ସମ୍ବଲପୁର: ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେଇ ଗତବର୍ଷ ରାଜ୍ୟରେ ୩୬ ନୂତନ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ। ସୋମବାର ଅପରାହ୍ଣରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ଅନୁମୋଦିତ ଏହି ଥାନାଗୁଡ଼ିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହିକ୍ରମରେ ସମ୍ବଲପୁରର ବରେଇପାଲି ଥାନା ମଧ୍ୟ ସୋମବାର ଉଦ୍ଘାଟିତ ହୋଇଥିଲା। ବରେଇପାଲି ସ୍ଥିତ ସାଇବର୍ ଥାନା କୋଠାରେ ଏହି ଥାନା ଆରମ୍ଭ ହୋଇଥିବା ବେଳେ ଧୀରେନ୍ଦ୍ର ସ୍ବାଇଁଙ୍କୁ ଥାନାଧିକାରୀ ଦାୟିତ୍ବ ଦିଆଯାଇଛି।
ଅନ୍ୟପଟେ ସାଇବର୍ ଥାନାଟି ପୁରୁଣା କ୍ଷେତରାଜପୁର ଥାନା କୋଠାକୁ ସ୍ଥାନାନ୍ତର ହୋଇ ସେଠାରେ କାର୍ଯ୍ୟକ୍ଷମ ଅଛି। ଅଇଁଠାପାଲି ଥାନାର ଅଧା ଅଂଶକୁ ନେଇ ଏହି ଥାନା ଆମ୍ଭ ହୋଇଛି। ଉଦ୍ଘାଟନୀ ଅବସରରେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସ୍ପି ବି. ଗଙ୍ଗାଧରଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।