୫୯ ମାସର ଦରମା ଦାବି କଲେ ବରଗଡ଼ ଚିନିକଳ କର୍ମଚାରୀ

ବରଗଡ଼ : ବରଗଡ଼ ସମବାୟ ଚିନି କଳ ସଂଘ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭୁବନେଶ୍ବରଠାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭେଟି କର୍ମଚାରୀଙ୍କ ୫୯ ମାସ  ବକେୟା ଦରମା ପୈଠ ପାଇଁ ଦାବି ରଖିଛନ୍ତି। ୧୨ ଜଣ କର୍ମଚାରୀ ତାଙ୍କ ପ୍ରାପ୍ୟ ନ ପାଇ ମୃତ୍ୟୁ ବରଣ କରିଥିବା ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କୁ ଅବଗତ କରାଯାଇଛି।

କାନପୁରର ଜାତୀୟ ଚିନି ପ୍ରତିଷ୍ଠାନର ବୈଷୟିକ ଟିମ୍‌ ବରଗଡ଼ ଚିନି କଳକୁ ଆସି ଏଠାରେ ଇଥାନଲ୍‌ କାରଖାନା ବସାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଚିନି କଳର ପୁନରୁଦ୍ଧାର ପାଇଁ  ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହାପରେ ପୁଣି ଏକ ଉଚ୍ଚସ୍ତରୀୟ ଟିମ୍‌ ଏଠାକୁ ଆସିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କେଉଁ କାରଣରୁ ଏହି ଟିମ ଆସୁନଥିବା ପ୍ରତିନିଧି ଦଳ ପ୍ରଶ୍ନ କରିଥିଲା। ଜିଲ୍ଲାପାଳ କର୍ମଚାରୀଙ୍କ ପ୍ରାପ୍ୟ ବାବଦକୁ ୨୩.୩୫ କୋଟି ଟଙ୍କା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସରକାର ଏନେଇ ଶୀଘ୍ର ବିଚାର କରିବେ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ସମୟରେ ଚିନି କଳ ସଂଘ ସଂପାଦକ ସୁବ୍ରତ ସାହୁଙ୍କ ସମେତ ଅନ୍ୟ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର