କଟକ: ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଆଜି ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ। ଜନ ପ୍ରତିନିଧି ଆଇନର ଧାରା ୧୫୧-କ ଅନୁସାରେ ୯୦-ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି (କାଜୁଆଲ ଭାକନ୍ସି) ବୋଲି ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ୨୦୧୯ ନିର୍ବାଚନରେ ମୋକିମଙ୍କ ଠାରୁ ନିର୍ବାଚନରେ ହାରି ଯାଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁ ୬୯୩ ପୃଷ୍ଠାର ଏହି ରାୟ ପ୍ରକାଶ କରିଛନ୍ତି।
ଉଲ୍ଳେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ସମୟରେ ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦାଖଲ ହୋଇନଥିଲା। ଜନ ପ୍ରତିନିଧି ଆଇନର ଧାରା ୩୩, କଣ୍ଡକ୍ଟ ଅଫ୍ ଇଲେକ୍ସନ ରୁଲ୍ସ, ୧୯୬୧ର ନିୟମ ୪ ଓ ଭାରତର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଉଲ୍ଳଂଘନ କରି ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଗ୍ରହଣ କରିଥିଲେ। ଶ୍ରୀ ମୋକିମ ନାମାଙ୍କନପତ୍ରରେ ଆବଶ୍ୟକ ତଥ୍ୟ ଉଲ୍ଲେଖ କରି ନଥିଲେ। ଜନପ୍ରତିନିଧି ଆଇନର ଧାରା ୩୬ରେ ପ୍ରଦତ୍ତ କ୍ଷମତା ଅନୁସାରେ ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଖାରଜ କରିବା ଉଚିତ ଥିଲା। ନାମାଙ୍କନ ବେଳେ ଶ୍ରୀ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ୧୩ଟି ଅପରାଧିକ ମାମଲା ସଂକ୍ରାନ୍ତରେ ଉପଯୁକ୍ତ ତଥ୍ୟ ଓ ସଂପୂର୍ଣ୍ଣ ଘୋଷଣାନାମା ଦେଇ ନଥିଲେ। ଏଭଳି ସ୍ଥିତିରେ ୯୦-ବାରବାଟୀ-କଟକ ବିଧାନସଭା ଆସନରୁ ଶ୍ରୀ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଅନ୍ୟପଟେ ହାଇକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମୋକିମ୍ କହିଛନ୍ତି ଯେ ୨୦୧୯ର ନିର୍ବାଚନକୁ ନେଇ ରୁଜୁ ହୋଇଥିବା ଏହି ମାମଲାର ରାୟ ପ୍ରକାଶ ପାଇଛି। ରାୟର ତର୍ଜମା କରିବା ପରେ ସେ ସୁପ୍ରିମକୋର୍ଟରେ ଏହା ଉପରେ ରହିତାଦେଶ ପାଇଁ ଆବେଦନ କରିବେ। କିନ୍ତୁ ୨୦୨୪ ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ନାହିଁ। ସେ କଂଗ୍ରେସ ପ୍ରାର୍ଥୀ ଭାବେ ବାରବାଟୀ-କଟକରୁ ପୁଣି ପ୍ରତିଦ୍ବନ୍ଦ୍ବିତା କରିବେ। ସେ ଲୋକଙ୍କ ସହ ଅଛନ୍ତି ଏବଂ କଟକର ଲୋକ ତାଙ୍କୁ ପୁଣି ଆଶୀର୍ବାଦ ଦେବେ ବୋଲି ଶ୍ରୀ ମୋକିମ୍ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାୟକ ଭାବେ ଶ୍ରୀ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ୨୦୧୯ରେ ଶ୍ରୀ ସାମନ୍ତରାୟ ହାଇକୋର୍ଟରେ ଏହି ମୋକଦ୍ଦମା ଦାୟର କରିଥିଲେ।
ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ନିଜେ ଶ୍ରୀ ସାମନ୍ତରାୟ, ଦୀପଙ୍କର ଆଚାର୍ଯ୍ୟ ଓ ସୁକାନ୍ତ କୁମାର ପ୍ରଧାନ ହାଇକୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ପ୍ରତିପକ୍ଷ ଶ୍ରୀ ମୋକିମଙ୍କ ତରଫରୁ ସେ ନିଜେ, ସନ୍ତୋଷ କୁମାର ଲେଙ୍କା, ପ୍ରଶାନ୍ତ କୁମାର ମହାନ୍ତି, ସୌର୍ଯ୍ୟପ୍ରକାଶ ମହାପାତ୍ର, ଝିଅ ସୋଫିଆ ଫିରଦୋସ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ୨୦୨୩ ନଭେମ୍ବର ୨୦ରେ ମାମଲାର ପ୍ରତିପକ୍ଷ ଶ୍ରୀ ମୋକିମଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇ ୨୦୨୪ ଜାନୁଆରି ୯ରେ ଶେଷ ହୋଇଥିଲା। ଜାନୁଆରି ୧୧ରେ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିଲା। ଜାନୁଆରି ୧୯ରେ ଶ୍ରୀ ସାମନ୍ତରାୟଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଶେଷ ହୋଇଥିଲା। ଏହାପରେ ଶ୍ରୀ ସାମନ୍ତରାୟଙ୍କ ଯୁକ୍ତି ଉପରେ ଉତ୍ତର ରଖି ଶ୍ରୀ ମୋକିମଙ୍କ ତରଫରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିଲା।
ଫେବ୍ରୁଆରି ୭ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମୋକିମ, ବିଜେଡି ପ୍ରାର୍ଥୀ ଶ୍ରୀ ସାମନ୍ତରାୟଙ୍କ ସମେତ ୯ଜଣ ପ୍ରାର୍ଥୀ ବାରବାଟୀ-କଟକ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଶ୍ରୀ ମୋକିମ ସର୍ବାଧିକ ୫୦୨୪୪ଟି ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ସାମନ୍ତରାୟ ୪୬୪୧୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ତ୍ରୁଟିପୂର୍ଣ୍ଣ ଓ ନିଜ ସଂପତ୍ତି ଓ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂକ୍ରାନ୍ତରେ ସେ ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରି ଶ୍ରୀ ସାମନ୍ତରାୟ ୨୦୧୯ରେ ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ। ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ୍ କାନୁନଗୋ, ଆଇନଜୀବୀ ଗୋପଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ, ଶ୍ରୀ ମୋକିମ୍ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଥିଲେ।