ବଦଳିଲା ବରଗଡ଼ର ରାଜନୀତି ଚିତ୍ର, ରୀତାଙ୍କୁ ମନ୍ତ୍ରୀ ପଦ ନେଇ ନାନା ପ୍ରଶ୍ନ

ବରଗଡ଼: ଦଳୀୟ ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ବଦଳରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ। ଭିତିରିଆ ସମର୍ଥନ କରି ତାଙ୍କୁ ଜିତାଇଲେ। ଦଳ ନିଜ ପ୍ରାର୍ଥୀଙ୍କ ପରାଜୟର କାରଣ ଖୋଜୁଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟୋତ୍ସବରେ ସାମିଲ ହେଲେ। କେବଳ ସେତିକି ନୁହଁ; ଦୁଇଜଣ ମନ୍ତ୍ରୀ ପ୍ରଚାରକୁ ଆସିଥିବା ବେଳେ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ବି ଆସିଲେନି। ଦଳୀୟ ଏଜେଣ୍ଡା ବିରୋଧରେ କାମ କଲେ। ମୁଣ୍ଡରେ ବଡ଼ ବିପଦ ପଡ଼ିବ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚର୍ଚ୍ଚା ବି ହେଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ମିଳିଲା ମନ୍ତ୍ରୀ ପଦ।

ରୀତା ସାହୁଙ୍କ କ୍ୟାରିଅର୍‌କୁ ନେଇ ଗତ କିଛି ମାସ ଧରି ଚାଲିଥିବା ହାଇଡ୍ରାମାର ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିଛି। ମାତ୍ର ସାଢ଼େ ୩ବର୍ଷର ରାଜନୀତି କ୍ୟାରିଅର୍‌ରେ ମନ୍ତ୍ରୀ ପଦ ମିଳିବା ସହଜରେ କାହାରିକୁ ହଜମ ହେଉନି। ରୀତାଙ୍କ ତୁଳନାରେ ଜିଲ୍ଲାରେ ଅଭିଜ୍ଞତା ସଂପନ୍ନ ନେତା ନେତ୍ରୀ ଥିଲେ ହେଁ ତାଙ୍କୁ ଅଣଦେଖା କରାଗଲା। ଏପରିକି ପୁନର୍ବାର ସୁନିଶ୍ଚିତ ମନ୍ତ୍ରୀ ହେବେ ବୋଲି ଆକଳନ‌ ଥିବା ସୁଶାନ୍ତ ସିଂ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବା ଏକ ବଡ଼ ପ୍ରସଂଗ। କାହିଁକି ରୀତାଙ୍କ ଉପରେ ହାଇକମାଣ୍ଡ ସାବାସି ଦେଲେ, କାହିଁକି ସୁଶାନ୍ତଙ୍କୁ ବାଦ୍‌ ଦିଆଗଲା? ଏହି ଦୁଇଟି ପ୍ରଶ୍ନରେ ଜିଲ୍ଲାବାସୀ ଛନ୍ଦି ହୋଇଛନ୍ତି। ଏହି ଦୁଇଟି ପ୍ରଶ୍ନର ଉତ୍ତର ଯାହାବି ହେଉ, ବରଗଡ଼ର ରାଜନୈତିକ ଚିତ୍ର ଯେ ବଦଳିଛି, ତାହା ସ୍ପଷ୍ଟ। ପାୱାର୍‌ କରିଡର୍‌ରେ ସୁଶାନ୍ତ ସିଂଙ୍କ କାଟ୍‌ତି ରହିଛି।

ତାହା ସମସ୍ତଙ୍କୁ ଜଣା। ସୁଶାନ୍ତଙ୍କୁ ପଶ୍ଚିମ ଓଡ଼ିଶାର ସଂଗଠନ ଦାୟିତ୍ବ ମିଳିବ ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ସେ ମନ୍ତ୍ରୀ ଥାଇ ବି ପଶ୍ଚିମ ଓଡ଼ିଶା ସଂଗଠନ କଥା ବୁଝୁଥିଲେ। ପୋଖତ ରାଜନେତା ବି ପାଲଟି ସାରିଥିଲେ। ଏଭଳି ସ୍ଥିତିରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବା ଏକ ପ୍ରହେଳିକା ହୋଇ ରହିଛି। ଆଗାମୀ ଦିନରେ ସୁଶାନ୍ତଙ୍କୁ କେଉଁ ଦାୟିତ୍ବ ମିଳୁଛି, ତାହା ପରଖିବା ପରେ ହିଁ ଅସଲ କଥା ଆଗକୁ ଆସିବ। ବିଜେପୁର ଉପନିର୍ବାଚନ ଠାରୁ ଆରମ୍ଭ କରି ବ୍ରଜରାଜନଗର ଉପନିର୍ବାଚନ ଯାଏ ସୁଶାନ୍ତ ସିଂ ରଣନୀତି ନିର୍ଦ୍ଧାରଣ କରୁଥିବା ଟିମ୍‌ର ପ୍ରମୁଖ ସଦସ୍ୟ ଥିଲେ। ହେଲେ ଦବ୍‌ଦବା ଥାଇ ସହଜରେ ତାଙ୍କ ମନ୍ତ୍ରୀ ପଦ ଉଡ଼ିଯିବା ତାଙ୍କ ସମର୍ଥକଙ୍କୁ ବି ନିରାଶ କରିଛି।

ଅନ୍ୟପକ୍ଷରେ, ବର୍ତମାନ ରାଜ୍ୟସଭା ସାଂସଦ ଭାବେ ପଶ୍ଚିମ ଓଡ଼ିଶାର ଅନ୍ୟତମ ପୋଖତ୍‌ ରାଜନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିଯାଇଛି। ଲମ୍ବା ରାଜନୀତି ଅଭିଜ୍ଞତା କାରଣରୁ ତାଙ୍କୁ ପୁନର୍ବାର ରାଜ୍ୟସଭା ଟିକେଟ୍‌ ମିଳିବ ବୋଲି ଚର୍ଚ୍ଚା ଥିଲା। ଯଦି ଶ୍ରୀ ଆଚାର୍ଯ୍ୟ ଏଥିରୁ ବିରତ ରୁହନ୍ତି, ତେବେ ବରଗଡ଼ ଜିଲ୍ଲାରୁ ଅନ୍ୟ କାହାକୁ ପ୍ରତିନିଧିତ୍ବର ସୁ‌ଯୋଗ ମିଳିବ ବୋଲି ରାଜନୈତିଜ୍ଞଙ୍କ ମତ ଥିଲା। କିନ୍ତୁ ସେଭଳି କିଛି ଘଟଣା ଦେଖିବାକୁ ମିଳିନଥିଲା। ଏକଦା ବରଗଡ଼ରୁ ବିଜେଡିର ଜଣେ ସାଂସଦ ଏବଂ ଦୁଇଜଣ ମନ୍ତ୍ରୀଙ୍କ ଏକା ସାଂଗରେ ଦାୟିତ୍ବ ବହନ କରୁଥିବା ବି ନଜିର ରହିଛି। ତେଣୁ ବରଗଡ଼ର ଦବ୍‌ଦବା ଉଭୟ ରାଜ୍ୟସଭା ଏବଂ ବିଧାନସଭାରେ ରହୁଥିଲା। ହେଲେ ସଦ୍ୟ ମନ୍ତ୍ରିମଣ୍ଡଳ‌ରେ ରାଜନୀତିରେ ନବାଗତା ରୀତାଙ୍କୁ ସାମିଲ କରାଯିବା ଏନ ନୂଆ ଚିତ୍ର ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର