ଗଛ ମୂଳେ ବାରିଆ ପଞ୍ଚାୟତ କାର୍ଯ୍ୟାଳୟ!, ପାଞ୍ଚବର୍ଷ ହେଲା ଚାଲିଛି ନିର୍ମାଣ କାର୍ଯ୍ୟ

ଖିଚିଂ: ଗଛମୂଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ। ଏପରି ଘଟଣା ଦେଖିବାକୁ ମିଳିଛି, ଶୁକୃଳି ବ୍ଲକ୍‌ ବାରିଆ ପଞ୍ଚାୟତରେ। ଶୁକୃଳି ବ୍ଲକ୍‌ ୧୦ଟି ପଞ୍ଚାୟତକୁ ନେଇ ଗଠନ ହୋଇଛି। ୫ ବର୍ଷ ପୂର୍ବେ ଶୁକୃଳି ବ୍ଲକ୍‌ରେ ୯ଟି ପଞ୍ଚାୟତ ଥିଲା। ଆୟତନ ଦୃଷ୍ଟିରୁ ହଳଦିଆ ପଞ୍ଚାୟତକୁ ବିଭାଜନ କରାଯାଇ ନୂତନ ଭାବେ ବାରିଆ ପଞ୍ଚାୟତ କରାଯାଇଥିଲା। ପଞ୍ଚାୟତ ଗଠନ ହେବା ପରଠାରୁ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜିଯାଏ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଅଧପନ୍ତରିଆ ହୋଇ ପଡିରହିଛି। ୨୦୧୮ ମସିହାରେ ବାରିଆ ଗ୍ରାମରେ ଥିବା ସରକାରୀ ଜମି ଉପରେ ସର୍ବସମ୍ମତିକ୍ରମେ ପଞ୍ଚାୟତ ଗୃହ ନିର୍ମାଣ ଲାଗି ସ୍ଥିର ହୋଇଥିଲା। ୩୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। ମାତ୍ର ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କାମ ଅସମ୍ପୂର୍ଣ୍ଣ ରହିଲା। ଫଳରେ ପଞ୍ଚାୟତର କାର୍ଯ୍ୟ, ସଭାସମିତି, ବୈଠକ ଗ୍ରାମ କ୍ଲବ୍‌ ନିକଟ ଗଛମୂଳେ ଚାଲିଛି। ବିପିଏଲ ଶ୍ରେଣୀର ଲୋକଙ୍କ ପାଇଁ ଆସୁଥିବା ଚାଉଳ ସବୁକୁ ଗ୍ରାମରେ ଏକ ଭଡ଼ା ଘରେ ରଖାଯାଉଛି।

ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନଥିବାରୁ ସରପଞ୍ଚ ଅଜିତ ଚାତାର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଉଛନ୍ତି। ଗତ ବୈଠକରେ ପଞ୍ଚାୟତବାସୀ ଏକତ୍ରିତ ହୋଇ ପଞ୍ଚାୟତ ଘର ସଂପୂର୍ଣ୍ଣ ନେଇ ଆଲୋଚନା କରିଥିଲେ। ବୈଠକରେ ସରପଞ୍ଚଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ସୀତାରାମ ଚାତାର, ଚତୁରାଞ୍ଜଳି ପଞ୍ଚାୟତ ସରପଞ୍ଚ ବିଜନ ଚାତାର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଚାତାର ଉପସ୍ଥିତ ଥିଲେ। ସରପଞ୍ଚ ବହୁବାର ବିଡିଓ, ତହସିଲଦାରଙ୍କୁ ଏ ସଂପର୍କରେ ଅବଗତ କରିବା ସହ କରଞ୍ଜିଆରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂପର୍କରେ ଶୁକୃଳି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ପଚାରିବାରୁ ଏହା ଗୋଚର ଜମି ହୋଇଥିବାରୁ କିଛି ଗ୍ରାମବାସୀଙ୍କ ଅଭିଯୋଗକ୍ରମେ କାର୍ଯ୍ୟ ବନ୍ଦ ରହିଛି। ତା’ ଛଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଦାବିଦାର ନଥିବା ସମ୍ପତ୍ତିକୁ ଗ୍ରାମବାସୀଙ୍କ ସମ୍ମତିକ୍ରମେ ସରକାରୀ ଖାତାକୁ ଆସିବା ପରେ ସେଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି ବୋଳି ସେ କହିଥିଲେ। ତେବେ ଏ ଦିଗରେ ଜିଲ୍ଲାପାଳ ତ୍ବରିତ ପଦକ୍ଷେପ ନେବାକୁ ପଞ୍ଚାୟତବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର