କଟକ: କଟକ ସହରରେ ଯୁବଛାତ୍ର ବିଜେଡି ରହିଲେ କାହା ତଣ୍ଟିରେ କଣ୍ଟା ଲାଗୁଛି? ଯୁବଛାତ୍ର ନେତାଙ୍କୁ ବିନା କାରଣରେ ଦଳରୁ ବହିଷ୍କାର କରିବାକୁ କେଉଁମାନେ ଦଳ ସଭାପତିଙ୍କ ନିକଟରେ ଫେରାଦ ହୋଇଥିଲେ? ଯେଉଁମାନେ ଏପରି କାମ କରୁଛନ୍ତି, ସେମାନେ ଯୁବଛାତ୍ର ବିଜେଡିକୁ କଟକରେ ଦୁର୍ବଳ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏପରି ବ୍ୟକ୍ତିମାନେ ଦଳ ମଧ୍ୟରେ ବିଭୀଷଣର କାମ କରୁଛନ୍ତି। ଏମାନେ ଢୋଲ ଭିତରେ ମୂଷା ସାଜିଛନ୍ତି ବୋଲି ଛାତ୍ର ବିଜେଡି ପକ୍ଷରୁ ଆଜି ଅଭିଯୋଗ କରାଯିବା ପରେ ଗତ ସପ୍ତାହେ ହେଲା ବିଜେଡି ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳରେ ପୁଣି ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଛି।

Advertisment

ସୂଚନାଯୋଗ୍ୟ, ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତା‌ରେ ଗତ ୨୨ ତାରିଖରେ ଯୁବଛାତ୍ର ବିଜେଡିର ନେତା ଓ କର୍ମୀଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ୱାର୍ଡରେ ଦଳର ସ୍ଥିତିରୁ ଆରମ୍ଭ କରି ବିଧାୟକ ପ୍ରାର୍ଥୀ ଚୟନ, ଆସନ୍ତା ଛାତ୍ର ନିର୍ବାଚନ ଇତ୍ୟାଦି ବିଷୟକୁ ନେଇ ଯୁବଛାତ୍ର ନେତାମାନେ ମତାମତ ରଖିଥିଲେ। ତେବେ, ଏହାକୁ କେତେଜଣ କର୍ପୋରେଟର୍‌ ବିରୋଧ କରିବା ସହ ଏଭଳି ବୈଠକ କରାଯିବା ଦଳୀୟ ସମ୍ବିଧାନ ପରିପନ୍ଥୀ ବୋଲି କହିଥିଲେ। ହେଲେ, ଯୁବଛାତ୍ର ବିଜେଡି ଏହି ଅଭିଯୋଗକୁ ସ୍ବୀକାର କରିନି।ଏହା ବିଜେଡିର ସମୀକ୍ଷା ବୈଠକ ହୋଇ ନଥିବାରୁ ବୈଠକକୁ ଜିଲ୍ଲା ସଭାପତି, ନଗର ସଭାପତି କିମ୍ବା ପରାଜିତ ପ୍ରାର୍ଥୀଙ୍କୁ ଡାକିବାର କୌଣସି ଆବଶ୍ୟକତା ନଥିଲା। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ବିଧାୟକ ସହ ଛାତ୍ର ବିଜେଡିର ରାଜ୍ୟ ସଭାପତି। ଯୁବ ଓ ଛାତ୍ର ସଙ୍ଗଠନର ନେତା ଓ କର୍ମୀଙ୍କୁ ନେଇ ସଭା ଆୟୋଜନ କରିବାରେ ତାଙ୍କର ଅଧିକାର ରହିଛି। ଏହାକୁ କିଛି କର୍ପୋରେଟର୍‌ ବିରୋଧ କରିବା ହାସ୍ୟାସ୍ପଦ ବୋଲି ଯୁବଛାତ୍ର ବିଜେଡି ତରଫରୁ କୁହାଯାଇଛି।

‘ଯୁବଛାତ୍ର ବିଜେଡିକୁ କଟକରେ ଦୁର୍ବଳ କରିବାକୁ ପ୍ରୟାସ ଚାଲିଛି’

ଏତିକିରେ ବି ଯୁବଛାତ୍ର ସଙ୍ଗଠନ ଚୁପ୍‌ ବସିନି। କର୍ପୋରେଟର୍‌ମାନଙ୍କ ପାରିବା ପଣିଆ ନେଇ ଯୁବଛାତ୍ର ନେତାମାନେ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ରେ ପୌର ନିଗମ ନିର୍ବାଚନରେ ବାରବାଟୀ-କଟକର ୩୨ଟି ୱାର୍ଡରୁ ବିଜେଡି ୨୭ଟି ୱାର୍ଡରେ ବିପୁଳ ଭୋଟ୍‌ ପାଇ ବିଜୟୀ ହୋଇଥିଲା। ମାତ୍ର ୨ବର୍ଷ ମଧ୍ୟରେ ଏପରି କ’ଣ ହେଲା‌ ଯେ ଦଳ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଲା। ଏହାର ଉତ୍ତର କର୍ପୋରେଟର ମାନେ ରଖିବେ କି ବୋଲି ଯୁବଛାତ୍ରର ବହୁ ନେତା ପ୍ରଶ୍ନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବାରବାଟୀ ବିଧାୟକ ପ୍ରାର୍ଥୀ ଚୟନକୁ ବିରୋଧ କରି କିଛି କର୍ପୋରେଟର୍‌ ଦଳ ସଭାପତିଙ୍କ ନିକଟକୁ ଯାଇଥିଲେ। ସେତେବେଳେ ସେମାନେ ଜିଲ୍ଲା ସଭାପତି କିମ୍ବା ନଗର ସଭାପତିଙ୍କୁ ଜଣାଇଥିଲେ କି ‌ବୋଲି ଯୁବଛାତ୍ର ନେତାମାନେ ପ୍ରଶ୍ନ କରିଛନ୍ତି। ୨୦୨୨ ପୌର ନିର୍ବାଚନରେ ୱାର୍ଡ ନମ୍ବର ୯ ଓ ୨୬ରେ ଛାତ୍ର ବିଜେଡିର ନେତାଙ୍କୁ ଦଳୀୟ ଟିକଟ ଦେବାକୁ ନେଇ ବିଜେଡିର ବହୁ କର୍ପୋରେଟର୍‌ ବିରୋଧ କରିଥିଲେ। ଏପରିକି ଦଳ ଛାଡି ସେମାନେ ସ୍ବାଧୀନ ଭାବେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଲଢିଥିଲେ। ଗତ ସାଧାରଣ ନିର୍ବାଚନରେ ବାରବାଟୀ-କଟକର ୩୨ଟି ୱାର୍ଡରେ ଯୁବଛାତ୍ର ବିଜେଡି ନିଜ କର୍ମୀମାନଙ୍କ ସାହାଯ୍ୟରେ ଦଳକୁ ମଜଭୁତ୍‌ କରିବା ପାଇଁ ଦିନରାତି ଏକ କରିଥିବା ବେଳେ, ସେତେବେଳେ ବହୁ କର୍ପୋରେଟର୍‌ଙ୍କ ଦେଖା ମିଳି ନଥିଲା ବୋଲି ସେମାନେ କହିଛନ୍ତି। ଯୁବଛାତ୍ରଙ୍କ ଏଭଳି ଅଭିଯୋଗ ବିଜେଡି ଭିତରର କନ୍ଦଳକୁ ଅଧିକ ବଢ଼ାଇବାରେ ଖୋରାକ୍‌ ଯୋଗାଇଛି।

ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସ୍‌ରେ ବିଜୁଛାତ୍ର ବିଜେଡି ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏଭଳି ଅଗିଯୋଗ କରାଯାଇଛି। ସମ୍ମିଳନୀରେ ଯୁବ ନଗର ସଭାପତି ସୌମ୍ୟଦୀପ ଘୋଷ, ରାଜ୍ୟ ସାଧାରଣ ସମ୍ପାଦକ ଜଗତଜ୍ୟୋତି ପଟ୍ଟନାୟକ, ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ଅମରେଶ ରାଜ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ରାୟ, ଛାତ୍ର ବିଜେଡି ଜିଲ୍ଲା ସଭାପତି ଆସିଫ୍‌ ଅମିନ୍‌, ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାପାତ୍ର, ଅବିନାଶ ମହାନ୍ତି, ସମ୍ପାଦକ ସୁମନ ବେହେରା, ଈଶ୍ୱର ମହାରଣା, ସୁଜାତା ବେହେରା, ରୋଜି ସେଠୀ, ନଗର ସଭାପତି ସଞ୍ଜୟ ପଟ୍ଟନାୟକ, ସୟଦ୍ ଜଲିଲ୍‌, ଜ୍ୟୋତିରଞ୍ଜନ ମହାନ୍ତି, ଶୁଶୃତ ମହାନ୍ତି, ହୁସେନ ଅବ୍ରାର୍‌, ରାକେଶ ସ୍ୱାଇଁ, ସୌମ୍ୟରଞ୍ଜନ ଓଝାଙ୍କ ସମେତ ବାରବାଟୀ-କଟକ ନିର୍ବାଚନମଣ୍ଡଳୀର ୩୨ଟି ୱାର୍ଡର ଯୁବ ଓ ଛାତ୍ର ସଭାପତି ପ୍ରମୁଖ ଯୋଗ ଦେଇଥିଲେ।