ମେଡିକାଲ ବର୍ଜ୍ୟର ହେବ ବାର୍‌କୋଡିଂ

ଭୁବନେଶ୍ବର : ରାଜ୍ୟବ୍ୟାପୀ ସରକାରୀ ମେଡିକାଲରୁ ବାହାରୁଥିବା ବର୍ଜ୍ୟର ବାର୍‌କୋଡିଂ କରାଯିବ। ଫଳରେ ମେଡିକାଲ ବର୍ଜ୍ୟ ଏଠିସେଠି ଫୋପଡ଼ା ବନ୍ଦ ହେବା ସହ ଏଥିରେ ହେଉଥିବା ଟାମ୍ପରିଂକୁ ରୋକାଯାଇ ପାରିବ। ଏହି ବାର୍‌କୋଡିଂ ପାଇଁ ଓକାକ୍‌ ସଫଟୱେୟାର ପ୍ରସ୍ତୁତ କରୁଥିବା ବେ‌ଳେ ବର୍ଜ୍ୟ ନଷ୍ଟ ପାଇଁ ଅଧିକ ସଂଖ୍ୟାରେ ଘରୋଇ ସଂସ୍ଥାକୁ ସାମିଲ କରିବା ଲାଗି ଯୋଜନା ହୋଇଛି।

ରାଜ୍ୟରେ ସରକାରୀ ମେଡିକାଲରେ ବାର୍ଷିକ କେତେ ବର୍ଜ୍ୟ ବାହାରୁଛି, ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଜିଲ୍ଲାସ୍ତରରେ ମେଡିକାଲମାନେ ଟେଣ୍ଡର୍‌ ଜରିଆରେ ଏକ ସଂସ୍ଥାକୁ ବର୍ଜ୍ୟର ସ୍ଥାନାନ୍ତରଣ ଦାୟିତ୍ବ ଦେଉଛନ୍ତି। ମେଡିକାଲ ବର୍ଜ ନଷ୍ଟ ପାଇଁ ୬ଟି ସ୍ଥାନରେ ବ୍ୟବସ୍ଥା ରହିଛି। ସରକାରୀ ଭାବେ ୩ଟି ମେଡିକାଲ କଲେଜ ଓ ଘରୋଇସ୍ତରରେ ସାନିକ୍ଲିନ୍, ଶେରଗଡ଼ ଓ ସୁନ୍ଦରଗଡ଼ରେ ଏହି ବ୍ୟବସ୍ଥା ରହିଛି। ବର୍ଜ୍ୟ ନଷ୍ଟ ପାଇଁ ରାଜ୍ୟରେ ସାଧାରଣ ଭାବେ ଡିପ୍ ବରିଆଲ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅଟୋ କ୍ଲୋଭ୍ ମେସିନ୍ ଜରିଆରେ ବର୍ଜ୍ୟକୁ ନଷ୍ଟ କରାଯିବା ପରେ ଏହାକୁ ପୋତା ଯାଉଛି। ଘରୋଇ ସଂସ୍ଥାମାନଙ୍କୁ କେଜି ସହିତ କି.ମି ଅନୁଯାୟୀ ଟଙ୍କା ଦିଆଯାଉଛି। ହେଲେ ମେଡିକାଲ ବର୍ଜ୍ୟ ନିଜର ପ୍ଲାଣ୍ଟକୁ ନ ଯାଇ ଅନ୍ୟ ସ୍ଥାନରେ ପଡ଼ୁଥିବା ଅଭିଯୋଗ ଆସିବା ପରେ ଏହାକୁ ରୋକିବା ଲାଗି ବାର୍‌କୋଡିଂ ବ୍ୟବସ୍ଥାକୁ ଆପଣାଇବା ଲାଗି ସରକାର ଯୋଜନା କରିଛନ୍ତି। ବାର୍‌କୋଡିଂ ବ୍ୟବସ୍ଥାରେ ମେଡିକାଲ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରୁ ମେଡିକାଲ ବର୍ଜ୍ୟ ବାହାରିବ, ସେଠାରେ ହିଁ ଏକ ପ୍ୟାକେଟ୍‌ରେ ସଂପୃକ୍ତ ବର୍ଜ୍ୟର କୋଡିଂ କରାଯିବ। ଏଥିରେ କେତେ ଓଜନର ବର୍ଜ୍ୟ ରହିଲା ଓ କେଉଁ ସ୍ଥାନକୁ ଏହାକୁ ପଠାଯିବ, ସେ ସଂପର୍କରେ ଉଲ୍ଲେଖ କରାଯିବ।

ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍‌ ଏହାର ଏକ ସଫ୍‌ଟୱେୟାର ପ୍ରସ୍ତୁତ କରୁଛି। ରାଜ୍ୟର ସବୁ ମେଡିକାଲରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ଗାଡ଼ିରେ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ମଧ୍ୟ ରହିବ। ଏହାସହ ଆହୁରି ୫ ଘରୋଇ ସଂସ୍ଥାକୁ ବର୍ଜ୍ୟ ନଷ୍ଟ ପ୍ରକ୍ରିୟାରେ ସାମିଲ କରିବା ଲାଗି ଯୋଜନା ହୋଇଛି। କିଛି ଜିଲ୍ଲାକୁ ମିଶାଇ ଗୋଟିଏ କ୍ଲଷ୍ଟର କିମ୍ବା ୭୫ କି.ମି ବ୍ୟବଧାନରେ କିଛି ଜିଲ୍ଲାକୁ ମିଶାଇ ଗୋଟିଏ ସଂସ୍ଥାକୁ ଏହାକୁ ଦେବା ଲାଗି ଆଲୋଚନା ହେଉଛି। ମାତ୍ର ଘରୋଇ ସଂସ୍ଥାକୁ ମେଡିକାଲ ବର୍ଜ୍ୟକୁ ସାମିଲ କରିବାକୁ ନେଇ କେତେକ କଟକଣା ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏସବୁର ତଦାରଖ କରୁଛି। ଯଦି ଏ ଯୋଜନା ସଫଳ ହୁଏ, ତାହାଲେ ରାଜ୍ୟରେ ମେଡିକାଲ ବର୍ଜ୍ୟ ପାଇଁ ଘରୋଇ ସଂସ୍ଥା ସଂଖ୍ୟା ୮କୁ ବୃଦ୍ଧି ପାଇବ। ଏହାସହ ହସ୍ପିଟାଲଗୁଡ଼ିକରେ ତରଳ ବର୍ଜ୍ୟବସ୍ତୁକୁ ଜୀବାଣୁମୁକ୍ତ କରିବା ଲାଗି ସବୁ ହସ୍ପିଟାଲରେ ଇଟିପି ବ୍ୟବସ୍ଥା କରିବା ଲାଗି ମଧ୍ୟ ଯୋଜନା ହୋଇଛି। ଏବେ ମେଡିକାଲରେ କର୍ଣ୍ଣାଟକ ମେଡଲ ଅନୁଯାୟୀ ମେଡିକାଲ ବାହାରେ ଏକ ଟାଙ୍କି ବସାଯିବା ସହିତ ଏଥିରେ ବ୍ଲିଚିଂ ଓ ହାଇପରକ୍ଲୋରାଇଡ ସଲ୍ୟୁସନ ମିଶ୍ରଣ କରାଯାଉଛି। ପରେ ଏହାକୁ ଡ୍ରେନ୍‌କୁ ଛଡ଼ା ଯାଉଛି। ତେବେ ଇଟିପି ବ୍ୟବସ୍ଥାରେ ମେଡିକାଲରୁ ବାହାରୁଥିବା ସମସ୍ତ ପାଣିକୁ ଜୀବାଣୁମୁକ୍ତ ହୋଇପାରିବ। ଏଥିପାଇଁ ସମୁଦାୟ ୩୦୫ କୋଟି ଟଙ୍କା ଖର୍ଚ କରାଯିବ ବୋଲି ସୂଚନା ମିଳିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କମନ ୱେଷ୍ଟ ଡିସପୋଜାଲ ଫାସିଲିଟିରେ ଅଧିକ ୫ ଘରୋଇ ସଂସ୍ଥାକୁ ସାମିଲ କରିବା ଲାଗି ଯୋଜନା ହୋଇଛି। କ୍ଲଷ୍ଟର ଜରିଆରେ ସେମାନଙ୍କୁ ଆବଣ୍ଟିତ କରାଯିବ। ଏହାସହ ବାର୍‌କୋଡିଂ ବ୍ୟବସ୍ଥା ମେଡିକାଲ ବର୍ଜ୍ୟ ନଷ୍ଟକୁ ନେଇ ସ୍ବଚ୍ଛତା ଆଣିବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ଆଉ ୨ଟି ସଂସ୍ଥାକୁ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଇଟିପି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ଅନୁମୋଦକୁ ଅପେକ୍ଷା କରାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର