ଖୋଲିଲା ବରଗଡ଼ ବିଜ୍ଞାନ କେନ୍ଦ୍ର

ବରଗଡ଼ : ୨୦୧୮ ମସିହାରେ ବରଗଡ଼ ସହର ଉପକଣ୍ଠସ୍ଥ ଆଂଚଳିକ ବିଜ୍ଞାନ କେନ୍ଦ୍ର ଏବଂ ସାଇନ୍‌ସ ପାର୍କ ପ୍ରସ୍ତୁତ ହୋଇ ସାରିଥିଲା। ୫ ଏକର ଜମିରେ ଏହି ଭବ୍ୟ କୋଠା ଏବଂ ଉଦ୍ୟାନ ଛିଡ଼ା ହୋଇଛି। ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ମ୍ୟୁଜିୟମ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଭାରତ ସରକାରଙ୍କ ମିଳିତ ସହଯୋଗରେ ଏହାର ନିର୍ମାଣ ହୋଇଛି। ୫ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି କେନ୍ଦ୍ର ଭିତରେ ଗୋଟିଏ ସାଇନ୍ସ ପାର୍କ, ଅଡିଟୋରିୟମ, ଥିମାଟିକ ଗ୍ୟାଲେରି, ଥ୍ରୀ-ଡି ଥିଏଟର, ପ୍ଲାନେଟାରିୟମ ରହିଛି। ପ୍ଲାନେଟାରିୟମରେ ତାରାମଣ୍ଡଳ, ସାଇନ୍ସ ସୋ, ଥ୍ରି-ଡି ସୋ’ ପ୍ରଦର୍ଶନର ବ୍ୟବସ୍ଥା ରହିଛି। ସେହିଭଳି ମିରର୍‌ ଗେଲେରି ଓ ଫନ୍‌ ସାଇନ୍ସ ଗେଲେରି ବ୍ୟବସ୍ଥା ଅଛି।

ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କଠାରୁ କେନ୍ଦ୍ରର ଦାୟିତ୍ବ ନନେବାରୁ ଏଠାରେ ତାଲା ଝୁଲୁଥିଲା। ଗତବର୍ଷ ଜାନୁଆରି ୨୧ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। କିନ୍ତୁ କରୋନା ମହାମାରୀ କାରଣରୁ କେନ୍ଦ୍ର ପୁଣି ବନ୍ଦ ରହିଲା। ଏବେ ଗତକାଲିଠାରେ କେନ୍ଦ୍ର ଖୋଲିଛି। ପିଲାଙ୍କ ମନରେ କେନ୍ଦ୍ର ବୁଲି ବେଶ୍‌ ଆଗ୍ରହ ପରିଲକ୍ଷିତ ହେଉଛି। କିନ୍ତୁ ଟିକଟ୍‌ରେ ଥିବା ଫରକ୍‌କୁ ନେଇ ଛାତ୍ରଛାତ୍ରୀ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରବେଶିକା ଫି’ ବାବଦକୁ ସାଧାରଣ ଦର୍ଶକଙ୍କ ପାଇଁ ୧୫ଟଙ୍କା ରହିଛି। ୧୫ଜଣିଆ ଦଳରେ ଯାଉଥିବା ସରକାରୀ ସ୍କୁଲର ପିଲାଙ୍କ ପାଇଁ ଜଣପିଛା ୫ଟଙ୍କା ଫି’ ରହିଛି। କିନ୍ତୁ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦର ୧୦ଟଙ୍କା ରହିଛି। ଥ୍ରି-ଡି ସୋ’ରେ ମଧ୍ୟ ସମାନ ଫି’ ସୂଚୀ ରହିଛି। ବିଜ୍ଞାନ ବିଷୟରେ ଜାଣିବାକୁ ଏଭଳି ପାତରଅନ୍ତର କାହିଁକି କରାଯାଉଛି ବୋଲି ବୁଦ୍ଧିଜୀବୀ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଘରୋଇ ଏବଂ ସରକାରୀ ସ୍କୁଲ ପିଲାଙ୍କ ପାଇଁ ସମାନ ଫି’ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର