ହାଇକୋର୍ଟରେ ବରୀ ନିର୍ବାଚନୀ ମାମଲା : ବିଧାୟିକାଙ୍କୁ ମହଲତ

କଟକ : ଯାଜପୁର ଜିଲା ବରୀ ବିଧାନସଭା ଆସନ ନିର୍ବାଚନକୁ ନେଇ ବିଜେପିର ବିଶ୍ବରଞ୍ଜନ ମଲ୍ଲିକଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ଘୁଞ୍ଚିଛି। ଜଷ୍ଟିସ୍‌ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ଆଜି ପ୍ରତିପକ୍ଷ ତଥା ବିଧାୟିକା ସୁନନ୍ଦା ଦାସଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଖଣ୍ଡପୀଠ ଏଥିପାଇଁ ଅନୁମତି ପ୍ରଦାନ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ନିର୍ବାଚନ ମୋକଦ୍ଦମାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ ପାଇଁ ବିଧାୟିକାଙ୍କ ପକ୍ଷରୁ ଦାୟର ପିଟିସନ ଉପରେ ଶୁଣାଣି ହେବ।

ସିପିସିର ଅର୍ଡର ୭, ରୁଲ ୧୧ ଅନୁସାରେ ବିଧାୟିକା ଏକ ପିଟିସନ ଦାୟର କରି ନିର୍ବାଚନୀ ମାମଲା ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇଥିବାବେଳେ ଏପରି ପିଟିସନ୍ ଉପରେ ଆବେଦନକାରୀ ଶ୍ରୀ ମଲ୍ଲିକଙ୍କ ପକ୍ଷରୁ ଲିଖିତ ଆପତ୍ତି ଦାଖଲ କରାଯାଇଛି। ଆବେଦନକାରୀ ଶ୍ରୀ ମଲ୍ଲିକଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ଓ ବିଧାୟିକା ସୁନନ୍ଦା ଦାସଙ୍କ ତରଫରୁ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ବିଜୟୀ ହୋଇଥିଲେ। ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ପ୍ରାର୍ଥୀ ଶ୍ରୀ ମଲ୍ଲିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ସଂପର୍କରେ ବିଧାୟିକା ତଥ୍ୟ ଲୁଚାଇଥିବାରୁ ତାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଶ୍ରୀ ମଲ୍ଲିକ ଆବେଦନରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର