ବାରିପଦା : ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏସ୍ପିଙ୍କ ସହିତ କଥା ହୋଇଥିଲେ ପୀଡ଼ିତା। ପୁଲିସ୍ଠୁ ନ୍ୟାୟ ମିଳିଲାନି। ମାସେ ଭିତରେ ୧୫ରୁ ଅଧିକଥର ଥାନାକୁ ଯାଇଛି। ସବୁବେଳେ ଖାଲି ମିଥ୍ୟା ଆଶ୍ବାସନା। ଶେଷରେ ମୋ ଝିଅକୁ ଯୋଜନାବଦ୍ଧ ଭାବେ ମାରିଦେଲେ। ଅତ୍ୟନ୍ତ କୋହଭରା କଣ୍ଠରେ ଏକଥା କହିଛନ୍ତି ଦୁଷ୍କର୍ମ ପୀଡ଼ିତା ରାଇରଙ୍ଗପୁର ମହାବିଦ୍ୟାଳୟରେ ଚୁକ୍ତିଭିତ୍ତିକ ମୃତ ଅଧ୍ୟାପିକାଙ୍କ ବାପା।
ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଅନ୍ୟପକ୍ଷରେ ଏହି ମାମଲା ଥାନାକୁ ଆସିବା ପରେ ପ୍ରଥମେ ଆପୋସ ବୁଝାମଣା କରିବାକୁ ପ୍ରୟାସ କରିଥିଲା ପୁଲିସ। ପୀଡ଼ିତା କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ୍ ଧରିବାରୁ ଅଭିଯୁକ୍ତକୁ ୭୨ ଘଣ୍ଟା ମଧ୍ୟରେ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ ତତ୍କାଳୀନ ଝାରପୋଖରିଆ ଥାନା ଅଧିକାରୀ। ମାତ୍ର ମାସେ ପର୍ଯ୍ୟନ୍ତ କେବଳ ଗୋଟିଏ କଥା ଦୋହାରାଇ ଥିଲେ ‘ ଦେଖୁଛୁ... ବୁଝୁଛୁ...’। ମାସକ ମଧ୍ୟରେ ଖୋଦ୍ ପୀଡ଼ିତା ଏକାଧିକ ଥର ଥାନାକୁ ଯାଇ ମାମଲା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ପୀଡ଼ିତାଙ୍କ ବାପା ମଧ୍ୟ ୧୫ରୁ ଊର୍ଦ୍ଧ୍ବ ଥର ଥାନାକୁ ଯାଇଛନ୍ତି। ଅଭିଯୁକ୍ତର ଘର ମୟୂରଭଞ୍ଜ ଜିଲ୍ଲା ବାହାରେ, ତେଣୁ ଧରିବାକୁ ଅସୁବିଧା ହେଉଛି। ଏମିତି ବାହାନା କରି ପୁଲିସ୍ ଅଭିଯୁକ୍ତ ପରିବାରଠାରୁ ଲାଞ୍ଚ ନେଇ ଦିନ ଗଡ଼େଇ ଚାଲିଥିଲା ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି।
ଏଥିସହିତ, ପୀଡ଼ତାଙ୍କ ଜଣେ ସମ୍ପର୍କୀୟା ଭାଉଜଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି ପରିବାର ଲୋକ। ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦୁଝର ଟାଉନ ଥାନା ଭାଲୁକିପତଳା ଲେନ୍ ନଂ-୫ରେ ରହୁଥିବା ସୌମ୍ୟରଞ୍ଜନ ସାହୁ (୨୮) ହେଉଛନ୍ତି ତାଙ୍କ ଭାଇ। ଅଭିଯୁକ୍ତ ସୌମ୍ୟରଞ୍ଜନ ରେଳ ବିଭାଗରେ ଜଣେ ଗ୍ରୁପ୍ ଡି’ କର୍ମଚାରୀ ଭାବେ କାର୍ଯ୍ୟରତ। ଗତ ୨୬ ତାରିଖରେ କୋର୍ଟରେ ତାଙ୍କ ଆଗୁଆ ଜାମିନ ଖାରଜ ହୋଇଯାଇଥିଲା। ଜାମିନ୍ ଖାରଜ ହେବାରୁ ଜେଲ୍ ଯିବା ଆଶଙ୍କାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି।