ଛତିଶଗଡ଼ରେ ମିଶିଯିବ ବରଗଡ଼ ଛର୍‌ଡାପାଲି!

ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ସରାଇପାଲି ବିଧାୟକଙ୍କୁ ପଞ୍ଚାୟତବାସୀଙ୍କ ଚିଠି

ଭୁବନେଶ୍ୱର : କୋଟିଆରେ ଆନ୍ଧ୍ର ସରକାରଙ୍କ ଅନଧିକାର ପ୍ରବେଶକୁ ନେଇ ତାତି ଥମି ନଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ଛର୍‌ଡ଼ାପାଲି ପଞ୍ଚାୟତ ଛତିଶଗଡ଼ରେ ମିଶିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେଶ ସ୍ବାଧୀନ ହେବା ପରଠାରୁ ଆଜି ଯାଏ ଓଡ଼ିଶା ସରକାର ଏହି ପଞ୍ଚାୟତବାସୀଙ୍କୁ ନିମ୍ନତମ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇ ନଥିବାରୁ ସେମାନେ ଛତିଶଗଡ଼ରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ସରାଇପାଲି ବିଧାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ତେବେ ବେଳ ଥାଉ ଥାଉ ଓଡ଼ିଶା ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ରାଜ୍ୟରେ ଆଉ ଗୋଟିଏ ‘କୋଟିଆ’ ଉଭା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି।

‘ସମ୍ବାଦ’ର ହସ୍ତଗତ ହୋଇଥିବା ଉକ୍ତ ଚିଠି‌ରେ, ଛର୍‌ଡାପାଲି ପଞ୍ଚାୟତକୁ ଛତିଶଗଡ଼ରେ ମିଶ୍ରଣ କରିବା ପାଇଁ ପଞ୍ଚାୟତବାସୀ ଅନୁରୋଧ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ପାଇକମାଳ ବ୍ଲକ ଅନ୍ତର୍ଗତ ଛର୍‌ଡାପାଲି, ଛଣଘରିଆ, ଗୁଣ୍ଡିଚାଡିହି, ଲହଣ୍ଡିପୁର ଓ ଲୁହୁରକୋଟ ଆଦି ଗ୍ରାମକୁ ନେଇ ଗଠିତ ଛର୍‌ଡାପାଲି ପଞ୍ଚାୟତର ବାସିନ୍ଦା ଅତ୍ୟନ୍ତ ଦୁର୍ବିଷହ ଭାବେ ଜୀବନଯାପନ କରୁଛନ୍ତି। ପଦମ୍‌ପୁର ସବ୍‌ଡିଭିଜନ୍‌ଠାରୁ ମାତ୍ର ୧୫ କିଲୋମିଟର ଦୂର‌ ନଦୀ, ପାହାଡ଼ଘେରା ଏହି ପଞ୍ଚାୟତବାସୀ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛନ୍ତି। ପଞ୍ଚାୟତର ତିନିପଟେ ନଦୀ ବୋହି ଯାଇଥିବାରୁ ବର୍ଷା ଋତୁ ସହ ବର୍ଷକର ୬ରୁ ୭ମାସ ଏହି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରୁହେ। ପଞ୍ଚାୟତର ଦକ୍ଷିଣ ଦିଗରେ ବହୁଥିବା ‘ଅଙ୍ଗ’ ନଦୀରେ ବ୍ରିଜ୍‌ ତିଆରି ହେଲେ ନିକଟସ୍ଥ ଲାଖମରା ପଞ୍ଚାୟତକୁ ବାଟ ଫିଟିବା ସହ ବର୍ଷ ବର୍ଷର ଏହି ସମସ୍ୟାର ସମାଧାନ ହୋଇପାରନ୍ତା। ପଞ୍ଚାୟତବାସୀ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଭଳି ଅତ୍ୟାବଶ୍ୟକ ସେବା ପାଇବାରୁ ମଧ୍ୟ ବଞ୍ଚିତ ହୁଅନ୍ତେ ନାହିଁ। କିନ୍ତୁ ଦୀର୍ଘ ୪୦ ବର୍ଷ ଧରି ବ୍ରିଜ୍‌ ତିଆରି ପାଇଁ ପଞ୍ଚାୟତବାସୀ ଦାବି କରି ଆସୁଥିଲେ ହେଁ ଓଡ଼ିଶା ସରକାର ଏ ଦିଗରେ ପଦକ୍ଷେପ ନେଇ ନାହାନ୍ତି। ତେଣୁ ପଞ୍ଚାୟତବାସୀ ବାଧ୍ୟ ହୋଇ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହ ଅତ୍ୟାବଶ୍ୟକ ସେବା ପାଇଁ ନିକଟସ୍ଥ ଛତିଶଗଡ଼ର ସରାଇପାଲି ବଜାର ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରୁଛନ୍ତି। ତେଣୁ ଛର୍‌ଡାପାଲି ପଞ୍ଚାୟତକୁ ଛତିଶଗଡ଼ରେ ମିଶ୍ରଣ କରି ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ବୋଲି ସେମାନେ ସରାଇପାଲି ବିଧାୟକଙ୍କୁ ଅନୁରୋଧ କରିଛନ୍ତି। ଏହି ଚିଠିର ଏକ ନକଲ ସେମାନେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭା ବିରୋଧୀ ଦଳ ନେତା, ବରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର