ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଅସ୍ତ୍ରୋପଚାର ସମୟରେ ଯନ୍ତ୍ରପାତି ଅଚଳ ହେବାରୁ ରୋଗୀ ହଇରାଣ ହରକତ ହୋଇଛନ୍ତି। ସୂଚନା ଅନୁସାରେ, ବୁଧବାର ମୁଖ୍ୟ ଚିକିତ୍ସାଳୟରେ ଥିବା ଜନନୀ ଓ ଶିଶୁ ଚିକିତ୍ସାଳୟକୁ ବିଭିନ୍ନ ବ୍ଲକ୍ରୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ପ୍ରାୟ ୩୦ ଜଣ ମହିଳା ଆସିଥିଲେ। ଡାକ୍ତର ପହଞ୍ଚି ସମସ୍ତଙ୍କୁ ନିଶ୍ଚେତକ ଦେଇଥିଲେ। ଅପରେସନ୍ ଆରମ୍ଭ ହୋଇଥିଲା। ହେଲେ ତିନିଜଣଙ୍କର ଅସ୍ତ୍ରୋପଚାର ପରେ ଅଚଳ ହୋଇ ଯାଇଥିଲା ମେସିନ୍। ଏହାପରେ ଡାକ୍ତର ତରବରିଆ ଭାବେ ଡାକ୍ତରଖାନାରୁ ଚାଲି ଯାଇଥିଲେ। ରୋଗୀଙ୍କ ସଂପର୍କୀୟଙ୍କ କହିବାନୁସାରେ, ଡାକ୍ତର ଅନ୍ୟତ୍ର ନେଇଯିବାକୁ କହିଥିଲେ। ନ ହେଲେ ଅନ୍ୟ ଦିନ ଆଣିବାକୁ ପରାମର୍ଶ ଦେଇଥିଲେ।
ଏପଟେ ନିଶ୍ଚେତକ ଦେଇଥିବା କାରଣରୁ ମହିଳାମାନେ ଅଚେତ ଅବସ୍ଥାରେ ଶଯ୍ୟାରେ ଶୋଇ ରହିଥିବା ଦେଖାଯାଇଥିଲା। ଅସ୍ତ୍ରୋପଚାର ପାଇଁ ଆସିଥିବା ମହିଳାଙ୍କ ମଧ୍ୟରେ ବରପାଲି କାଇଁଶିରରୁ ୫ ଜଣ, ବାରଙ୍ଗପାଲିରୁ ୩ ଜଣ, ବାଗବାଡ଼ିରୁ ୩ ଜଣ, ବରଗଡ଼ ବ୍ଲକ୍ ଧମନାମୁଣ୍ଡାରୁ ଜଣେ, ମହଦା ଓ ଭଟଲିରୁ ଜଣେ ଲେଖାଏଁ ମହିଳା ଆସିଥିଲେ। ଆଜିର ଘଟଣାକୁ ନେଇ ରୋଗୀଙ୍କ ସଂପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ ଏଡିଏମ୍ଓ ଡା. ସୁରେଶ ତ୍ରିପାଠୀଙ୍କୁ ପଚରାଯିବାରୁ ମେସିନ୍ ଅଚଳ ହୋଇଯିବା କଥାକୁ ସ୍ବୀକାର କରିଥିଲେ। ତେବେ ଆଉ ଏକ ମେସିନ୍ ଅଣାଯାଇ ସମସ୍ତଙ୍କର ଅପରେସନ୍ କରାଯାଇଛି ବୋଲି ଡା. ତ୍ରିପାଠୀ କହିଥିଲେ।