିଦିନ ଅନ୍ୟ ବିଭାଗ ସହିତ ଯୋଗାଯୋଗ କରି ଠୋସ୍ ତଥ୍ୟ ସହିତ ଆସିବା ଲାଗି ସଂସ୍କୃତି ବିଭାଗକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Statue_of_Fakir_Mohan_Senapati.jpg)