ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ମହାପ୍ରଭୂଙ୍କ ଗଜାନନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ବିଶ୍ୱ ପ୍ରସିଦ୍ଧ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଭଗବାନ ଓ ଭକ୍ତମାନଙ୍କ ମଧ୍ୟରେ ୧୪୪ ଧାରା ବାଧକ

ବାରିପଦା: ଓଡ଼ିଶାର ସଂସ୍କୃତି କହିଲେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବୁଝାଇଥାଏ । ସଂସ୍କୃତିର ମୂଳାଧାର ମଧ୍ୟ ସ୍ୱୟଂ ମାହାପ୍ରଭୂ ଶ୍ରୀଜଗନ୍ନାଥ । ସେ ହେଉଛନ୍ତି ମାନବବାଦର ପ୍ରତୀକ । ପୃଥିବୀର ସବୁ ଧର୍ମ, ପ୍ରତ୍ୟେକ ବର୍ଣ୍ଣ, ବିଭିନ୍ନ ଆଦର୍ଶ ତଥା ବହୁ ଦର୍ଶନ ଶ୍ରୀଜଗନ୍ନାଥଙ୍କଠାରେ ହିଁ କେନ୍ଦ୍ରିଭୂତ । ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ, ଜୈନ, ବୁଦ୍ଧ, ନାନକ, ଆର୍ଯ୍ୟ ଓ ଅନାର୍ଯ୍ୟସମସ୍ତଙ୍କର ଆରାଧ୍ୟ ଦେବତା । ଏହି ଜଗତର ନାଥ ଶ୍ରୀଜଗନ୍ନାତଙ୍କ ଘୋଷ ଯାତ୍ରା ଉତ୍କଳୀୟଙ୍କ ପ୍ରାଣତନ୍ତ୍ରୀରେ ଏକ ଲଳୀତ ମୂର୍ଚ୍ଛନା ।
ଚତୁର୍ଦ୍ଧାମୂର୍ତ୍ତି ନିଜର ରତ୍ନସିଂହାସନରୁ ଉହ୍ଲାଇ ସିଂଦ୍ୱାର ଦେଇ ଜଗତଜନଙ୍କ ସହିତ ଏକାକାର ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିବସ ବିଜେ ହିଁ ଘୋଷଯାତ୍ରା । କିନ୍ତୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ଆଦ୍ୟଯାତ୍ରା ହେଉଛି ସ୍ନାନଯାତ୍ରା ।  ଚଳିତ ବର୍ଷ ଜୁନ ୨୪ରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ର , ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ରତ୍ନସିଂହାସନରୁ ସ୍ନାନ ମଣ୍ଡପକୁ ଉହ୍ଲାଇ ଆସିବେ ଏବଂ ଏହି ସ୍ନାନ ମଣ୍ଡପରେ ମହାପ୍ରଭୂଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ରହିଥିବା ଆବେଗକୁ ଛଡ଼ାଇ ନେଇଛି ବିଶ୍ୱମହାମାରୀ କରୋନା । ବିଶ୍ୱ ବିଖ୍ୟାତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭଗବାନ ଓ ଭକ୍ତ ମଧ୍ୟରେ ବାଧକ ସାଜିଛି ।
କୋଭିଡ଼-୧୯ ମାର୍ଗଦର୍ଶୀକା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରା ସ୍ନାନ ମଣ୍ଡପ ଉପରେ ମହାପ୍ରଭୂଙ୍କ ଦର୍ଶନରେ ପ୍ରତିବନ୍ଧକ ସାଜିଛି । ୨୪ ଜୁନ ଗୁରୁବାର ସକାଳ ୫ରୁ ମହାପ୍ରଭୂଙ୍କ ଅଣଗୃହ ପ୍ରବେଶ ପର୍ଯ୍ୟନ୍ତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ  ଶ୍ରୀଶ୍ରୀ ହରିବଳଦେବ ମହାପ୍ରଭୂ ବିଜେଙ୍କ ମନ୍ଦିର ଏବଂ ମନ୍ଦିରରୁ ୫ ଶହ ଫୁଟ ବ୍ୟାସାର୍ଦ୍ଧ ମଧ୍ୟରେ ଜାରି କରାଯାଇଛି ୧୪୪ ଧାରା । ଏନେଇ ବିଧିବଦ୍ଧ ଭାବେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଗୁରୁବାର ସକାଳ ୫ଟା ସମୟରୁ  ରାତି ପର୍ଯ୍ୟନ୍ତ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ , ବଡ଼ଦାଣ୍ଡର ବାରିପଦା ଟାଉନ ଥାନା, ଦୁର୍ଗା ହୋଟେଲ ଓ ଦୁର୍ଗା ନସିଂ ହୋମଠାରୁ ମନ୍ଦିର ରାସ୍ତାରେ ସମସ୍ତ ଗାଡ଼ି ମୋଟର ସହ ଜନସାଧାରଣଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।
ସେହିପରି ବାରିପଦା ସହରର ସାନ ଜଗନ୍ନାଥ ମନ୍ଦିର ନିମନ୍ତେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି ।  କାଳି ମାର୍କେଟ ଛକ, ଜୁବଲୀ ଲାଇବ୍ରେରୀ ଛକ ଓ ଲାଲବଜାର ସଂସ୍କୃତ ଟୋଲ ଛକଠାରୁ ମନ୍ଦିର ରାସ୍ତାରେ ସମସ୍ତ ଗାଡ଼ି ମୋଟର ସହ ଜନସାଧାରଣଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କେବଳ  ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡ଼ି ଓ ବ୍ୟକ୍ତିମାନଙ୍କୁ ଏଥିରୁ ବାଦ ଦିଆଯାଇଛି । ସହାରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ  ପୁଲିସ ଅଧିକାରୀ ଓ ଫୋର୍ସ ମୁତୟନ କରାଯିବ । ଏଥି ସହିତ କରୋନା କଟକଣା ମାନି ମହାପ୍ରଭୂଙ୍କ ଦେବସ୍ନାନ ଯାତ୍ରାର ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ସମ୍ପନ୍ନ କରାଇବାକୁ ମନ୍ଦିରର ସେବାୟତମାନଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ କୌଣସି ଭକ୍ତ ଅଥବା ଜନସାଧାରଣ ମନ୍ଦିର ତଥା ମନ୍ଦିରର ଆଖପାଖ ଅଞ୍ଚଳକୁ ପ୍ରବେଶ ଉପରେ ମହାପ୍ରଭୂଙ୍କ ଅଣସର ଗୃହ ପ୍ରବେଶ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିବାର ବାରିପଦା ଟାଉନ ଥାନା ଅଧିକାରୀ ଶ୍ରୀସେନାପତି ପ୍ରକାଶ କରିଛନ୍ତି । ତେବେ ତିନି ଠାକୁରଙ୍କ ଦିବ୍ୟସ୍ନାନ ଓ ଗଜାନନ ବେଶ ଦର୍ଶନରୁ ବଞ୍ଚିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳାଇ ଦେଇଛି ।
ସମ୍ବନ୍ଧିତ ଖବର