ବରଗଡ଼ : ୨୦୨୩ ମସିହା ବରଗଡ଼ ରାଜନୀତିକୁ ଚଳଚଞ୍ଚଳ କରି ରଖିବ। ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ରାଜନୈତିକ ଚିତ୍ର ଓ ଚରିତ୍ର ବିଜେଡି ପାଇଁ ସମାନ ରହିବା ସମ୍ଭାବନା ରହିଛି। ଗତ ପଦ୍ମପୁର ଉପନିର୍ବାଚନରେ ସବୁ ନିର୍ବାଚନମଣ୍ଡଳୀର ବିଧାୟକମାନେ ଝାଳ ବୁହାଇଥିଲେ। ପଦ୍ମପୁର ବିଜୟ ପରେ ସମସ୍ତେ ନବୀନ ନିବାସ ଯାଇଥିଲେ। ସେଠାରୁ ଫେରିବା ପରେ ସମସ୍ତଙ୍କ ମୁହଁରେ ଚମକ ରହିଥିଲା। ‌ପର୍ଯ୍ୟବେକ୍ଷକ ମହଲର ଚର୍ଚ୍ଚା ଅନୁସାରେ, ଜିଲ୍ଲାର ୫ଟି ଯାକ ନିର୍ବାଚନମଣ୍ଡଳୀରେ ବିଜେଡିର ନେତୃତ୍ବ ସମାନ ରହିବ। ୨୦୨୩ ଶେଷ ଭାଗରେ ଯଦି ସଅଳ ନିର୍ବାଚନ ହୁଏ, ବିଜେଡି ବର୍ତମାନର ବିଧାୟକମାନଙ୍କୁ ହିଁ ଟିକଟ୍‌ ଦେବ। ପଦ୍ମପୁର ଉପନିର୍ବାଚନ ପାଇଁ ସାମାନ୍ୟ ଛକାପଞ୍ଝା ସ୍ଥିତି ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଆସନ ପାଇଁ ଟିକଟ୍‌ ଦୌଡ଼ରେ ଥିବା ମହେନ୍ଦ୍ର ବଢ଼େଇଙ୍କ ନାମ ଆଗାମୀ ନିର୍ବାଚନ ପାଇଁ ଶୁଣାଯାଉଥିଲା। ହେଲେ ମହେନ୍ଦ୍ରଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଦେଇ ବିଜେଡି ଏହି ଚର୍ଚ୍ଚାରେ ଗୋଟିଏ ପ୍ରକାରେ ବିରାମ ଦେଇଛି। ଏବେ କେବଳ ଜିଲ୍ଲା ସଭାପତି ବାଛିବା ଦଳ ପାଇଁ ଏକମାତ୍ର ପ୍ରକ୍ରିୟା ରହିଛି। ଜିଲ୍ଲାର ଦ୍ବିତୀୟ ସ୍ତରର ନେତାଙ୍କୁ ଏହି ଦାୟିତ୍ବ ଦେଇ ବିଜେଡି କାମ ସାରିଦେବ ବୋଲି କୁହାଯାଉଛି।

Advertisment

ବିଜେପୁର ଉପନିର୍ବାଚନରେ ଚମକପ୍ରଦ ପ୍ରଦର୍ଶନ ପରେ ସ୍ଥାନୀୟ ନେତାଙ୍କୁ ପଦପଦବିର ପୁରସ୍କାର ମିଳିଥିଲା। ପରେ ମନ୍ତ୍ରିମଣ୍ଡଳରୁ ସୁଶାନ୍ତ ସିଂ ଏବଂ ସ୍ନେହାଂଗିନୀ ଛୁରିଆ ବାଦ୍‌ ପଡ଼ିଥିଲେ। ଚର୍ଚ୍ଚା ଅନୁସାରେ ଯଦି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୁଏ, ଏହି ଦୁଇ ଜଣ ନିଶ୍ଚିତ ଭାବେ ଦାବିଦାର ରହିବେ। ନଚେତ୍‌ ଆଗାମୀ ନିର୍ବାଚନ ଫଳାଫଳ ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଦଳ ପାଇଁ କିନ୍ତୁ ଅଡ଼ୁଆ ହେଉଛି ଲୋକସଭା ଆସନ। ୨୦୧୯ରେ ହେଭି‌ୱେଟ୍‌ ନେତା ପ୍ରସନ୍ନ ଆଚାର୍ଯ୍ୟ ପରାସ୍ତ ହେବା ପରେ ଲୋକସଭା ଆସନ ପାଇଁ ଦଳର ରଣନୀତି କ'ଣ ହେବ, ତାହା ହିଁ ସବୁଠୁ ବଡ଼ ପ୍ରସଂଗ। ଶ୍ରୀ ଆଚାର୍ଯ୍ୟଙ୍କୁ ପୁନର୍ବାର ଦଳ ମଇଦାନରେ ଓହ୍ଲାଇବ ବୋଲି ଗୋଟିଏ ପକ୍ଷ କହୁଛନ୍ତି। ତେବେ ଆଉ କିଛି ସମୀକ୍ଷକଙ୍କ ମତ ଭିନ୍ନ ଧରଣର। ଗତ ପଦ୍ମପୁର ଉପନିର୍ବାଚନ ବେଳେ ମନ୍ତ୍ରୀ ନବ ଦାସ ଏବଂ ତାଙ୍କ ଝିଅ ଦୀପାଳିଙ୍କ ସକ୍ରିୟତା ଏକ ନୂଆ ସମୀକରଣ ସୃ‌ଷ୍ଟି କରିପାରେ ବୋଲି କୁହାଯାଉଛି। ଅର୍ଥାତ, ଶ୍ରୀ ଦାସ କାଳେ ଲୋକସଭା ଆସନ ପାଇଁ ଆଗ୍ରହୀ ଥିବା ନିକଟତମ ମହଲରେ ଚର୍ଚ୍ଚା ହେଉଛି। ତେବେ ଏନେଇ କିଛି ସ୍ପ‌ଷ୍ଟ ଇଂଗିତ ଆସୁନାହିଁ।

publive-image India Today

ଅନ୍ୟପକ୍ଷରେ ବିଜେପି ପାଇଁ ଆଗାମୀ ରଣନୀତି ଠଉରାଇ ହେଉନାହିଁ। ଦଳୀୟ ନେତାମାନେ ନିର୍ବାଚନ ପୂର୍ବରୁ ବୁଥ୍‌ୱାରୀ ଲୋକଙ୍କ ପାଖକୁ ପହଂଚିବା ଏବଂ ପୁରୁଣା ସଂଗଠନକୁ ମଜଭୁତ କରିବା ହିଁ ଲକ୍ଷ୍ୟ ରହିବ। ‌୨୦୧୯ରେ ଦଳ ସବୁ ନିର୍ବାଚନମଣ୍ଡଳୀରେ ପରାସ୍ତ ହୋଇଛି। କିନ୍ତୁ ଦଳ ପାଖରେ ନୂଆ ଚେହେରାର ବିକଳ୍ପ ନାହିଁ। ତେଣୁ ଆଗାମୀ ନିର୍ବାଚନରେ ସେହି ପୁରୁଣା ମୁହଁଙ୍କୁ ପୁଣି ମଇଦାନରେ ଦେଖିବାକୁ ମିଳିବ। ଲୋକସଭା ଆସନ ପାଇଁ ସାଂସଦ ସୁରେଶ ପୂଜାରୀ ପୁଣି ଟିକଟ୍‌ ଦାବିଦାର ରହିବେ।

କଂଗ୍ରେସ ପାଇଁ ୨୦୨୩ ସବୁଠୁ ଗୁରୁତ୍ବପୂର୍ଣ୍ଣ ବର୍ଷ ରହିବ। କାରଣ ନିର୍ବାଚନ ପରିସଂଖ୍ୟାନ ଦେଖିଲେ ଦଳ ବର୍ତମାନ ସବୁଠୁ କଠିନ ସମୟ ଦେଇ ଗତି କରୁଛି।  ହାତଗଣତି ନେତାଙ୍କୁ ବାଦ୍‌ ଦେଲେ ଦଳ ସଜାଡ଼ିବାକୁ କେହି ପାଦ କାଢ଼ୁ ନାହାନ୍ତି। ପଦ୍ମପୁର ଉପନିର୍ବାଚନରେ ଦଳ ସେଠାରେ ନିଶ୍ଚିହ୍ନ ହେଲା ଭଳି ଫଳାଫଳ ପାଇଥିଲା। ବରଗଡ଼ ଏବଂ ଅତାବିରା ନିର୍ବାଚନମଣ୍ଡଳୀକୁ ବାଦ୍‌ ଦେଲେ ଦଳ ଅନ୍ୟ କେଉଁଠି ସକ୍ରିୟ ଥିଲା ଭଳି ମନେ ହେଉନାହିଁ। ତେଣୁ ଦଳ ପାଇଁ ସବୁ ନିର୍ବାଚନମଣ୍ଡଳୀରେ ଖୋଲା ପ୍ରୟୋଗ କରିବା ପାଇଁ ବାଟ ଖୋଲା ରହିଛି। ଏଥିସକାଶେ ଦଳ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତିରେ ଲାଗି ପଡ଼ିଛି।