ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରାରେ ମହାରାଜା କଂସଙ୍କୁ ପିଠିରେ ବସାଇ ମଥୁରା ନଗରୀ ବୁଲାଉଥିବା ହାତୀ କେଉଁଠୁ ଆସେ? ଆସନ୍ତୁ ଜାଣିବା

ବରଗଡ଼ : ହୁସିଆର… ସାବଧାନ… ମହାରାଜ କଂସ ପଦାର୍ପଣ କରୁଛନ୍ତି… । ବିଶ୍ୱ ପ୍ରସିଦ୍ଧ ମୁକ୍ତ ରଙ୍ଗମଞ୍ଚରେ କଂସ ରାଜାଙ୍କ ଆଗମନୀ ପାଇଁ ପ୍ରଜାଙ୍କୁ ସତର୍କ କରାଇବା ପରେ ଗଜରାଜଙ୍କ ପିଠିରେ ବସି ରଙ୍ଗମହଲ ପାଖକୁ ଝୁଲି ଝୁଲି ଆସନ୍ତି ପ୍ରବଳ ପ୍ରତାପୀ, ମଥୁରା ନରେଶ ମହାରାଜ କଂସ । ତେବେ ଧନୁଯାତ୍ରାରେ କଂସ ମହାରାଜା ଯେଉଁ ହାତୀ ପିଠିରେ ବସି ନଗର ଭ୍ରମଣ କରନ୍ତି, ଦରବାରକୁ ଆସନ୍ତି ସେହି ହାତୀ କେଉଁଠୁ ଆସେ ? କେତେଦିନ ପୂର୍ବରୁ ଆସେ ? ସେ ହାତୀର ନାମ କଣ ? ହାତୀକୁ ବରଗଡରେ ପହଞ୍ଚିବାକୁ କେତେ ଦିନ ଲାଗେ ? ଆଉ କେତେ ବର୍ଷ ଧରି ସେ ହାତୀ ଧନୁଯାତ୍ରାରେ ସାମିଲ ହୋଇ ଆସୁଛି? ତାହା ଜାଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ ।

ତେବେ କଂସଙ୍କ ବାହନ ସାଜିଥିବା ହାତୀର ନାମ ‘ବିଜୟ’, ବୟସ ୪୫ । ଆହ୍ଲାବାଦରୁ ଆସିଥିବା ବିଜୟ ନାମକ ହାତୀ କଂସକୁ ନିଜ ପିଠିରେ ବସାଇ ମଥୁରା ନଗରୀ ବୁଲାଏ । ତେବେ ଧନୁଯାତ୍ରାରେ ରାଜକୀୟ ଭଙ୍ଗୀ, ରାଜକୀୟ ଠାଣୀର ଝଲକ ଦେଖିବାକୁ ମିଳୁଥିବାରୁ ପ୍ରତି ବର୍ଷ ହାତୀକୁ ଗୁରୁତ୍ୱ ଦିଆଯାଏ । ହାତୀଟି ହଜାର ହଜାର କିମି ଚାଲି ଚାଲି ଆସିଥିବା ବେଳେ ଆହ୍ଲାବାଦରୁ ବାହାରି ବରଗଡରେ ପହଞ୍ଚିବାକୁ ତାକୁ ୨ ମାସରୁ ଅଧିକ ସମୟ ଲାଗିଛି ।

୧୧ ଦିନ ଧରି ହେବାକୁ ଥିବା ଧନୁଯାତ୍ରାରେ ହାତୀ ବ୍ୟବହୃତ ହେଉଥିବାରୁ ତାକୁ ବରଗଡ ଜେଲ ପଡିଆରେ ରଖାଯାଇଛି । ଡାଳପତ୍ର ଖାଇବା ସହ ଦିନକୁ ୪ କେଜି ଅଟାରେ ତିଆରି ରୁଟି ଖାଉଛି ହାତୀ ବିଜୟ । ଏହାସହ ଦରବାରକୁ ଯିବା ସମୟରେ କିମ୍ବା ଦରବାର ପାଖରେ ଛିଡା ହୋଇଥିବା ବେଳେ କଦଳୀ, ଫଳମୂଳ ଯିଏ ଯାହା ଦେଲା ତାହା ହାତୀ ଖାଏ ବୋଲି ମାହୁନ୍ତ କୁହନ୍ତି ।

videogram.com

ତେବେ ଆହ୍ଲାବାଦରୁ ବରଗଡ ଆସିବା ବାଟରେ ରହିରହି ଆସେ ବିଜୟ । ଦିନକୁ ୧୦ରୁ ୧୫ କିଲୋମିଟର ଚାଲି ଚାଲି ରାତିରେ ବିଭିନ୍ନ ସ୍ଥାନରେ ରହି ବରଗଡରେ ଧନୁଯାତ୍ରାର କିଛି ଦିନ ପୂର୍ବରୁ ପହଞ୍ଚେ ହାତୀ । ଆଉ ହାତୀ ପହଞ୍ଚିବା ପରେ ତା ଦେହରେ ବିଭିନ୍ନ ରଙ୍ଗ ମାରି, ପୋଷାକ ପିନ୍ଧାଇ ସଜାଯାଏ । ଆଉ ଧନୁଯାତ୍ରାରେ କଂସ ରାଜାଙ୍କୁ ବସାଇ ୧୧ ଦିନ ମଥୁରା ଭ୍ରମଣ କରେ । ଖାଲି ସେତିକି ନୁହେଁ ଧନୁଯାତ୍ରାରେ ମନ୍ତ୍ରୀ ପରିଷଦଙ୍କ ପାଇଁ ୬ଟି ଓଟ ବାରଣାସୀରୁ ଆସିଛି ।

ତେବେ ଧନୁଯାତ୍ରା ପୂର୍ବରୁ ହାତୀକୁ ନେଇ ଦେଖା ଦେଇଥିଲା ବିବାଦ । ପ୍ରତିବର୍ଷ ଦୁଇଟି ହାତୀ ଧନୁଯାତ୍ରାରେ ବ୍ୟବହୃତ ହେଉଥିବା ବେଳେ ଏ ବର୍ଷ ହାତୀ ସଙ୍କଟ ଦେଖାଦେଇଥିଲା । ଚଳିତ ବର୍ଷ ବିନା ହାତୀରେ ଧନୁଯାତ୍ରା ହେବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଶେଷ ପର୍ଯ୍ୟାୟରେ କେବଳ ମହାରାଜାଙ୍କ ପାଇଁ ହାତୀ ମିଳିଛି ବୋଲି ସୂଚନା ମିଳିଥିଲା ।

ସମ୍ବନ୍ଧିତ ଖବର