କଙ୍କଡ଼ାହାଡ଼/କାମାକ୍ଷାନଗର: ବାର୍ହା ଫାଶରେ ପଡ଼ିଲା କଲରାପତରିଆ ବାଘ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅସନବାହାଳି ଗ୍ରାମ ସଂରକ୍ଷିତ ଜଙ୍ଗଲରେ କଲରାପତରିଆକୁ ନେଇ ଆଜି ଦିନତମାମ୍ ବନବିଭାଗ ନାକେଦମ୍ ହୋଇଥିଲା। ଶେଷରେ କଲରାପତରିଆକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଶହେ କର୍ମଚାରୀଙ୍କ ବହୁ ସମୟ ଧରି ପରିଶ୍ରମ ପରେ ଉଦ୍ଧାର କଲରାପତରିଆକୁ ନନ୍ଦନକାନନ ପଠାଯାଇଛି। ସୂଚନା ମୁତାବକ, ଅସନବାହାଳି ଗ୍ରାମ ସଂରକ୍ଷିତ ଜଙ୍ଗଲରେ ବାର୍ହା ଶିକାର ପାଇଁ ଫାଶ ପଡ଼ିଥିଲା। କିନ୍ତୁ ବାର୍ହା ବଦଳରେ ଫାଶରେ ଏକ କଲରାପତରିଆ ବାଘ ପଡ଼ିଥିଲା। ଭୋରୁ ଜଙ୍ଗଲକୁ ଯାଇଥିବା କିଛି ଲୋକ ଏହା ଦେଖି ଗାଁରେ ଆସି ଜଣାଇଥିଲେ। ଫାଶରେ ବାଘ ପଡ଼ିଥିବା ଜାଣି ଲୋକେ ରୁଣ୍ଡ ହୋଇଥିଲେ।
ଲୋକଙ୍କୁ ଦେଖି ଘାଇଲା କଲରାପତରିଆ ଉଗ୍ର ହୋଇଥିଲା। ତେବେ ଏନେଇ ବନବିଭାଗକୁ ଖବର ଦିଆଯିବା ପରେ ଉଦ୍ଧାର ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଡିଏଫ୍ଓ ସୁମିତ କରଙ୍କ ନେତୃତ୍ବରେ ପ୍ରାୟ ଶହେ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଥିଲା। ଏହି ଦଳରେ ଏସିଏଫ୍ ସତ୍ୟ ନାରାୟଣ ସାହୁ, ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ ଚନ୍ଦ୍ର କିଷାନ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ। ଅପରାହ୍ଣ ସାଢ଼େ ୪ଟା ବେଳେ ବାଘକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ପରେ ବନବିଭାଗର ସ୍ବତନ୍ତ୍ର ‘ରକ୍ଷକ’ ଗାଡ଼ି ଯୋଗେ କର୍ମଚାରୀମାନେ ଉଦ୍ଧାର କଲରାପତରିଆକୁ ନନ୍ଦନକାନନ ନେଇ ଯାଇଥିଲେ।