ପୁଣି ତେଜିଲା ବରଗଡ଼ କ୍ୟାନ୍‌ସର ହସ୍‌ପିଟାଲ୍ ଦାବି, କ୍ୟାବିନେଟ୍ ନିଷ୍ପତ୍ତି ‘ତେଲିଆ ମୁଣ୍ଡରେ ତେଲ’

ସମ୍ବଲପୁର: ବରଗଡ଼ରେ କ୍ୟାନ୍‌ସର ହସ୍‌ପିଟାଲ୍‌ ଦାବି ପୁଣି ତେଜିଛି। ଏହା ସହିତ ଭୁବନେଶ୍ବରରେ କ୍ୟାସ୍‌ସର୍‌ ହସପିଟାଲ ପ୍ରତିଷ୍ଠା ନିଷ୍ପତ୍ତିକୁ ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି। ଭୁବନେଶ୍ବରରେ ଏକ କ୍ୟାନ୍‌ସର ହସ୍‌ପିଟାଲ୍ ନିର୍ମାଣ ପାଇଁ ବାଗ୍‌ଚୀ ଦମ୍ପତି ସୁବ୍ରତ-ସୁସ୍ମିତା ୩୪୦ କୋଟି ଟଙ୍କା ଦେବାକୁ ଘୋଷଣା କରିବା ପରେ ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅନୁଦାନ ‘ତେଲିଆ ମୁଣ୍ଡରେ ତେଲ’ ବୋଲି ପଶ୍ଚିମ ଓଡ଼ିଶାବାସୀ କହୁଛନ୍ତି। ସୁବ୍ରତ ନିଜ ଜନ୍ମ ମାଟି ବଲାଙ୍ଗୀରକୁ ଭୁଲି ଭୁବନେଶ୍ବରରେ କ୍ୟାନ୍‌ସର ହସ୍‌ପିଟାଲ୍ ସ୍ଥାପନ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମ ଉଛୁଳିବାରେ ଲାଗିଛି।

ବାଗ୍‌ଚୀଙ୍କୁ ଅତି ମାତ୍ରାରେ ଭଲ ପାଉଥିବା ପଶ୍ଚିମ ଓଡ଼ିଶାବାସୀ ତାଙ୍କର ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରି ନଥିବା ସାମାଜିକ ଗଣମାଧ୍ୟମରେ ଆସୁଥିବା ମତାମତରୁ ପ୍ରତୀତ ହେଉଛି। କେବଳ ବାଗ୍‌ଚୀ ନୁହନ୍ତି ଏହି ନିଷ୍ପତ୍ତିରେ ରାଜ୍ୟ ସରକାର ବି ସମାଲୋଚନାର ଶରବ୍ୟ ହୋଇଛନ୍ତି। ବରଗଡ଼ରେ କ୍ୟାନ୍‌ସର ହସ୍‌ପିଟାଲ୍ ସ୍ଥାପନ ପଶ୍ଚିମ ଓଡ଼ିଶାର ଏକ ବହୁ ପୁରୁଣା ଦାବି। ଏହାକୁ ଗ୍ରହଣ କରି ବରଗଡ଼ରେ କ୍ୟାନ୍‌ସର ହସ୍‌ପିଟାଲ୍ ପ୍ରତିଷ୍ଠା ପାଇଁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ହେଲେ ଏହା ଉପରେ କୌଣସି କାମ ଆରମ୍ଭ ହୋଇ ନଥିଲାବେଳେ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ‌ହସ୍‌ପିଟାଲ୍ ଖୋଲିବାକୁ ଘୋଷଣା କରିବା, ସେଥି ପାଇଁ ଜମି ପ୍ରଦାନ କରିବା ଆଦି ପଶ୍ଚିମ ଓଡ଼ିଶା ପ୍ରତି ପ୍ରତାରଣା ବୋଲି ଅନେକ ଲୋକ ସାମାଜିକ ଗଣମାଧ୍ୟମରେ ମତ ଦେଉଛନ୍ତି। ଉଲ୍ଲେଖଯୋଗ୍ୟ, କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ପଣ୍ଡା କ୍ୟାନ୍‌ସର ହସ୍‌ପିଟାଲ୍, ଭୁବନେଶ୍ବରର ହେମଲତା ହସ୍‌ପିଟାଲ୍‌ ସମେତ କେୟାର୍‌, ଆଦିତ୍ୟ କେୟାର୍‌, କଳିଙ୍ଗ, ଅଶ୍ବିନୀ, ଆମ୍ରି, ସ୍ପର୍ଶ, ବିବେକାନନ୍ଦ ଆଦି ବହୁ ହସ୍‌ପିଟାଲ୍‌ରେ ଉନ୍ନତ କ୍ୟାନ୍‌ସର ଚିକିତ୍ସା ଉପଲବ୍‌ଧ ଅଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ଭିମସାର୍‌ର ନାମମାତ୍ର କ୍ୟାନ୍‌ସର ବିଭାଗ ବ୍ୟତୀତ ଏହି ରୋଗ ଚିକିତ୍ସାର କୌଣସି ସୁବିଧା ନାହିଁ। ତେଣୁ ପଶ୍ଚିମ ଓଡ଼ିଶାରେ କ୍ୟାନ୍‌ସର ହସ୍‌ପିଟାଲ୍ ନିର୍ମାଣ ପାଇଁ ପୁଣିଥରେ ଦାବି ଉଠିଛି। ବରଗଡ଼ରେ ‌କ୍ୟାନ୍‌ସର ହସ୍‌ପିଟାଲ୍ ସ୍ଥାପନ ପାଇଁ ମଙ୍ଗଳବାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଭୁବନେଶ୍ବରରେ କ୍ୟାନ୍‌ସର ହସ୍‌ପିଟାଲ୍ ସ୍ଥାପନ ପାଇଁ କ୍ୟାବିନେଟ୍‌ର ନିଷ୍ପତ୍ତି ବରଗଡ଼ ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ପ୍ରତାରଣା ବୋଲି ମଞ୍ଚ ମତ ଦେଇଛି। ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରଠାରୁ ବରଗଡ଼ କ୍ୟାନ୍‌ସର ହସ୍‌ପିଟାଲ୍ ନେଇ ଚାଲିଥିବା ଆନ୍ଦୋଳନ ବନ୍ଦ ହୋଇ ଯାଇଥିଲା। କିନ୍ତୁ ଏବେ ଏହାକୁ ପୁଣି ଜୋରଦାର କରାଯିବ ବୋଲି ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି। ମଙ୍ଗଳବାର ମଞ୍ଚ ପକ୍ଷରୁ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏ ସଂପର୍କରେ ଘୋଷଣା କରାଯିବା ସହ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ଭବାନୀ ଭୋଇ, ମାନସ ବକ୍ସି, ପଙ୍କଜିନୀ ମେହେର, କାନ୍ତୀ ମେହେର, ଦେବାଶିଷ ବେହେରା, ରାହୁଲ ଗୁପ୍ତା, ସୁଷମା ସାହୁ, ଟିକୁ ବାଗ, ଅର୍ପଣ ଦାସ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ। ଉପରୋକ୍ତ ପ୍ରସଂଗରେ ଏକ ବିବୃତି ରଖି ସମ୍ବଲପୁର ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ର ଯୁଗ୍ମସଭାପତି ପ୍ର. ଶଂକର ପ୍ରସାଦ ପତି ସୁବ୍ର‌ତ ବାଗ୍‌ଚୀଙ୍କୁ ତାଙ୍କ ମହନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଯୁଗ୍ମ ମହାନଗରୀରେ ଅତି କମ୍‌ରେ ୧୦ଟି କ୍ୟାନ୍‌ସର ହସ୍‌ପିଟାଲ୍ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବାଗ୍‌ଚୀଙ୍କ ଅନୁଦାନ ପ୍ରସ୍ତାବିତ ବରଗଡ଼ କ୍ୟାନ୍‌ସର ହସ୍‌ପିଟାଲ୍ ନିର୍ମାଣ ପାଇଁ ବିନିଯୋଗ କରିଥିଲେ ରାଜ୍ୟ ରାଜକୋଷରୁ ପାଣ୍ଠି ବଞ୍ଚି ଯାଇଥାଆନ୍ତା ଓ ସାରା ଓଡ଼ିଶାବାସୀ ଉଭୟ ସରକାର ଓ ବାଗ୍‌ଚୀ ଦମ୍ପତିଙ୍କ ପ୍ରତି କୃତଜ୍ଞ ରହିଥାଆନ୍ତେ ବୋଲି ପ୍ର. ପତି କହିଛନ୍ତି।

ସମ୍ବନ୍ଧିତ ଖବର