ବରୀ/ରତ୍ନଗିରି : ବିଗତ କିଛି ବର୍ଷ ହେଲା ଯାଜପୁର ଜିଲ୍ଲାରେ ରେକର୍ଡ କରିଆସୁଛି ବରୀ ବ୍ଲକର ରାମପୁର ପଞ୍ଚାୟତ ହାଇସ୍କୁଲ। ନିଜ ରେକର୍ଡକୁ ନିଜେ ଭାଙ୍ଗୁଥିବା ଏହି ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍‌ରେ ୪୭ ଜଣ ଏ-୧ ପାଇଛନ୍ତି। ଏହି ବିଦ୍ୟାଳୟର ଛାତ୍ରୀ ଶ୍ରେୟଶ୍ରୀ ଜେନା ୫୯୦ ନମ୍ବର ରଖି ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ଶ୍ରେୟଶ୍ରୀ ଜିଲ୍ଲା ତଥା ବରୀ ବ୍ଲକ ସହିତ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

Advertisment

ସମ୍ବାଦ ପକ୍ଷରୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ ଶ୍ରେୟଶ୍ରୀ କହିଛନ୍ତି ଯେ ତାଙ୍କୁ ବହୁତ ଆନନ୍ଦ ଲାଗୁଛି। ଭବିଷ୍ୟତରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି। ଏହି ସଫଳତାର ଶ୍ରେୟ ତାଙ୍କ ପିତା ଷ୍ଟାଲିନ୍ ଜେନା ଏବଂ ମା’ ସ୍ମରଣିକା ଧଳ (ଶିକ୍ଷୟିତ୍ରୀ), ଜେଜେ ବାପା ସ୍ବର୍ଗତ ଭକ୍ତହରି ଜେନା ଓ ଜେଜେମା ପ୍ରମିଳା ଜେନାଙ୍କୁ ଦେଇଛନ୍ତି। ଏହା ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନାଙ୍କ ସହିତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହିତ ବିଜ୍ଞାନ ଶିକ୍ଷକ ପାବକ ମହାପାତ୍ର, ସାହିତ୍ୟ ଶିକ୍ଷକ ପ୍ରସନ୍ନ କୁମାର ରାଉତଙ୍କୁ ଶ୍ରେୟ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି।

ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ଜେନା କହନ୍ତି ଯେ ଛାତ୍ରୀଜଣଙ୍କ ଆମ ବିଦ୍ୟାଳୟର ଏକ ବିରଳ ପ୍ରତିଭା। ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ଏଥିପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା, ଗ୍ରାମର ମୁରବିମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ବରୀ ବିଧାୟିକା ସୁନନ୍ଦା ଦାସ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ପରିଚାଳନା କମିଟି ସଭାପତି ନକୁଳ ଦାସ ଓ ପୂର୍ବତନ ସଭାପତି କେଦାର ସାମଲ ପ୍ରମୁଖ ଶ୍ରେୟଶ୍ରୀକୁ ଅଭିନନ୍ଦନ ଜଣାଇଛନ୍ତି।