କଟକ: ବାରବାଟୀ-କଟକ ନିର୍ବାଚନୀ ମାମଲାରେ ଯୁକ୍ତି ଉପସ୍ଥାପନ ପାଇଁ ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଛି। ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ଶ୍ରୀ ମୋକିମଙ୍କୁ ୧୦ ହଜାର ଟଙ୍କା ଓଡ଼ିଶା ହାଇକୋର୍ଟ ଆଡଭୋକେଟସ୍ ୱେଲଫେୟାର ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ସେଦିନ ଶ୍ରୀ ମୋକିମଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ସାକ୍ଷ୍ୟ ଗ୍ରହଣ ସମୟରେ ଦାଖଲ ନଥିପତ୍ରର ସାର୍ଟିଫାଏଡ କପି ପାଇବା ପାଇଁ ଶ୍ରୀ ମୋକିମ ଦରଖାସ୍ତ କରିଥିବା ବେଳେ ଏହା ଶୀଘ୍ର ମଞ୍ଜୁର କରିବା ପ୍ରସଂଗରେ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୋକିମଙ୍କ ବିରୋଧରେ ରାଜ୍ୟ ସରକାର ଦାଖଲ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୩ ସେପ୍ଟେମ୍ବର ୨୨ରେ ପ୍ରଦାନ କରିଥିବା ରାୟର ସାର୍ଟିଫାଏଡ କପିକୁ ରେକର୍ଡଭୁକ୍ତ କରିବାକୁ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି। ୨୦୨୨ ସେପ୍ଟେମ୍ବର ୨୯ରେ ଓଆରଏଚଡିସି ମାମଲାରେ ମୋକିମଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ଉପରେ ୨୦୨୨ ଅକ୍ଟୋବର ୧୯ରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ରାଜ୍ୟ ସରକାର ଦାୟର କରିଥିବା ଆବେଦନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ସେପ୍ଟେମ୍ବର ୨୨ରେ ମନା କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟରେ ବିଚାରାଧୀନ ମାମଲାର ୬ ମାସ ଭିତରେ ଶୁଣାଣି ଶେଷ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହି ରାୟର କପିକୁ ମାମଲାରେ ରେକର୍ଡଭୁକ୍ତ କରିବାକୁ ମୋକିମଙ୍କ ତରଫରୁ ଆଜି ନିବେଦନ କରାଯାଇଥିବା ବେଳେ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ହାଇକୋର୍ଟ ଆବେଦନକାରୀଙ୍କ ଆପତ୍ତି ସହିତ ଏହି ସାର୍ଟିଫାଏଡ କପିକୁ ରେକର୍ଡରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ନଭେମ୍ବର ୮ ତାରିଖର ନିର୍ଦ୍ଦେଶ ଅନୁସାରେ ମୋକିମଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯିବାକୁ ଥିଲା। ଅନ୍ୟପକ୍ଷରେ ଆଇନଜୀବୀଙ୍କ ସ୍ବାସ୍ଥ୍ୟଗତ କାରଣ ତଥା ମାମଲାରେ ଦାଖଲ ନଥିପତ୍ରର ସାର୍ଟିଫାଏଡ କପି ମିଳି ନଥିବା ଦର୍ଶାଇ ଏଥି ପାଇଁ ମୋକିମଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଅନ୍ୟପକ୍ଷରେ ଏହାକୁ ଶ୍ରୀ ସାମନ୍ତରାୟଙ୍କ ତରଫରୁ ବିରୋଧ କରାଯାଇଥିଲା। ପୂର୍ବରୁ ବି ଏହି ମାମଲାରେ ୩ରୁ ଅଧିକ ଥର ସମୟ ଲୋଡ଼ି ବିଧାୟକ ମୋକିମ ୧୦ ହଜାର ଟଙ୍କା ଲେଖାଏଁ ତଣ୍ଡ ଗଣି ସାରିଛନ୍ତି। ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ୍ କାନୁନଗୋ, ଆଇନଜୀବୀ ଗୋପଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ, ଶ୍ରୀ ମୋକିମ୍ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।