ଘାଇଲା କରୁଛି ବରଗଡ଼ ‌ଲୋକସଭା ଆସନ

ବରଗଡ଼,(ଅଞ୍ଜନ ପ୍ରଧାନ): ବରଗଡ଼ ‌ଲୋକସଭା ଆସନ ଚିନ୍ତା ଆଶାୟୀଙ୍କୁ ଘାଇଲା କରି ଦେଲାଣି। ଏଠାରେ ରାଜନୈତିକ ସମୀକରଣ କ’ଣ ରହିବ, ତାହା ଏବେଠାରୁ ହିସାବ ଲଗାଇବା ମୁସ୍କିଲ। କୌଣସି ଦଳରେ ଟିକେଟ୍‌ ସ୍ଥିତି ସ୍ପଷ୍ଟ ନୁହେଁ। ସାଂସଦ ଡ. ପ୍ରଭାସ ସିଂହ ପୁଣିଥରେ ଟିକେଟ୍ ହାତେଇବାକୁ ରାଜଧାନୀରେ କସରତ କରୁଛନ୍ତି। କେତେବେଳେ ପୁଣି ମନ୍ତ୍ରୀ ସ୍ନେହାଂଗିନୀଙ୍କୁ ମହିଳା କୋଟାରେ ବିଜେଡି ଟିକେଟ୍‌ ଧରାଇବ ବୋଲି ଚର୍ଚ୍ଚା ମୁଣ୍ଡ ଟେକୁଛି। ବିଧାନସଭା ତୁଳନାରେ ଲୋକସଭା ଟିକେଟ୍‌ ସ୍ଥିତିକୁ ଗୋଳମାଳିଆ କରି ଦେଇଛି।

ବରଗଡ଼ ଜିଲ୍ଲାର ୫ଟି ଏବଂ ଝାରସୁଗୁଡ଼ା ଜିଲ୍ଲାର ଉଭୟ ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଲୋକସଭା ଆସନ ତିଆରି ହୋଇଛି। ଗତଥର ଡ. ପ୍ରଭାସ ସିଂହ ୩,୮୩,୨୩୦ ଭୋଟ୍‌ ପାଇଁ ବିଜେପି ପ୍ରାର୍ଥୀ ସୁବାଷ ଚୌହାନଙ୍କୁ ୧୧,୧୭୮ଟି ଭୋଟ୍‌ରେ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ସଂଜୟ ଭୋଇ ୨,୭୪,୬୧୦ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଜାନୁଆରି ୨୪ ତାରିଖ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ଲୋକସଭା ଆସନର ସମୀକରଣ ଓଲଟପାଲଟ ହୋଇଯାଇଛି। କାରଣ ପୂର୍ବରୁ କଂଗ୍ରେସର ସାଂସଦ ପ୍ରାର୍ଥୀଙ୍କ ପାଇଁ ନବ ହିଁ ଉଭୟ ଝାରସୁଗୁଡ଼ା ଏବଂ ବ୍ରଜରାଜନଗରରେ ‌େକ୍ଷତ୍ର ପ୍ରସ୍ତୁତ କରୁଥିଲେ। ତେଣୁ କଂଗ୍ରେସ ଏଠାରେ କିଭଳି ସଂଗଠନ ସଜାଡ଼ିବ, ତାହା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ।

ପୂର୍ବତନ ସାଂସଦ ସଂଜୟଙ୍କ ବ୍ୟତୀତ କଂଗ୍ରେସ ଶିବିରରେ ଲମ୍ବା ଆଶାୟୀଙ୍କ ତାଲିକା ରହିଛି। ବିଜେପି ପାଇଁ ମଧ୍ୟ ସମାନ ସମସ୍ୟା। ସୁବାଷ ଚୌହାନ ଟିକେଟ୍‌ ପାଇଁ ଜୋରଦାର୍ ପ୍ରୟାସ ଚଳାଇଥିବାବେଳେ ନୂଆ କରି ଦଳରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. କୃପାସିନ୍ଧୁ ଭୋଇଙ୍କ ଭ‌ାଇ ଜଗବନ୍ଧୁ ଭୋଇ ମଧ୍ୟ ଆଶାରେ ଅଛନ୍ତି। ଏହାବାଦ୍‌ କିଛି ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା ବି ଟି‌କେଟ୍ ରେସ୍‌ରେ ଅଛନ୍ତି। ତେଣୁ ‌ସବୁ ଦଳରେ ପ୍ରାର୍ଥୀ ଚୟନ ହିଁ ପ୍ରମୁଖ ସମସ୍ୟା।

ଅନ୍ୟ ଏକ ରୋଚକ ତଥ୍ୟ ହେଲା, ଗତଥର କଂଗ୍ରେସ ଝାରସୁଗୁଡ଼ା ଓ ବିଜେପୁର ବିଧାନସଭା ଆସନ ହାତେଇବା ସହ ଉଭୟ ଠାରେ ସାଂସଦ ପ୍ରାର୍ଥୀ ସଂଜୟ ଭୋଇ ଭଲ ଭୋଟ୍‌ ପାଇଥିଲେ। କିନ୍ତୁ ଏବେ ସ୍ଥିତିରେ ପରିବର୍ତନ ଆସିଛି। ବିଜେପୁରରେ ସୁବଳ ସାହୁଙ୍କ ପରଲୋକ ପରେ ପତ୍ନୀ ରୀତା ସାହୁ ବିଜେଡିରେ ମିଶି ଉପନିର୍ବାଚନ ଜିଣି ସାରିଛନ୍ତି। ସେହିପରି ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟ୍‌ରୁ ବିଜୟୀ ହୋଇଥିବା ନବ ଦାସ ଏବେ ବିଜେଡି ଶିବିରରେ। ତେଣୁ ୭ଟି ବିଧାନସଭା ଆସନରୁ ଏବେ ୫ଟି ବିଜେଡି ଦଖଲକୁ ଆସିଛି। କେବଳ ପଦ୍ମପୁର ଏବଂ ବ୍ରଜରାଜନଗରେ ବିଜେପି ବିଧାୟକ ଅଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ଡ. ପ୍ରଭାସ ସିଂହ    ୩,୮୩,୨୩୦
ବିଜେପି     ସୁବାଷ ‌ଚୌହାନ    ୩,୭୨,୦୫୨
କଂଗ୍ରେସ    ସଂଜୟ ଭୋଇ      ୨,୭୪,୬୧୦

ସମ୍ବନ୍ଧିତ ଖବର