ରୋଗ ପୋକରେ ୧ଲକ୍ଷ ୭୮ ହଜାର ୯୩୨ ହେକ୍ଟର ଜମି ପ୍ରଭାବିତ: ରିପୋର୍ଟ

ବରଗଡ଼ରେ ସର୍ବାଧିକ ୪୩ ହଜାର ୩୭ ହେକ୍ଟର ଜମି ପ୍ରଭାବିତ

ଭୁବନେଶ୍ୱର: ରୋଗ ପୋକ ଯୋଗୁଁ ଧାନ ଫସଲ ନଷ୍ଟ ଉପରେ ହୋଇଥିବା ସମୀକ୍ଷା ଅନୁସାରେ ବରଗଡ଼ରେ ସର୍ବାଧିକ ୪୩ ହଜାର ୩୭ ହେକ୍ଟର ଜମି ପ୍ରଭାବିତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ରିପୋର୍ଟ ପ୍ରକାଶ ପାଇଛି। କଳାହାଣ୍ଡିର ୧୨ ଓ ବରଗଡ଼ର ୧୧ଟି ବ୍ଲକରେ ଚାଷ ପ୍ରଭାବିତ ହୋଇଛି। ସେହିପରି କୋରପୁଟ ଓ ବଲାଙ୍ଗୀର ଜିଲ୍ଲାର ୧୪ଟି ଲେଖାଏଁ ବ୍ଲକରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୦ଟି ବ୍ଲକ ପ୍ରଭାବିତ ହୋଇଛି। ରୋଗ ପୋକରେ ୧ଲକ୍ଷ ୭୮ ହଜାର ୯୩୨ ହେକ୍ଟର ଜମି ପ୍ରଭାବିତ ହୋଇଛି। ଗଞ୍ଜାମ, କୋରାପୁଟ ଓ ଭଦ୍ରକ, ବରଗଡ଼, ସମ୍ବଲପୁର, ନୂଆଁପଡ଼ା, ସମ୍ବଲପୁର, ବଲାଙ୍ଗୀର ଆଦି ମୋଟ ୯ଟି ଜିଲ୍ଲାର ୯୨ଟି ବ୍ଲକ ଓ ୭୧ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି।

ବିଗତ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନେ ସେମାନଙ୍କ ଧାନ କ୍ଷେତରେ ନିଆଁ ଲଗାଇବା ଓ ବରଗଡ଼ ଜିଲ୍ଲା ଚାଷୀ ବୃନ୍ଦାବନ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ସଚିବାଳୟରେ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ରବିବାର ଏକ ବୈଠକର ଆୟୋଜିତ ହୋଇଥିଲା। ବୈଠକରେ ଫସଲ ହାନୀ ଓ ଚକଡ଼ା ପୋକ ନେଇ ବିସୃତ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।

ଚାଷୀ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ଦାୟୀ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ସବସିଡି ଜରିଆରେ ଭେଜାଲ ଔଷଧ ଚାଷୀମାନଙ୍କୁ ଦେଉଛନ୍ତି। ସେଥିପାଇଁ ଏଥିରୁ ଚାଷୀମାନଙ୍କର ଉପକାର ହେଉ ନାହିଁ।

ବୈଠକ ପରେ ଉନ୍ନୟନ କମିସନର ସୂଚନା ଦେଇଛନ୍ତି ଯେ, ଚାଷୀମାନେ ଭୟଭୀତ ହୁଅନ୍ତୁ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଭଳି ସହାୟତା ମିଳିବ। ସରକାର ରୋଗପୋକ ସମସ୍ୟାକୁ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ଜିଲ୍ଳାପାଳମାନେ ମନିଟରିଂ କରିବେ। ସେ କହିଛନ୍ତି, ସନ୍ଧ୍ୟା ସୁଦ୍ଧା ନୋଡ଼ାଲ ଅଫିସରମାନଙ୍କୁ ନିଯୁକ୍ତି କରାଯିବ। କୀଟନାଶକର ବ୍ୟବହାର ପରାମର୍ଶ ଦେବେ ବୈଷୟିକ ଟିମ୍‌। କୃଷି ଓ ରାଜସ୍ୱ ଅଧିକାରୀ ମିଳିତ ଭାବେ ତଦନ୍ତ କରିବେ। ତଦନ୍ତ ରିପୋର୍ଟ ପରେ ସହାୟତା ରାଶି ଦିଆଯିବ ବୋଲି କମିସନର କହିଛନ୍ତି। ରିଲିଫ କୋର୍ଡ ଅନୁଯାୟୀ ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂର୍ଣ୍ଣ ରାଶି ବି ମିଳିବ। ସମ୍ବଲପୁରରେ ନକଲି କୀଟନାଶକ ବିକୁ ଥିବାରୁ ଜଣେ ଦୋକାନୀର ଲାଇସେନ୍ସ ରଦ୍ଦ ହୋଇଛି।

 

ସମ୍ବନ୍ଧିତ ଖବର