ବରଗଡ଼-ବରପାଲି ଜାତୀୟ ରାଜପଥ ହେବ ଚାରି ଥାକିଆ

ବରପାଲି-ବଲାଂଗୀର ରାଜପଥର ପ୍ରଶସ୍ତୀକରଣ ଓ ଆଲୋକୀକରଣକୁ ମଂଜୁରୀ, ୪୧୪ କୋଟି ଟଙ୍କା ଅନୁମୋଦନ

ବରଗଡ଼ : ବରଗଡ଼ରୁ ବରପାଲି ଜାତୀୟ ରାଜପଥ ୨୧ କିଲୋମିଟର୍‌ ଯାଏ ଆଗକୁ‌ ଚାରି ଥାକିଆ ହେବ। ଏହା ବାଦ ବରପାଲିରୁ ବଲାଙ୍ଗୀର ଯାଏ ଜାତୀୟ ରାଜପଥର ପ୍ରଶସ୍ତୀକରଣ ହେବ। ଏହି ରାଜପଥର ଏକ ସ୍ବତନ୍ତ୍ର ପରିଚୟ ରହିବ। କାରଣ ଏଥିରେ ସୌନ୍ଦର୍ଯ୍ୟୀକରଣ ଓ ଆଲୋକୀକରଣ ବ୍ୟବସ୍ଥା ହେବ। କେନ୍ଦ୍ର ସରକାର ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ୪୧୪.୨୪ କୋଟି ଟଙ୍କା ମଂଜୁର କରିଛନ୍ତି। ଅନ୍ୟପକ୍ଷରେ ଏହି ରାସ୍ତା ସଂପୂର୍ଣ୍ଣ ଟୋଲ୍‌ ଫ୍ରି ରହିବ ବୋଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଶ୍ରୀ ପୂଜାରୀ ଆହୁରି କହିଲେ, ଏହି ବୃହତ୍‌ ପ୍ରକଳ୍ପ ଉଭୟ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଅର୍ଥନୈତିକ ବିକାଶରେ ସହାୟକ ହେବ। ପଶ୍ଚିମ ଓଡ଼ିଶାରେ ଏହି ଅତ୍ୟାଧୁନିକ ରାଜପଥ ଏକ ନୂଆ ଅର୍ଥନୈତିକ କରିଡର୍‌ ସୃଷ୍ଟିରେ ସହାୟକ ହେବ। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଖୁବ ଶୀଘ୍ର ଏଥିପାଇଁ ଟେଣ୍ଡର ଆହ୍ବାନ କରାଯିବ। ୨୦୨୨ ସୁଦ୍ଧା କାମ ଶେଷ କରିବାକୁ ଧାର୍ଯ୍ୟ ରହିଛି ବୋଲି ସାଂସଦ ଶ୍ରୀ ପୂଜାରୀ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଡ଼ଂଗୀ, ବରିଷ୍ଠ ନେତା ସୁରେଶ୍ବର ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର