ବାରିପଦା : ଥଇଥାନ ପୂର୍ବରୁ ଉଚ୍ଛେଦ ଯୋଜନା, ଷ୍ଟେସନ ବଜାର ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା : ଥଇଥାନ ପୂର୍ବରୁ ଉଚ୍ଛେଦ ଯୋଜନାକୁ ବିରୋଧ କରିଛନ୍ତି ସ୍ଥାନୀୟ ବଣିକ ସଂଘ। ପାଲବଣି- କେସି ସର୍କଲ୍ ମଧ୍ୟସ୍ଥଳରେ ରହିଛି ରେଲୱେ ଲେଭଲ୍ କ୍ରସିଂ । ଏହା ଉପର ଦେଇ ପ୍ରାୟ ୧.୯ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ଯୋଜନା ରହିଛି। ତେବେ ଏଥିନିମନ୍ତେ ପ୍ରାୟ ଶତାଧିକ ବ୍ୟବସାୟୀ ଉଚ୍ଛେଦ ହେବାର ଅଛି। ଜୀବନଜୀବିକା ନିମନ୍ତେ ଉପଯୁକ୍ତ ଯୋଜନା କରିବା ପୂର୍ବରୁ ଏମାନଙ୍କୁ ଉଚ୍ଛେଦ କରିବାର ଯୋଜନାକୁ ସ୍ଥାନୀୟ ଷ୍ଟେସନ ବଜାର ବଣିକ ସଂଘ ବିରୋଧ କରିଛି। ଗତକାଲି ସକାଳ ସାଢ଼େ ୮ ସମୟରେ ରାଜସ୍ୱ ଏବଂ ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ମିଳିତ ଭାବେ ମାପଚୁପ ଆରମ୍ଭ କରାଯାଇଥିଲା। ଏହାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଶତାଧିକ ଲୋକ ଏକଜୁଟ ହୋଇ ଏହାକୁ ବିରୋଧ କରିବା ଫଳରେ ଏହି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଏବଂ ନିୟୋଜିତ କର୍ମଚାରୀମାନେ ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ଏହାପରେ ବିରୋଧ ପ୍ରଦର୍ଶନକାରୀମାନଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟଯେ ଷ୍ଟେସନ ବଜାର- କେସିସର୍କଲ୍ ଉଡ଼ନ୍ତା ପୋଲ ନିର୍ମାଣ କରାଗଲେ ଉଭୟ ପାର୍ଶ୍ବରେ ଥିବା ଶତାଧିକ ଛୋଟବଡ଼ ବ୍ୟବସାୟୀମାନଙ୍କୁ ଉଚ୍ଛେଦ ହେବାକୁ ପଡ଼ିବ । ଫଳରେ ସେମାନଙ୍କର ବେପାର ବଣିଜ ସହିତ ଆୟ ଉପାର୍ଜନ ଠପ୍ ହୋଇଯିବ । ତେଣୁ ଗତ ଜାନୁଆରୀ ୩୦ରେ ପୋଲ ନିର୍ମାଣ ନିମନ୍ତେ ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବିରୋଧ କରିଥିଲେ ଏବଂ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ । ଏହି ସମୟରେ ପୂର୍ତ୍ତ ଓ ନିର୍ମାଣ ବିଭାଗକୁ ନେଇ ତ୍ରିପାକ୍ଷିକ ଆଲୋଚନାରେ ବିକଳ୍ପ ପନ୍ଥା ବାହାର କରିବା ପର୍ଯ୍ୟନ୍ତ ପୋଲର ସର୍ଭେ ହେଉ ଅଥବା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବା ନିମନ୍ତେ ସହମତି ପ୍ରକାଶ ପାଇଥିଲା ବୋଲି ବିକ୍ଷୋଭ ପ୍ରଦର୍ଶନକାରୀମାନେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର