ଚର୍ଚ୍ଚାରେ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ: ପଦରେ ଥାଇ ପ୍ରାଣ ହରାଇଛନ୍ତି ଅନେକ ନେତା

ବରଗଡ଼: ଓଡ଼ିଶା ରାଜନୀତି କଥା ଉଠିଲେ, ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ କଥା ନିଶ୍ଚିତ ଭାବେ ଚର୍ଚ୍ଚାକୁ ଆସିଥାଏ। ଏଠାରୁ ରାଜ୍ୟ ରାଜନୀତିରେ ଶକ୍ତିଶାଳୀ ଏବଂ ଚର୍ଚ୍ଚିତ ନେତା ପ୍ରତିନିଧିତ୍ବ କରିଛନ୍ତି। ଗୁଡ଼ାଏ ନେତା ‘ୱାନ୍‌ ମେନ୍‌ ସୋ’ ଭାବେ ବି ପରିଗଣିତ ହୋଇଥାନ୍ତି। ଗଣମାଧ୍ୟମ ହେଉ କି ରାଜନୀତିର ପଶାଖେଳ, ଏହି ନେତାଙ୍କ ଦବ୍‌ଦବା ସାରା ଓଡ଼ିଶା ଦେଖିଛି। ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ଏହି ତାଲିକାରେ ଥିବା ହାତଗଣତି ନେତାଙ୍କ ମଧ୍ୟରୁ ନବ ଦାସ ଥିଲେ ଆଗରେ। ଗତ ୫ବର୍ଷ ମଧ୍ୟରେ ଏହି ଲୋକସଭା ନିର୍ବାଚନମଣ୍ଡଳୀ ତୁଙ୍ଗ ନେତାଙ୍କୁ ସେମାନଙ୍କ ରାଜନୀତି କ୍ୟାରିଅର୍‌ର ଶୀର୍ଷରେ ଥିବା ବେଳେ ହରାଇଛି। ଏହି ଅବଧି ମଧ୍ୟରେ ସୁବଳ ସାହୁ, ସୁବାସ ଚୌହାନ, କିଶୋର ମହାନ୍ତି, ବିଜୟ ରଂଜନ ସିଂ ବରିହା ଏବଂ ନବ ଦାସଙ୍କ ନିଜ ନିଜ ଶୀର୍ଷ ପଦରେ ଥିବା ବେଳେ ଅକାଳ ବିୟୋଗ ଘଟିଛି।

୨୦୧୭ ଅଗଷ୍ଟ ୨୨ ତାରିଖ ବିଜେପୁରର ବିଧାୟକ ସୁବଳ ସାହୁ(୫୭)ଙ୍କ ପରଲୋକ ଘଟିଥିଲା। ଏହା ପୂର୍ବରୁ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ସେ ବଂଚିଥିବାବେଳେ ବିଧାନସଭା ନିର୍ବାଚନରେ ବିଜେଡି ହାଵା ଏବ˚ ପଞ୍ଚାୟତ ନିର୍ବାଚନରେ ବିଜେପି ହାଵା, କିଛି ବି ଏହି ଗଡ଼କୁ ଭେଦ କରି ପାରିନଥିଲା। ୧୯୬୧ରୁ ୨୦୧୪ ମସିହା ଯାଏ ବିଜେପୁରରେ ୧୩ଟି ବିଧାନସଭା ନିର୍ବାଚନରେ କ˚ଗ୍ରେସ ୮ ଏବ˚ ଅଣକ˚ଗ୍ରେସ ଦଳ ୭ଥର ବିଜୟ ସ୍ବାଦ ଚାଖିଥିଲେ। ୧୯୮୫ ପରଠାରୁ ୨୦୦୦ ମସିହା ନିର୍ବାଚନ ପର୍ଯ୍ୟନ୍ତ କ˚ଗ୍ରେସ ପରାଜୟ ଭୋଗିଥିଲା। ଏହି ସମୟରେ କ˚ଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ସୁବଳ ସାହୁ ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରିଦେଲେ। କ୍ରମାଗତ ୩ଥର ନିଜ ନେତୃତ୍ବରେ ବିଜେପୁର ଆସନକୁ କ˚ଗ୍ରେସ ଦଖଲରେ ରଖିଥିଲେ।

୨୦୨୦ ମସିହା ମେ’ ୧୦ ତାରିଖ ସୁବାସ ଚୌହାନ(୫୪)ଙ୍କ ବିୟୋଗ ଆଉ ଏକ ଦୁଃଖଦ ଘଟଣା ଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଥାଇ ତାଙ୍କ ଅଚାନକ ବିୟୋଗ ଚକିତ କଲା ଭଳି ଥିଲା। ୨୦୧୯ ସେପ୍ଟେମ୍ବର ମାସରେ ସ୍ବର୍ଗତ ଚୌହାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ କାର୍ଯ୍ୟ ଆରମ୍ଭ କଲେ। କିନ୍ତୁ ସଂକ୍ଷିପ୍ତ କାର୍ଯ୍ୟକାଳ ଭିତରେ ତାଙ୍କ ପରଲୋକ ଘଟିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଚୌହାନ ବରଗଡ଼ ଲୋକସଭା ଆସନ ପାଇଁ ବିଜେପିରୁ ଟିକଟ୍‌ ଦାବିଦାର ଥିଲେ। ୨୦୧୪ ନିର୍ବାଚନରେ ଅଳ୍ପକେ ପରାଜୟ ଭୋଗିଥିଲେ। ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାରୁ ତାଙ୍କ ନାମ ଆଶ୍ଚର୍ଯ୍ୟଜନକ ଭାବେ ବାଦ୍‌ ପଡ଼ିଥିଲା। ମୂଳରୁ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ଥିବା ସ୍ବର୍ଗତ ଚୌହାନ ବିଜେଡିରେ ସାମିଲ ହୋଇଥିଲେ।  ଦ୍ବିତୀୟ ବାର୍‌ ବିଜେପୁର ଉପନିର୍ବାଚନ ପାଇଁ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ତାଙ୍କୁ ଦଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବି ଦେଇଥିଲା।

୨୦୨୧ ମସିହା ଡିସେମ୍ବର ୩୦ରେ ପଶ୍ଚିମ ଓଡ଼ିଶା ଜଣେ ବଳିଷ୍ଠ ନେତା ଭାବେ କିଶୋର ମହାନ୍ତିଙ୍କୁ ହରାଇଥିଲା। ହୃଦ୍‌ଘାତରେ ମାତ୍ର ୬୩ ବର୍ଷରେ ତାଙ୍କ ଅକାଳ ବିୟୋଗ ଘଟିଥିଲା। ତିନିଥର ଝାରସୁଗୁଡ଼ା ଏବଂ ଥରେ ବ୍ରଜରାଜନଗର ବିଧାନସଭା ଆସନରୁ ବିଜୟୀ ହୋଇ ସେ ନିଜକୁ ଆଗଧାଡ଼ିର ରାଜନେତା ଭାବେ ପ୍ରତିଷ୍ଠିତ କରିଥିଲେ। ବିଧାନସଭାରେ ବାଚସ୍ପତି, ସରକାରୀ ଦଳର ମୁଖ୍ୟ ଉପସଚେତକ ଭାବେ ଓଡ଼ିଶା ତାଙ୍କର ଦକ୍ଷତା ଦେଖିଛି। ରାଜ୍ୟସଭାରେ ବି ସେ ସାଂସଦ ଭାବେ ମନୋନୀତ ହେବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। କିନ୍ତୁ ତାଙ୍କର ଅକାଳ ବିୟୋଗ ଦଳ ପାଇଁ ଏକ ବଡ଼ ଝଟ୍‌କା ଥିଲା।
ଗତବର୍ଷ ଅକ୍ଟୋବର ୩ ତାରିଖ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ୬୪ ବର୍ଷ ବୟସରେ ପରଲୋକ ଘଟିଥିଲା। ଏହା ପୂର୍ବରୁ କିଛି ଦିନ  ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତିସମ୍ବେଦନଶୀଳ ରହିଥିଲା। ସକ୍ରିୟ ରାଜନୀତିରେ ଯୋଗ ଦେଇ ୧୯୯୦, ୧୯୯୫, ୨୦୦୦, ୨୦୦୯ ଏବଂ ୨୦୧୯ ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ପ୍ରଥମ ଦୁଇଥର ସେ ଜନତା ଦଳ ଏବଂ ପରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୦୯ ମସିହାରେ ସେ ଆଦିବାସୀ ହରିଜନ ଉନ୍ନୟନ ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। କ୍ରମାଗତ ଦୁଇ ଥର ସେ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ତୁଲାଇଥିଲେ। ୨୦୧୯ ନିର୍ବାଚନ ପରେ ସେ ସ୍ବାସ୍ଥ୍ୟଗତ ସମସ୍ୟାର ଶିକାର ହୋଇଥିଲେ।

ସଦ୍ୟ ଭାବେ ଗତ ୨୯ ତାରିଖର ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କଲା, ଯେତେବେଳେ ହେଭିୱେଟ୍‌ ନେତା ନବ ଦାସ ପୁଲିସ୍‌ ଏଏସ୍‌ଆଇଙ୍କ ଗୁଳିମାଡ଼ରେ ଟଳି ପଡ଼ିଲେ। ଓଡ଼ିଶା ରାଜନୀତି ଇତିହାସରେ ସେ ଏକ ବିରଳ ବ୍ୟକ୍ତିତ୍ବ ଭାବେ ପରିଗଣିତ ରହିବେ। ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଦୟନୀୟ ଥିବାବେଳେ ସ୍ବର୍ଗତ ଦାସ ‘ଝଡ଼ର ଇଗଲ୍‌’ ଭାବେ ନିଜ ଆସନକୁ ସୁରକ୍ଷିତ ରଖିଥିଲେ। ୨୦୧୯ ନିର୍ବାଚନ ଠିକ୍ ପୂର୍ବରୁ ବିଜେଡିରେ ସାମିଲ ବିଜୟୀ ହେବା ସହ  ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧିତ ଖବର