ବାରିପଦା ନିର୍ବାଚନମଣ୍ଡଳୀ : ହ୍ୟାଟ୍ରିକ୍‌ କରି‌ବେ କି ସାନନ୍ଦ!

ବାରିପଦା : ଜିଲ୍ଲାର ସଦରମହକୁମାରେ ଅବସ୍ଥିତ ବାରିପଦା (ଏସ୍‌ଟି) ସଂରକ୍ଷିତ ନିର୍ବାଚନମଣ୍ଡଳୀ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବ ବହନ କରୁଛି। ଏଠିକାର ଫଳାଫଳ ସମ୍ପୂର୍ଣ୍ଣ ଜିଲ୍ଲାକୁ ପ୍ରଭାବିତ କରିଥାଏ ବୋଲି କୁହାଯାଏ। ତେବେ ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖିଲେ ଏହି ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଗୋଳିଆ ଧରିଛି। ଜିଲ୍ଲାରେ ସକ୍ରିୟ ୪ ପ୍ରମୁଖ ରାଜନୈତିକ ଦଳର ଟିକେଟ୍‌ ବଣ୍ଟନ ଉପରେ ନଜର ରହିଛି।

ବାରିପଦା ବ୍ଲକ୍‌ର ୧୧, ଖୁଣ୍ଟା ବ୍ଲକ୍‌ର ୧୪ ଓ ବଡ଼ସାହି ବ୍ଲକ୍‌ର ୯ଟି ପଞ୍ଚାୟତ ସହିତ ବାରିପଦା ମୁନିସିପାଲିଟିକୁ ନେଇ ଗଠିତ ହୋଇଛି ଏହି ନିର୍ବାଚନମଣ୍ଡଳୀ। ନୂତନ ଭୋଟର ତାଲିକା ଅନୁଯାୟୀ ଏହି ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୧୨ହଜାରରୁ ଊର୍ଧ୍ବ ଭୋଟର ରହିଛନ୍ତି। ଗତ ୨୦୧୪ ସାଧାରଣ ନିର୍ବାଚନରେ ଏଠିକାର ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ନିଶାମଣି ବାସ୍କେଙ୍କୁ ପ୍ରାୟ ୧୭ହଜାରରୁ ଊଧ୍ବ ଭୋଟ୍‌ରେ ପରାସ୍ତ କରି କ୍ରମାଗତ ୨ୟ ଥର ପାଇଁ ବାରିପଦାରୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ସାନନ୍ଦ ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଚଳିତ ଥର ମଧ୍ୟ ବିଜେଡ଼ିରୁ ଟିକେଟ୍‌ ପାଇ ହାଟ୍ରିକ୍ କରିବା ଲକ୍ଷ୍ୟରେ ଅଛନ୍ତି ସାନନ୍ଦ। ପ୍ରଥମେ ଅଣସଂରକ୍ଷିତ ଥିବା ଏହି ନିର୍ବାଚନମଣ୍ଡଳୀରୁ କେବଳ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଚସ୍ପତି ହିଁ ହାଟ୍ରିକ୍‌ ବିଜୟ ଲାଭ କରିଥିଲେ। ଚଳିତ ଥର କିନ୍ତୁ ସାନନ୍ଦଙ୍କ ପାଇଁ ରାସ୍ତା ସୁଗମ ହୋଇ ରହି ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଏହି ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ବିଶେଷ କିଛି ସଫଳତା ହାସଲ କରିପାରିନି। ଏଠାରୁ ପ୍ରତିନିଧିତ୍ବ କରି ଲଗାତର ଦୁଇ ଦୁଇ ଥର ଉପବାଚସ୍ପତି ହୋଇଥିବା ସାନନ୍ଦ କିନ୍ତୁ ଏବେ କେତେକ କର୍ମୀଙ୍କ ଅସନ୍ତୋ‌ଷର ସମ୍ମୁଖୀନ ହୋଇଛନ୍ତି। ଉଭୟ ବାରିପଦା ଏବଂ ଖୁଣ୍ଟା ବ୍ଲକ୍‌ରେ ଦଳୀୟ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିଛି। ସେହିପରି ବାରିପଦା ମୁନିସିପାଲିଟିରେ ମଧ୍ୟ ବିଜେଡ଼ି ବହୁଭାଗରେ ବିଭକ୍ତ। ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରାନଗଲେ ଦଳ ଅସୁବିଧାରେ ପଡ଼ିବା ଭଳି ସ୍ଥିତି ଉପୁଜୁଛି। ଏହାକୁ ନେଇ ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ନିମନ୍ତେ ଜଣାପଡ଼ିଛି। ମାତ୍ର ଏଯାବତ୍‌ ସେମିତି କୌଣସି ବିକଳ୍ପ ପ୍ରାର୍ଥୀ ଛିଡ଼ା କରି ପାରିନି ଦଳ। ମାତ୍ର ଏବେବି ବାରିପଦା ନିର୍ବାଚନମଣ୍ଡଳୀର ବିଜେଡ଼ି ସଂଗଠନ ଅନୁଭବୀ ନେତା ସାନନ୍ଦଙ୍କ ଉପରେ ନିର୍ଭରଶୀଳ। ଛାତ୍ର ଓ ଯୁବ ସଂଗଠନ ମଧ୍ୟ ତାଙ୍କ ସପକ୍ଷରେ ରହିଛି। ଯାହାକି ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ବିଜେଡ଼ିକୁ ଦ୍ବନ୍ଦ୍ବରେ ପକେଇଛି। ଯଦି ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରେ ତେବେ ଅନ୍ୟ ଦଳରୁ ନେତା ଆମଦାନୀ ଉପରେ ନିର୍ଭର କରିବ। ଜିଲ୍ଲାରେ ଅନ୍ୟତମ ଟାଣୁଆ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ ମଧ୍ୟ ବାରିପଦା ଆସନ ପାଇଁ ବେଶ୍‌ ଆଶାୟୀ ଥିବା ଜଣାପଡ଼ିଛି। ମାତ୍ର ଦଳ ତାଙ୍କୁ ଏଠାରେ ପ୍ରାର୍ଥୀ କରିବା ସପକ୍ଷରେ ନଥିବା ଜଣାପଡ଼ିଛି। ଯଦିଓ ସରୋଜିନୀଙ୍କର ମଧ୍ୟ ବାରିପଦା ନିର୍ବାଚନମଣ୍ଡଳୀରେ ସଂଗଠନ ରହିଛି ମାତ୍ର ଦଳ ତାଙ୍କୁ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ଉପଯୋଗ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି।

ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ଜାତି ଭୋଟ ମଧ୍ୟ ବେଶ୍‌ ଗୁରୁତ୍ବ ରଖୁଛି। ବିଜେଡ଼ିରେ ରହିଥିବା ଗୋଷ୍ଠୀକନ୍ଦଳ, ବିଧାୟକଙ୍କର ଲୋକପ୍ରିୟତା ହ୍ରାସ ଏବଂ ପଞ୍ଚାୟତ ନିର୍ବାଚନରେ ଦଳର ସଫଳତାକୁ ଦେଖି ବିଜେପି ବାରିପଦା ଦଖଲ ନେଇ ଉତ୍ସାହିତ ଅଛି। ଦଳ ପକ୍ଷରୁ ଏଠାରୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରକାଶ ସୋରେନ ପ୍ରାର୍ଥୀ ନି‌ମନ୍ତେ ଆଗୁଆ ଅଛନ୍ତି। ସେହିପରି ନାରୀନ୍ରେତୀ ସୁମନ ସିଂ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ମଧ୍ୟ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି। ବିଜେଡ଼ିକୁ ଟକ୍କର ଦେବାକୁ ବିଜେପି ଏଠାରେ ପୂର୍ଣ୍ଣ ପ୍ରୟାସ କରୁଛି। ମାତ୍ର ପ୍ରକାଶଙ୍କୁ ଆଗରେ ରଖି ଦଳ ସେପରି ‌ଆଖିଦୃଶିଆ ମୁକାବିଲା କରିବାରେ ଏଯାବତ୍‌ ସଫଳ ହୋଇପାରିନି। ଓଲଟି ପ୍ରକାଶ ସୋରେନ ବିଜେଡ଼ିକୁ ଯିବାନେଇ ହେଉଥିବା ଚର୍ଚ୍ଚା ବିଜେପିକୁ ବ୍ୟାକ୍‌ଫୁଟକୁ ଠେଲିଦେଇଛି। ସେହିପରି ଗତଥର କଂଗ୍ରେସରୁ ନିର୍ବାଚନ ଲଢ଼ିଥିବା ପ୍ରିୟବ୍ରତ ମାଝୀ ମଧ୍ୟ ବର୍ତ୍ତମାନ ବିଜେପିରେ। ତେଣୁ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ ବାକି ରହିଲା। ପୂର୍ବ ନିର୍ବାଚନରେ ଜେଏମଏମ କଂଗ୍ରେସ ଏଠାରେ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ମାତ୍ର ଚଳିତ ନିର୍ବାଚନରେ ଉଭୟ ଦଳ ମେଣ୍ଟ କରି ନିର୍ବାଚନରେ ଅବତୀର୍ଣ୍ଣ ହେବେ। ମେଣ୍ଟ ହେଲେ ଏହି ଆସନ କଂଗ୍ରେସ ଭାଗରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଯୁବନେତା ରାକେଶ ସିଂ, କମଳା ତିରିଆ ପ୍ରମୁଖ ଟିକେଟ୍‌ ଦୌଡ଼ରେ ଅଛନ୍ତି। ୨୦୧୪ରେ ଜେଏମଏମରୁ ପ୍ରାର୍ଥୀ ହୋଇଥିବା ଜିଲ୍ଲା ସଭାପତି ଫାଗୁ ହାଁସଦା ଚଳିତ ବର୍ଷ ମଧ୍ୟ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। କ୍ଷମତା ହାସଲ କରିବାକୁ ବିଜେଡ଼ି କିମ୍ବା ବିଜେପିର କିଛି ନେତା ଦଳବଦଳ କଲେ ସମୀକରଣ ଓଲଟା ହୋଇପାରେ ବୋଲି ମତପ୍ରକାଶ ପାଇଛି। ତେବେ ସାନନ୍ଦ ପୁଣିଥରେ ବିଜେଡ଼ି ଟିକେଟ୍‌ ପାଇ ହାଟ୍ରିକ୍‌ କରିବେ ନା ବିଜେଡ଼ି ଏହି ଆସନରେ ନୂତନ ପ୍ରାର୍ଥୀ ଦେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର