ବରୀ : ବରୀ ବ୍ଲକରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସଭାକୁ ଭଣ୍ଡୁର କରିଥିବା ଯୁବକଙ୍କୁ ପୁଲିସ ଆଜି ଛାଡ଼ି ଦେଇଛି। କୌଣସି ଲିଖିତ ଅଭିଯୋଗ ନହେବାରୁ ଏହି ପଦକ୍ଷେପ ନିଆଯାଇଥିବା ପୁଲିସ ସୂଚନା ଦେଇଛି। ଗତ ବୁଧବାର ଅପରାହ୍‌ଣରେ ଆୟୋଜିତ ଭର୍ଚୁଆଲ ସଭା ମଞ୍ଚରେ ସଂପୃକ୍ତ ଯୁବକ ଠେଙ୍ଗା ଧରି ମଞ୍ଚରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ଲାଇଟ୍‌କୁ ପିଟି ଭାଙ୍ଗି ଦେଇଥିଲେ। ମଞ୍ଚରୁ ଟେବୁଲଗୁଡ଼ିକ ଖସିପଡ଼ିବାରୁ ସେ ଆଉ ଚଢ଼ି ପାରି ନଥିଲେ। ସଙ୍ଗେସଙ୍ଗେ ତଳେ ଥିବା ଲୋକମାନେ ତାଙ୍କୁ କାବୁ କରିନେଇଥିଲେ। ବୁଧବାର ରାତିସାରା ତାଙ୍କୁ ଥାନାରେ ଅଟକ ରଖାଯାଇଥିଲା। କେହି ଲିଖିତ ଅଭିଯୋଗ ନ କରିବାରୁ ଗୁରୁବାର ସକାଳେ ତାଙ୍କୁ ପୁଲିସ ଛାଡ଼ି ଦେଇଛି।

Advertisment

ଏପରି ଏକ ସମ୍ବେଦନଶୀଳ ଘଟଣାରେ ନା ବ୍ଲକ ପ୍ରଶାସନ, ନା ଲୋକପ୍ରତିନିଧି କେହି ଥାନାରେ ଅଭିଯୋଗ ନକରିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ବିଡ଼ିଓ ଶିବାନନ୍ଦ ସ୍ୱାଇଁଙ୍କୁ ପଚାରିବାରୁ କହିଥିଲେ ଯେ ମଞ୍ଚରେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଥିଲେ। ଯୁବକଙ୍କ ଆକ୍ରମଣରେ ଅଲିପୁର ସରପଞ୍ଚ ମଧ୍ୟ ଆହତ ହୋଇଛନ୍ତି। ସେମାନେ କେହି ଅଭିଯୋଗ କଲେ ନାହିଁ। ସେହିପରି ସଭାରେ ଶୃଙ୍ଖଳା ରକ୍ଷା ନିମନ୍ତେ ଥାନାରେ ଆଗରୁ ଜଣାଇଥିଲି। ସେଠାରେ ୩ ଜଣ ପୁଲିସ ମଧ୍ୟ ଉପସ୍ଥିତ ଥିଲେ। ସଂପୃକ୍ତ ଯୁବକଙ୍କୁ ପୁଲିସ ଧରି ନେଇଥିଲା। ଏତେ ପରେ ଆଉ ଲିଖିତ ଅଭିଯୋଗ କରିବାର ଆବଶ୍ୟକତା ରହିଲା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଘଟଣା ସଂପର୍କରେ ମୁଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇ ଦେଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଉପାଧ୍ୟକ୍ଷ ରମେଶ ଭଞ୍ଜଙ୍କୁ ପଚାରିବାରୁ ସେ କହିଥିଲେ, ଦୋଷୀ ଦଣ୍ଡ ପାଇବା ଉଚିତ। ମଞ୍ଚରେ ଅଧ୍ୟକ୍ଷା ଓ ବିଡିଓ ଥିଲେ। ସେମାନଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା କଥା ବୋଲି କହିଥିଲେ।