ଆଜିଠୁ ବରଗଡ଼ ଧନୁଯାତ୍ରା

ବରଗଡ଼ : ଶନିବାର ଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେବ ବିଶ୍ୱର ଏହି ସର୍ବବୃହତ୍‌ ମୁକ୍ତାକାଶ ରଂଗମଂଚର ମହାନାଟକ ଧନୁଯାତ୍ରା। ଏହି ଅବଧି ମଧ୍ୟରେ ବରଗଡ଼ ସହରବାସୀ, କଳକାର, ଆୟୋଜକ, ଦର୍ଶକ ସମସ୍ତେ ଫେରିଯିବେ ସେଇ ଦ୍ଵାପର ଯୁଗକୁ । ପୌରାଣିକ କଥାବସ୍ତୁ ଓ ଘଟଣାକ୍ରମରେ ନାଟ୍ୟାଭିନୟ ପାଇଁ ସହରର ବିଭିନ୍ନ ଅଞ୍ଚଳ ପାଲଟିଯିବ ଦ୍ଵାପର ଯୁଗର ସେଇ ଆସ୍ଥାନ, ସେଇ ପବିତ୍ର ଭୂଇଁ । ବରଗଡ଼ ପାଲଟିବ ମଥୁରାନଗରୀ, ଅମ୍ବାପାଲି ହେବ ଗୋପପୁର। ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ପ୍ରବାହିତ ଜୀରାନଦୀ ଯମୁନା ନଦୀର ରୂପ ନେବ। ଏହା ସହିତ ବରଗଡ଼ ପଞ୍ଚାୟତି ଧର୍ମଶାଳା କଂସଙ୍କ ରାଜପ୍ରାସାଦ, ହାଟପଦା ମୁଖ୍ୟବଜାର ପରିସର ମହାରାଜ କଂସଙ୍କ ରାଜଦରବାର, ନିଶାମଣି ସ୍କୁଲ ପଡ଼ିଆର ଲୋକମଣ୍ଡପ ରଂଗମହଲ, ସମଲେଶ୍ୱରୀ ମଣ୍ଡପ ମଥୁରା କାରାଗାର, ରଜକ ଓ ସୁଦାମା ମାଳିଙ୍କ ସହିତ ସାକ୍ଷାତ ଦୃଶ୍ୟ ଖଜୁରଟିକ୍ରା ଜଗନ୍ନାଥ ମନ୍ଦିର, ଦେବକୀ-ବସୁଦେବ ବିହାହ ରାମଜୀ ମନ୍ଦିର, କୁବୁଜା ଉଦ୍ଧାର କଳୀମନ୍ଦିର, ଖଜୁରଟିକ୍ରା ଆଦିମାତା ମନ୍ଦିର ମଧୁବନ ତୋଟାର ରୂପ ନେବ। ଏହାପରେ ମଥୁରାନଗରୀରେ ଚାଲିବ ମହାପ୍ରତାପୀ ତ୍ରିଭୂବନ ବିଜୟୀ ମହାରାଜ କଂସଙ୍କ ରାଜୁତି। କଂସଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବ ସମଗ୍ର ମଥୁରା। ସେହିପରି କୃଷ୍ଣ ବଳରାମ ବେନିଭାଇ ଓ ଗୋପୀ ଗୋପାଳଙ୍କ ବାଲ୍ୟଲୀଳାରେ ଉତ୍ସବ ମୁଖର ହୋଇ ଉଠିବ ଗୋପପୁର । ଏଥିପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ସମ୍ବନ୍ଧିତ ଖବର