ମଥୁରାନଗରୀ : ବରଗଡ଼ ଜିଲ୍ଲା ପ୍ରଶାସନର ପାରିବାପଣିଆ ଜଳଜଳ ହୋଇ ଦିଶୁଛି। ପ୍ରଶାସନ ବିଭିନ୍ନ ବାହାନା ମାରିଲା। କିନ୍ତୁ ଧାନ କିଣାରେ ତ ଫେଲ୍ ହେଲା, ଧନୁଯାତ୍ରା ଆୟୋଜନରେ ବି ଫେଲ୍ ମାରିଛି। ଏହି ଦୁଇଟି ପ୍ରସଂଗର ପରିଚାଳନା ପରସ୍ପର ସହ ଜଡ଼ିତ। କାରଣ ଧାନକିଣା ବେଳେ କ୍ରମାଗତ ବିଭ୍ରାଟ ଘଟିଥିବା ବେଳେ ପ୍ରଶାସନ ଧନୁଯାତ୍ରାକୁ ଭବ୍ୟ ଆୟୋଜନ କରିବା ଉପରେ ଧ୍ୟାନ ଦେଲା। କିନ୍ତୁ ଯେଉଁ ହିସାବରେ ଧନୁଯାତ୍ରା ବ୍ୟବସ୍ଥା ରହିଛି, ତାହା ଚିନ୍ତାର କାରଣ ପାଲଟିଛି। ପ୍ରଥମେ ଧାନ କଥା ଚିନ୍ତା କରାଯାଉ। ଧାନ କିଣା ପାଇଁ ଯେଉଁ ପ୍ରସ୍ତୁତି ବୈଠକ ପୂର୍ବରୁ ବସିଥିଲା, ସେଥିରେ ପ୍ରଶାସନ ଲମ୍ବାଚଉଡ଼ା ପ୍ରତିଶ୍ରୁତି ଦେଲା। ସବୁ ଚାଷୀଙ୍କ ଧାନ ଉଠିବ, ଟୋକନ୍ ବ୍ୟବସ୍ଥିତ ହେବ, ମିଲର୍ସଙ୍କ ମନମାନିରେ ରୋକ୍ ଲାଗିବ.. ଏଭଳି ଗୁଡ଼ାଏ ଘୋଷଣା କରିଥିଲା ପ୍ରଶାସନ। କିନ୍ତୁ ସବୁ ପାଣିଚିଆ ହୋଇଯାଇଛି।
କେନାଲ୍ ମରାମତି ପାଇଁ କେନାଲ୍ରେ ସଅଳ ପାଣି ଛଡ଼ାଯିବ। ଏଥିରେ ଚାଷୀ ରବିଚାଷ କରିବେ। କିନ୍ତୁ ଏଯାଏ ୪୦ହଜାର ଚାଷୀ ଖରିଫ୍ ଧାନ ବିକି ନାହାନ୍ତି। ଖରିଫ୍ ଧାନ ବିକିବା ପାଇଁ ୧,୩୯,୪୪୦ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗୁରୁବାର ସୁଦ୍ଧା ୯୯,୬୩୦ ଚାଷୀ ହିଁ ଧାନ ବିକିଛନ୍ତି। ଅର୍ଥାତ ଆହୁରି ୩୯,୭୧୦ ଜଣ ଚାଷୀ ଧାନ ବିକି ନାହାନ୍ତି। ଜିଲ୍ଲାରୁ ଏଯାଏ ୪୯,୩୦,୩୮୨ କ୍ବିଣ୍ଟାଲ ଧାନ କିଣା ସରିଛି। ହେଲେ ଏଥିରୁ ଅଧିକ ଧାନ ବର୍ତମାନ ମଣ୍ଡିଗୁଡ଼ିକରେ ପଡ଼ିରହିଛି। ପ୍ରାୟତଃ ସବୁତକ ମଣ୍ଡିରେ ଧାନର ପାହାଡ଼ ଛିଡ଼ା ହୋଇଛି। ମଣ୍ଡିଗୁଡ଼ିକର କ୍ଷମତା ବଢ଼ାଇବାକୁ ବି ପ୍ରଶାସନିକ ସ୍ତରରେ କିଛି ବ୍ୟବସ୍ଥା ହେଲା ନାହିଁ। ସବୁ ଋତୁରେ ଚାଷୀଙ୍କ ଧାନ ପ୍ରାୟତଃ ସବୁ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିଥାଏ। ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଆର୍ଏମ୍ସି ପାଖରେ ପର୍ଯ୍ୟାପ୍ତ ଟଙ୍କା ରହିଛି। ମଣ୍ଡି ପରିଚାଳନା ବାବଦକୁ ଆର୍ଏମ୍ସି ପ୍ରତିବର୍ଷ କୋଟି କୋଟି ଟଙ୍କା ଆୟ କରୁଛି। କିନ୍ତୁ ମଣ୍ଡିଗୁଡ଼ିକର ବିକାଶ କଥା ସଭିଏଁ ଭୁଲି ଯାଇଛନ୍ତି।
