ସମ୍ବଲପୁର:ପ୍ରତ୍ୟେକ ଅପରାଧର ତଦନ୍ତ ଗୋଟିଏ ସିଦ୍ଧାନ୍ତ ଉପରେ ଆଧାରିତ ହୋଇଥାଏ। ଉକ୍ତ ସିଦ୍ଧାନ୍ତ ଅପରାଧୀର ମନୋଭାବ ବା ଚିନ୍ତାଧାରା ନିର୍ଣ୍ଣୟ କରିଥାଏ। ଅପରାଧୀ ମନୋଭାବର ଅଧିକ ତର୍ଜମା ଦ୍ବାରା ଅପରାଧର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥାଏ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଏକ ବିବୃତିରେ କହିଛନ୍ତି। ଜଣେ ଖ୍ୟାତିସମ୍ପନ୍ନ ଆଇନ୍ଜୀବୀ ଭାବେ ଜଣାଶୁଣା ଶ୍ରୀ ପୂଜାରୀ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମରେ ୬ଟି ପ୍ରଶ୍ନ ପଚାରିଛନ୍ତି। ସେଗୁଡ଼ିକ ହେଲା ମମିତା ମେହେର ଅପହରଣ ଓ ହତ୍ୟା ପଛରେ ଅପରାଧୀର ଚିନ୍ତାଧାରା ଓ ଉଦ୍ଦେଶ୍ୟ କଣ ସେ ସଂପର୍କରେ ଗୃହ ବିଭାଗ ରାଜ୍ୟବାସୀଙ୍କୁ ଜଣାଇବେ କି?
ମମିତା ଯେ କି ସ୍କୁଲରେ ଚାଲିଥିବା କାରନାମା ଓ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତିକୁ ପ୍ରଘଟ କରିବାକୁ ଯାଉଥିଲେ, ତାଙ୍କ ମୁହଁ ବନ୍ଦ କରି ଦେବା ପାଇଁ ହତ୍ୟା କରାଯାଇଛି କି? ଏହି ପ୍ରଭାବଶାଳୀ ଲୋକ କିଏ ଯିଏ ଏହି ସବୁ ନାଟକର ପର୍ଦ୍ଦା ପଛରେ ରହିଛି? ବିନା ସରକାରୀ ଗସ୍ତସୂଚୀରେ ସ୍କୁଲ୍କୁ ଯାଇଥିବା ଏହି ପ୍ରଭାବଶାଳୀ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଟେଲିଫୋନ୍ ଟ୍ରାକ୍ କରିବା ତଥା କଲ୍ ରେକର୍ଡ ଯାଞ୍ଚ କରିବାର ସତ୍ସାହସ ତଦନ୍ତକାରୀ ସଂସ୍ଥାର ଅଛି କି? ସ୍କୁଲକୁ ସେମାନଙ୍କ ଗସ୍ତ ପଛରେ ଉଦ୍ଦେଶ୍ୟ କଣ ଥିଲା ତାହା ରାଜ୍ୟ ପୁଲିସ୍ ତଦନ୍ତ କରିବ କି ତଥା ସେମାନଙ୍କ ଫୋନ୍ କଲ୍ ବିବରଣୀ ତାରିଖ ଓ ସମୟ ସହ ପ୍ରଘଟ କରିବ କି?
କେବଳ ପର୍ଦ୍ଦା ସାମ୍ନାରେ ରହି ଅପରାଧ ଘଟାଇଥିବା ବ୍ୟକ୍ତି ନୁହେଁ, ପର୍ଦ୍ଦା ପଛରେ ଥାଇ ଅପରାଧର ନିର୍ଦ୍ଦେଶନା ଦେଇଥିବା ସେହି ବ୍ୟକ୍ତି ଯେଉଁମାନେ ଆପାତତଃ ଏହି ଷଡ଼ଯନ୍ତ୍ର କରି ଓ ଚତୁରତାର ସହ ଅପରାଧ ଘଟାଇ ମମିତା ଦ୍ବାରା ନିଜ କାରନାମା ପ୍ରଘଟ ହେବାରୁ ରକ୍ଷା ପାଇଛନ୍ତି, ସେମାନଙ୍କ ସଂପର୍କରେ ବି ତଦନ୍ତ କରି ସତ ସାମ୍ନାକୁ ଆଣିବା ପାଇଁ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବେ କି ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି। ପ୍ରତିଦିନ ପୁଲିସ୍ ଦ୍ବାରା ନିଆ ଯାଉଥିବା ପଦକ୍ଷେପ ଗୁଡ଼ିକ ଉତ୍ତର ବଦଳରେ ନୂଆ ନୂଆ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ଶ୍ରୀ ପୂଜାରୀ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/suresh-pujari1.jpg)