ଜାଲ୍ ସ୍ୱାକ୍ଷରରେ ବଣ୍ଟାହେଲା ଏମ୍ପି ଲ୍ୟାଡ୍ କାମ
ସମ୍ପର୍କୀୟ ଶାଳକ ମାଷ୍ଟରମାଇଣ୍ଡ
ଥାନାରେ ଅଭିଯୋଗ କଲେ ସାଂସଦ ବିଶେଶ୍ବର
୨ ଜଣଙ୍କୁ ବାନ୍ଧିଲା ପୁଲିସ
ବାରିପଦା : ଲୋକସଭା ସାଂସଦଙ୍କ ହାତପାଣ୍ଠିକୁ ଜାଲ୍ ଦସ୍ତଖତ କରି ବିକିଦେଲେ ସମିତି ସଭ୍ୟ। ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କ ପ୍ୟାଡ୍ରେ ତାଙ୍କ ଜାଲ୍ ଦସ୍ତଖତ କରି ତଞ୍ଚକତାରେ ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟରୁ ୨ଟି ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ନେଇଯାଇଛନ୍ତି। ସାଂସଦଙ୍କ ଜାଲ୍ ସ୍ବାକ୍ଷରରେ ଆସିଥିବା କାମ ସମ୍ପର୍କରେ କିନ୍ତୁ ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟ କିଛି ଜାଣି ପାରିନି। ଏହି ଘଟଣାର ମାଷ୍ଟରମାଇଣ୍ଡ୍ ତଥା ମୋରଡ଼ା ପଞ୍ଚାୟତ ସମିତି ସଭ୍ୟ ହେମନ୍ତ ସୋରେନ୍ଙ୍କ ଚାଲରେ ଫସିଯାଇଛନ୍ତି ଆଇଟିଡିଏ କର୍ତ୍ତୃପକ୍ଷ। ମୁଖ୍ୟ ଅଭିଯୁକ୍ତ ହେମନ୍ତ ସୋରେନ୍ ସାଂସଦ ଶ୍ରୀ ଟୁଡୁଙ୍କ ସମ୍ପର୍କୀୟ ଶାଳକ ହେବେ ବୋଲି ମଧ୍ୟ ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ସାଂସଦ ଶ୍ରୀ ଟୁଡୁ ଗତକାଲି ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ସାଂସଦଙ୍କ ଅଭିଯୋଗ ଆଧାରରେ ହେମନ୍ତ ଓ ଅନ୍ୟ ଜଣେ ଅଭିଯୁକ୍ତ ଶୈଳେଶ ଓରଫ୍ ଶୈଳେନ୍ଦ୍ର ଗିରିଙ୍କୁ ଆଜି ଗିରଫ କରିଛି। ତେବେ ଏହି ଘଟଣାରେ ପୁଣିଥରେ ବିବାଦ ମଧ୍ୟକୁ ଟାଣିହୋଇ ଆସିଛି ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟ। ପୂର୍ବରୁ ମଧ୍ୟ ଜଣେ ଠିକାଦାରଙ୍କ ଜାଲ୍ ସ୍ୱାକ୍ଷରରେ ଟଙ୍କା ଉଠାଣକୁ ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା।
ବାରିପଦା ପୌରପରିଷଦ ୱାର୍ଡ ନଂ-୨୨ ଅନ୍ତର୍ଗତ ରଘୁନାଥପୁର ମୁଖ୍ୟ ରାସ୍ତାରୁ ସ୍ୱରାଜ କୁମାରଙ୍କ ଘର ପର୍ଯ୍ୟନ୍ତ ସିସି ରୋଡ ନିର୍ମାଣ ଓ ମୋରଡ଼ା ବ୍ଲକ୍ ଛଉ ପେଣ୍ଡାଲ ନିର୍ମାଣ କାର୍ଯ୍ୟରେ ଏହି ତଞ୍ଚକତା ହୋଇଥିଲା। ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ତକତପୁରସ୍ଥିତ ସାଂସଦ ଶ୍ରୀ ଟୁଡ଼ୁଙ୍କ କାର୍ଯ୍ୟାଳୟରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାର୍ଯ୍ୟ କରୁଥିଲେ। ସାଂସଦଙ୍କ ସମ୍ପର୍କୀୟ ଶାଳକ ହେବାର ଫାଇଦା ନେଇ ହେମନ୍ତ ଚତୁରତାର ସହିତ ତାଙ୍କର ଜାଲ ସ୍ୱାକ୍ଷରରେ କାଗଜପତ୍ର ପ୍ରସ୍ତୁତ କରାଇ ଏହି ଦୁଇ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଆଇଟିଡିଏଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କାଗଜପତ୍ରକୁ ସଠିକ୍ ଢଙ୍ଗରେ ଯାଞ୍ଚ କରାନଯାଇ ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କେବଳ ଏତିକି ନୁହେଁ, ହେମନ୍ତ ଆହୁରି ଅନେକ ଅନିୟମିତାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ସେ ତାଙ୍କର କେତେକ ସହଯୋଗୀଙ୍କ ଜରିଆରେ ଏମ୍ପି ଲ୍ୟାଡ୍ ବଣ୍ଟନ, ଡ୍ରାଇଭରଙ୍କ ଦରମା, କାର୍ଯ୍ୟାଳୟ ଖର୍ଚ୍ଚ ଆଦି ଲୁଟିଥିବା ନେଇ ସାଂସଦ ଅଭିଯୋଗ କରିଛନ୍ତି। ସାଂସଦଙ୍କ ଅଭିଯୋଗ ପରେ ପୁଲିସ ଧାରା ୪୨୦, ୪୬୭, ୪୬୮, ୪୭୧ ଓ ୩୪ ଓ କେସ୍ ନଂ ୫୭୭/୨୦ରେ ମାମଲା ରୁଜୁ କରି ହେମନ୍ତ ଓ ଶୈଳେନ୍ଦ୍ରଙ୍କୁ ଗିରଫ କରିଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/baripada.jpg)