ସେହିପରି ମଣ୍ଡିଗୁଡ଼ିକରେ ଧାନର ଏଫ୍ଏକ୍ୟୁ ମାନ ପରୀକ୍ଷା ପାଇଁ ଯନ୍ତ୍ରପାତି ରହିଛି। କିଛି ସ୍ଥାନରେ ମେସିନ୍ ଚାଲୁଛି, କିଛି ସ୍ଥାନରେ ସଂପୂର୍ଣ୍ଣ ଅକାମୀ। ଜିଲ୍ଲାରେ ରହିଛି ୭୩ଟି ସକ୍ରିୟ ମଣ୍ଡି। ଏହାବାଦ୍ ଖରିଫ୍ରେ ପାଖାପାଖି ୧୨୦ ଏବଂ ରବିରେ ୧୫୦ କେନ୍ଦ୍ରରେ ଧାନ କିଣା ଚାଲିଛି। ଧାନ ସୁରକ୍ଷିତ ରଖିବା ସାଂଗକୁ ଚାଷୀଙ୍କ ସୁବିଧା କରିବାକୁ ଗାଇଡ୍ଲାଇନ୍ ରହିଛି। କିନ୍ତୁ ବରଗଡ଼ ଜିଲ୍ଲାର ମଣ୍ଡିଗୁଡ଼ିକରେ ମାତ୍ର ୫ରୁ ୭ ହଜାର କ୍ବିଣ୍ଟାଲ ଧାନ ରଖିବା କ୍ଷମତା ରହିଛି। ମଣ୍ଡି କିମ୍ବା ଧାନକ୍ରୟ କେନ୍ଦ୍ରରେ ବିଜୁଳି ବି ରହୁନାହିଁ। କମ୍ପ୍ୟୁଟର୍ରେ ନେଟୱର୍କ ରହୁନି। ଖରିଫ୍ ଧାନ ସଂଗ୍ରହ ଶେଷ ପର୍ଯ୍ୟାୟ ଛୁଇଁଥିବା ବେଳେ ଧାନବିକ୍ରି ପାଇଁ ସୁବ୍ୟବସ୍ଥାରେ ପ୍ରଶାସନ ପୁଣି ଫେଲ୍ ମାରିଛି।
ଦ୍ବିତୀୟ କଥା ହେଲା ଧନୁଯାତ୍ରା। ଏଥର ଧନୁଯାତ୍ରା ହୀରକ ଜୟନ୍ତୀ ପାଳନ କରୁଛି। କରୋନା ପାଇଁ ଦୁଇବର୍ଷ ଏହି ଯାତ୍ରା ବନ୍ଦ ରହିଥିଲା। ତେଣୁ ପ୍ରଶାସନ ଜୋର୍ସୋର୍ ପ୍ରସ୍ତୁତିରେ ଲାଗି ପଡ଼ିଥିଲା। କିନ୍ତୁ ପ୍ରାୟତଃ ସବୁ କ୍ଷେତ୍ରରେ କାମଚଳା କାମ ହୋଇଛି। ଧନୁଯାତ୍ରା ପାଇଁ ବିଶେଷ ତୋରଣ ବଦଳରେ କପଡ଼ା ଘୋଡ଼ା ହୋଇଥିବା କାମ ହୋଇଛି। ରାଜଦରବାର ପ୍ରବେଶ ପଥରେ ଥିବା ତୋରଣ ସାଧାରଣ ବିବାହ ଉତ୍ସବର ତୋରଣଠାରୁ ନିକୃଷ୍ଟ ବୋଲି ସୋସିଆଲ୍ ମିଡିଆରେ ବୟାନବାଜି ଚାଲିଛି। ବରଂ ମାତ୍ରାଧିକ ଟ୍ରାଫିକ୍ କଟକଣା ଦର୍ଶକଙ୍କୁ ଯାତ୍ରାଠାରୁ ବିମୁଖ କରିଦେଉଛି। ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ପାଇଁ ଏହି କଟକଣା ଥିବା କହାଯାଉଛି। କିନ୍ତୁ ଦୂରରେ ଗାଡ଼ି ଅଟକା ଯାଉଥିବା ବେଳେ ପାର୍କିଂ ବନ୍ଦୋବସ୍ତ ସେଭଳି କିଛି ନାହିଁ। ପଲ୍ଲିଶ୍ରୀ ମେଳା ଏଥର ଜୀରା ନଦୀ କୂଳରେ ଲାଗିଛି। ଦର୍ଶକମାନେ ଗାନ୍ଧୀଛକରୁ ଚାଲିଚାଲି ହିଁ ସେଠାକୁ ପହଂଚିବାକୁ ପଡ଼ିବ। ନଚେତ୍ ଗାଡ଼ିରେ ୫ କିଲୋମିଟର୍ ବୁଲି ଅମ୍ବାପାଲି ପହଂଚିବାକୁ ହେବ। ସେଠାରୁ ପୁଣି ଚାଲିଚାଲି ନଦୀ ଡେଇଁ ମେଳା ଦେଖିବାକୁ ପଡ଼ିବ। ତେଣୁ କଟକଣା ସହିତ ଦର୍ଶକଙ୍କ ସୁବିଧା ମଧ୍ୟ କରିବାକୁ ପଡ଼ିବ ବୋଲି ଯୁକ୍ତି ଉଠୁଛି।