ଭୁବନେଶ୍ବର : ବରଗଡ଼ ଜିଲ୍ଲାରେ ୨୪ ହଜାର ୪୧୨ ମେଟ୍ରିକ୍‌ ଟନ୍‌ର ମାତ୍ରାଧିକ ଭିଟାମିନଯୁକ୍ତ ଚାଉଳ କ୍ରୟ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ସିଏସଓ ରଜନୀକାନ୍ତ ଦାସଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ପରିଚାଳକ ନିର୍ଦ୍ଦେଶକ ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି କରିଛନ୍ତି। ଏହାପରେ ଖୁବ୍‌ଶୀଘ୍ର ବରଗଡ଼ ମୁଖ୍ୟ ସିଏସ୍‌ଓ ନିଲମ୍ବିତ ହୋଇପାରନ୍ତି ବୋଲି କୁହାଯାଉଛି।

Advertisment

ରକ୍ତହୀନତା ଏବଂ ଅପପୁଷ୍ଟିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସ୍କୁଲ ମଧ୍ୟାହ୍ନ ଭୋଜନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ଭିଟାମିନ୍‌ଯୁକ୍ତ ଯୋଗାଣ କରାଯାଉଛି। ଏଥି ଅନ୍ତର୍ଗତରେ ବରଗଡ଼ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ୨୪୦୦୦ ମେଟ୍ରିକ୍‌ ଟନ୍‌ର ଭିଟାମିନଯୁକ୍ତ ଚାଉଳ ଅତାବିରାସ୍ଥିତ ରାଇସ ମିଲ୍‌ରୁ କ୍ରୟ ପାଇଁ କୁହାଯାଇଥିଲା। ଏହି ଚାଉଳ ନିଜ ଜିଲ୍ଲାର ପିଲାଙ୍କ ମଧ୍ୟାହ୍ନ ଭୋଜନ ସହ ଜଗତ୍‌ସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଉପଯୋଗରେ ଆସିଥାଆନ୍ତା। ଏଥି ଅନ୍ତର୍ଗତରେ ଦୁଇଟି କ୍ବାଟର ପାଇଁ ବରଗଡ଼ ଜିଲ୍ଲାର ଆବଶ୍ୟକତା ୧୧୪୨.୬୫ ମେଟ୍ରିକ ଟନ ଏବଂ ୨୭୫.୪୦ ମେଟ୍ରିକ ଟନ ଥିଲା। କିନ୍ତୁ ବରଗଡ଼ ଜିଲ୍ଲାର ଯୋଗାଣ ବିଭାଗ ନିଜ ଆବଶ୍ୟକତା ଅନୁସାରେ ୧୪୧୮.୦୫ ମେଟ୍ରିକ ଟନ କ୍ରୟ କରିବା ପରିବର୍ତ୍ତେ ୨୫୮୩୦.୬୧୯ ମେଟ୍ରିକ ଟନ ଭିଟାମିନଯୁକ୍ତ ଚାଉଳ ମିଲଠାରୁ କ୍ରୟ କରିଥିଲେ। ପିଡିଏସ୍‌ ଯୋଜନା ପାଇଁ ଏହି ଚାଉଳ ବ୍ୟବହାର ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ନ ଥିବା ବେଳେ ପିଡିଏସ୍‌ରେ ବ୍ୟବହାର କରିଥିବା କହିଥିଲେ।

ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ବିଭାଗ ଏ ସଂକ୍ରାନ୍ତରେ ଅବଗତ ହେବା ପରେ ରିପୋର୍ଟ ଦାଖଲ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ କୁହାଯାଇଥିଲା। ତାଙ୍କରି ନିର୍ଦ୍ଦେଶରେ ମାତ୍ରାଧିକ ଚାଉଳ କ୍ରୟ ହୋଇଥିବା ଜଣାପଡ଼ିଥିଲା। ସାଧାରଣ ଚାଉଳଠାରୁ ଭିଟାମିନଯୁକ୍ତ ଚାଉଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ବିଣ୍ଟାଲ ହିସାବରେ ଅଧିକ ଖର୍ଚ ହେଉଛି। ଏତେ ଅଧିକ ଚାଉଳ କ୍ରୟ କରାଯିବାରୁ କେନ୍ଦ୍ର ସରକାରଙ୍କୁ କ୍ଷତି ସହିବାକୁ ପଡ଼ିଲା। ଯାହାର ଲାଭ ମିଲ୍‌ ମାଲିକ ନେଲେ।