ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ବାରବାଟୀ ଷ୍ଟାଡିୟମର ୧୨ଟି  କାଉଣ୍ଟରରେ ଟିକେଟ୍ ବିକ୍ରି ଚାଲିଛି। ଟିକେଟ କିଣିବାକୁ ଆଜି ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। କ୍ରିକେଟ ପ୍ରେମୀମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ କାଉଣ୍ଟରରୁ ଟିକେଟ୍ କିଣୁଛନ୍ତି । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ କିଣିପାରିବେ । ଏଥର ବାରବାଟୀରେ ୧୨ଟି କାଉଣ୍ଟରରେ ପ୍ରାୟ ୧୦ ହଜାର ୩୯ ଟି ଟିକଟ ବିକ୍ରି କରାଯିବ। ଅସମ୍ଭବ ଭିଡ଼ ଥିବାରୁ ଟିକେଟ୍ କାଉଣ୍ଟରରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

ବହୁଦିନର ବ୍ୟବଧାନ ପରେ କଟକରେ ମ୍ୟାଚ୍‌ ହେଉଥିବାରୁ ଖେଳପ୍ରେମୀଙ୍କ ଟିକଟ ଚାହିଦା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଓସିଏ ପକ୍ଷରୁ ପ୍ରଥମେ  ଅନ୍‌ଲାଇନ୍‌ ମାଧ୍ୟମରେ ଓ ପରେ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍‌, କଲେଜ, କ୍ଲବ୍‌ମାନଙ୍କୁ ଟିକଟ ବିକ୍ରି କରାଯାଇଛି ।  ସାଧାରଣ ଲୋକମାନଙ୍କ ପାଇଁ ୧୯ ଓ ୨୦ ତାରିଖ ଦୁଇ ଦିନ ଧାର୍ଯ୍ୟ କରାଯାଇଛି। ମାତ୍ର କାଉଣ୍ଟର ସ˚ଖ୍ୟା ବୃଦ୍ଧି କରାଯାଇଥିବାରୁ ଆଜି ହିଁ ଟିକଟ ଶେଷ ହୋଇଯିବ ବୋଲି କୁହାଯାଉଛି।

ସେହିପରି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଶାଖାପାଟଣା ଦିନିକିଆରେ ଟିମ ଇଣ୍ଡିଆର ଦମଦାର ବିଜୟ ପରେ ବାରବାଟୀ ଦିନିକିଆ ମ୍ୟାଚର ଗୁରୁତ୍ୱ ବଢିଯାଇଛି । ଆସନ୍ତା ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିଅମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ ଖେଳାଯିବ । ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ ,ସେହି ଦଳ ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର