‘ବରୀର ଘାଇ ମଣିଷକୃତ’, ବିରୋଧୀଙ୍କ ସହ ସ୍ବର ମିଳାଇଲେ ଦେବାଶିଷ

ବରୀ : ଯାଜପୁର ଅନ୍ତର୍ଗତ ବରୀର ସମସ୍ତ ଘାଇ ମଣିଷକୃତ। ଆଜି ବରୀ ବନ୍ୟାଞ୍ଚଳ ଗସ୍ତ କରି ଲୋକମାନଙ୍କ ସମସ୍ୟା ଓ ପରିସ୍ଥିତି ସମୀକ୍ଷା କରିଥିବା ଅବସ‌ରରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏହିଭଳି ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ନାୟକଙ୍କ ଏଭଳି ମନ୍ତବ୍ୟକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାୟକ କହିଥିଲେ ଯେ, ବରୀ ବିଧାୟକ ଥିବା‌ ସମୟରେ ବହୁ କଷ୍ଟରେ ଅନୁଦାନ ଆଣି ନଦୀବନ୍ଧ ନିର୍ମାଣ କରିଥିଲେ ବୋଲି କହିବା ସହିତ ଏବେ କାମ କରିବା ଯୋଜନାରେ ଜାଣିଶୁଣି ମଣିଷଙ୍କ ଦ୍ବାରା ଘାଇ ସୃଷ୍ଟି କରାଯାଇଛି। ଯାହାଫଳରେ ସଂପୂର୍ଣ୍ଣ ବରୀ ଆଜି ବନ୍ୟାରେ ପ୍ରଭାବିତ ହୋଇଛି । ବି‌ଶେଷ ଭାବେ ବନ୍ୟା ସମୟରେ ନଦୀବନ୍ଧ ଗୁଡ଼ିକର ରକ୍ଷଣାବେକ୍ଷଣା ଓ ଜଗାରଖା ପାଇଁ ସମୟ ଉପଯୋଗୀ ତଦାରଖ କରିପାରୁଥିବା ଠିକାଦାର ମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥାଏ। ମାତ୍ର ଚଳିତ ବନ୍ୟାରେ ବରୀ ଠାରୁ ମଣିରାମପୁର ପର୍ଯ୍ୟନ୍ତ ୧୫ କିମି ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଉପରେ ବିଭାଗ ଦାୟିତ୍ବ ନ୍ୟସ୍ତ କରି ଦେଇ ଚୁପ ବସିଗଲା। ଯାହାଫଳରେ କେବଳ କାଗଜପତ୍ରରେ ବନ୍ୟା ମୁକାବିଲା କରିବା ଦର୍ଶାଯିବା ସାର ହୋଇଛି। ବିପଦପୂର୍ଣ୍ଣ ଭାବେ ଥିବା ନଦୀବନ୍ଧର ଜରୁରି ମରାମତି କରାଯାଇ ନାହିଁ। ସେପଟେ ଯେତେବେଳେ ନଦୀବନ୍ଧର ଶିଖରରେ ବନ୍ୟାସ୍ତର ଛୁଇଁଥିଲା ଆଉ ନଦୀବନ୍ଧ ସନ୍ତସନ୍ତିଆ ଅବସ୍ଥାରେ ଥିଲା ସେତେବେଳେ ବାଇଁକଡ଼ିକମା ନଦୀବନ୍ଧ ଉପରେ ଠିକାଦାରଙ୍କ ବାଲି ବୋଝେଇ ଟ୍ରାକ୍ଟର ନେବା ଏବଂ ଟ୍ରାକ୍ଟର ଚକ ଦବି ଯିବା ଫଳରେ ଘାଇ ସୃଷ୍ଟି ହୋଇଥିବାରୁ ଏହା ମନୁଷ୍ୟକୃତ ବୋଲି ଶ୍ରୀ ନାୟକ କହିଛନ୍ତି।

ଏହିଭଳି ମନ୍ତବ୍ୟ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ ବିରୋଧୀଙ୍କ ସହ ସ୍ବର ମିଳାଇଛନ୍ତି। ପୂର୍ବରୁ ସମାନ ଅଭିଯୋଗ ଆଣି ବିରୋଧୀଦଳର ନେତୃବୃନ୍ଦ ବରୀର ଘାଇ ମଣିଷକୃତ ବୋଲି ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର