ବାରିପଦା : କରୋନା ଛଡ଼େଇ ନେଇଛି ଚମକ। କାଶତଣ୍ଡୀର ମହକରେ ମା’ଙ୍କ ଆଗମନକୁ ନେଇ ପୁଲକିତ ଥିବା ଭକ୍ତସମାଜ ଆଜି ବିରସ। କାରଣ ବିନା ଭକ୍ତରେ ବିରାଜିବେ ମା’। ଦଶଭୂଜା ଜଗତ ଜନନୀ ଦୁର୍ଗତି ନାସିନୀ କଲ୍ୟାଣମୟୀ ମା’ ଦୁର୍ଗା ବିନା ଭକ୍ତରେ ଧରା ପୃଷ୍ଠକୁ ଅବତରଣ କରିବେ। କରୋନା କାରଣରୁ ମୂର୍ତ୍ତି ଉଚ୍ଚତା ଛୋଟ ହେବା ସହିତ ଭକ୍ତଙ୍କୁ ବାରଣ କରାଯାଇଛି। କେବଳ ବିଧି ରକ୍ଷା ପାଇଁ ବାରିପଦାରେ ଚାଲିଛି ପୂଜା ପ୍ରସ୍ତୁତି। ଶରତ ଋତୁ ତଥା ଓଡ଼ିଆ କ୍ୟାଲେଣ୍ଡରରେ ପାର୍ବଣର ମାସ ଆଶ୍ୱିନରେ ପାଳିତ ହୋଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା କଟକଣା ମଧ୍ୟରେ ମା ଦୁର୍ଗା ଧରାପୃଷ୍ଠରେ ଅବତରଣ ହେବାକୁ ଯାଉଛନ୍ତି । ମା’ଙ୍କର ଅଷ୍ଟମୀ ପୂଜା ୨୪/୧୦/୨୦୨୦ ଶନିବାର ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥି ନିମନ୍ତେ ବିଭିନ୍ନ ପୂଜାକମିଟି, ଭକ୍ତ ଓ ବାରିପଦାବାସୀଙ୍କ ପକ୍ଷରୁ ଅବଗଣନା ଆରମ୍ଭ ହୋଇ ଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବାରିପଦା ସହରରେ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡେଲ ଓ ମଣ୍ଡପଗୁଡ଼ିକରେ ସାଧାରଣତଃ ପୂଜା ପାଇଥାନ୍ତି ମୃଣ୍ମୟୀ ଦେବୀ ‘ଦୁର୍ଗା’ । ଏହି ଦୁର୍ଗା ହେଉଛନ୍ତି ଦଶଭୂଜା ଓ ସିଂହବାହିନୀ। ମୟୂରଭଞ୍ଜରେ ମହାରାଜାଙ୍କ ଶାସନ ସମୟରେ ରାଜବାଟୀ ମଧ୍ୟରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିଲା । ତେବେ ବଙ୍ଗାଳୀ ସମ୍ପ୍ରଦାୟର କିଛି ଭକ୍ତ ମହାରାଜାଙ୍କ ନିକଟରୁ ଅନୁମତି ନେଇ ୧୯୩୪ରେ ସହରର ଗୋପବନ୍ଧୁ ଭବନ ସମ୍ମୁଖ ସହିଦ ପଡ଼ିଆଠାରେ ପଶ୍ଚିମବଙ୍ଗ ରାଜ୍ୟର କୁମାରଟୁଲିରୁ ମୂର୍ତ୍ତି ଆଣି ସର୍ବପ୍ରଥମ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ କରିଥିବା ଜନାଦୃତ ରହିଛି। ଚଳିତ ବର୍ଷ ସହିଦ ପଡ଼ିଆ ଦୁର୍ଗାପୂଜା ୮୭ ବର୍ଷରେ ପାଦ ଥାପିଛି । ଏହା ପରେ ପରେ ଦ୍ୱିତୀୟ ସାବର୍ବଜନୀନ ଦୁର୍ଗାପୂଜା ଭାବରେ ବାରିପଦା ଟାଉନ ଥାନା ସମ୍ମୁଖରେ ୧୯୫୭ ମସିହାଠାରୁ ଆରମ୍ଭ ହୋଇ ୨୦୨୦ ମସିହାରେ ୬୪ ବର୍ଷରେ ପଦାର୍ପଣ କରିଛି । ସେହିପରି ଷ୍ଟେସନ ବଜାର ୧୯୫୮ ଆରମ୍ଭ ହୋଇ ୬୩ ବର୍ଷରେ, ଫେଜାର ହଷ୍ଟେଲ ଯୁବକସଂଘ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ୫୯ ବର୍ଷରେ, ପୌରପରିଷଦ ପରିସରରେ ୫୫ ବର୍ଷରେ ପଦାର୍ପଣ କରିଛି । ଜିଲ୍ଲା କୋଷାଗାର ସମ୍ମୁଖ ପୂଜାମଣ୍ଡପ ୪୩ ବର୍ଷ, ମୁର୍ଗାବାଡ଼ି ଗୋଲେଇ ୩୯ ବର୍ଷରେ, ସୁନାମୁହିଁ ୩୮ ବର୍ଷରେ, ତୁଳସୀଚୌରା ଓ ପାଲବଣିଗୋଲେଇ ୩୬ ବର୍ଷରେ, ତେନ୍ତୁଳିଡିଙ୍ଗା ୩୫ ବର୍ଷରେ, କୃଷ୍ଣ ଚନ୍ଦ୍ର ଗୋଲେଇ ଓ ଦାରୋଗାଡାହି ଗୋଲେଇ ୩୪ ବର୍ଷରେ, ଭଞପୁର ୩୩ ବର୍ଷରେ, କମଳା ନେହେରୁ ବାଳିକା ବିଦ୍ୟାଳୟ ନିକଟ ୩୧ ବର୍ଷରେ, ଲାଲବଜାର ଛକ ୨୬ ବର୍ଷରେ ପହଁଞ୍ଚିଛି ।
ଲାଲବଜାର ପୂଜା କମିଟି ପକ୍ଷରୁ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତିରେ ୨ ମହଣରୁ ଅଧିକ ଚାନ୍ଦି ବ୍ୟବହାର କରାଯାଇଥାଏ । ତକତପୁର ଓ ମଧୁବନ ପୂଜା ମଣ୍ଡପ ୨୨ ବର୍ଷ ପଦାର୍ପଣ କରିଥିବା ବେଳେ ମଧୁବନ ବାରୁଣୀରୋଡ଼ର ସାର୍ବଜନୀନ ଦୁର୍ଗାପୂଜାକୁ ୧୧ ବର୍ଷ ହୋଇଛି । ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ତଥା ଗାନ୍ଧୀ ମାର୍କେଟର ଚାପଲ ପୋଖରୀ ହୁଡ଼ାରେ ପଞ୍ଚମୁଖୀ ହନୁମାନଙ୍କର ପୂଜା ୨୬ ବର୍ଷରେ ପହଁଞ୍ଚିଛି । ସେହିପରି ବଡ଼ବଜାର କଲେଜ ଛକ ଓ ଅମ୍ବିକା ମନ୍ଦିର ସାହିର ତିନି କୋଣିଆ ଦୋଳି ପଡ଼ିଆଠାରେ ଯଥାକ୍ରମେ ୪୪ ଓ ୨୫ ବର୍ଷ ଧରି ହରପାର୍ବତୀ ପୂଜା ପାଇ ଆସୁଥିବା ବେଳେ ବଡ଼ବଜାର ଶୀତଳା ମନ୍ଦିର ସମ୍ମୁଖରେ ୩୬ ବର୍ଷ ଧରି ବନଦୁର୍ଗାପୂଜା ପାଉଛନ୍ତି । ପୂଜା ବଜାରରେ ସହର ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଏ ତୁଳସୀଚୌରା ଓ ପାଲବଣି ପୂଜା ମଣ୍ଡପ । ଏହି ଦୁଇ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଭିନ୍ନଭିନ୍ନ ଆକୃତିର ପେଣ୍ଡେଲ ଓ ତୋରଣ ନିର୍ମାଣ କରାଯାଇ ଭକ୍ତ ତଥା ଦର୍ଶକମାନଙ୍କ ଦ୍ୱାରା ଉଚ୍ଛସିତ ଭାବେ ପ୍ରସଂଶିତ ହୋଇ ଆସିଥାନ୍ତି । କମିଟି ପକ୍ଷରୁ ପୂଜା ମଣ୍ଡପ ନିର୍ମାଣ ଉପରେ ଯେତିକି ଗୁରୁତ୍ୱ ଦିଆଯାଥାଏ ଠିକ୍ ସେହିପରି ଆଲୋକ ସଜ୍ଜା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥାଏ । ମଣ୍ଡପର ସୌନ୍ଦର୍ଯ୍ୟକୁ ଅଧିକ ରୁଦ୍ଧିମନ୍ତ କରି ଗଢ଼ିତୋଳିବା ପାଇଁ ରଙ୍ଗବେରଙ୍ଗ ଆଲୋକର ସାଜସଜ୍ଜାକୁ କମିଟି ପ୍ରାଧାନ୍ୟ ଦେଇଥାଏ ।
ଏହାବ୍ୟତୀତ ଅନ୍ୟତମ ଆକର୍ଷଣ ହେଉଛି ମଧୁବନ ପୂଜାକମିଟି ପକ୍ଷରୁ ଦଶହରା ଅବସରରେ ରାବଣ ପୋଡ଼ି । ଆଧୁନିକ ଧରଣର ଆତସବାଜିରେ ଝଲମଲ ହୋଇଉଠେ ଆକାଶ । ଅନ୍ଧକାରର ବୁକୁଚିରି ଆଧୁନିକ ଆତସବାଜିର ରଙ୍ଗବେରଙ୍ଗ ଆଲୋକମାଳା ଆକାଶରେ କାହିଁ କେତେ ଦୂରକୁ ଦୃଶ୍ୟମାନ ହୋଇ ଥାଏ । ଲକ୍ଷାଧିକ ଦର୍ଶକମାନଙ୍କ ଗହଣରେ ମଧୁବନ ରାବଣପୋଡ଼ି ପାଳନ କରାଯାଇଥାଏ । ଅନ୍ୟତମ ଆକର୍ଷଣ ପାଲଟିଥାଏ ତେନ୍ତୁଳିଡ଼ିଙ୍ଗାର ନିଆରା ପୂଜା ମଣ୍ଡପ । ଏହା ଏକ ଆଦର୍ଶ ପଜା ମଣ୍ଡପ ଭାବେ କେବଳ ଓଡ଼ିଶା ନୁହେଁ ପୃଥିବୀରେ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ପାଲଟିଯାଇଛି । ସମଗ୍ର ପୃଥିବୀର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ବିଦ୍ୱେଶ କାରଣରୁ ହିଂସା ଦେଖା ଦେଇଥିବା ବେଳେ ତେନ୍ତୁଳିଡିଙ୍ଗା ପୂଜା ମଣ୍ଡପରେ ଭାଇଚାରା, ବନ୍ଧୁତ୍ୱ ଓ ପ୍ରେମର ଗଭୀର ନିଦର୍ଶନ ଦେଖିବାକୁ ମିଳି ଥାଏ । କୋହିନୂର ଇସଲାମ ନାମକ ଏକ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ନେତୃତ୍ୱରେ ତେନ୍ତୁଳିଡ଼ିଙ୍ଗାଠାରେ ମା ଦୁର୍ଗା ୩୫ ବର୍ଷ ଧରି ପୂଜା ପାଇ ଆସୁଛନ୍ତି । ଏହି ପୂଜା ମଣ୍ଡପ କେବଳ ମୟୂରଭଞ୍ଜ ନୁହେଁ ପୃଥିବୀବାସୀଙ୍କୁ ଶାନ୍ତି, ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ବାଣ୍ଟି ଚାଲିଛି । ଏହାବ୍ୟତୀତ ସ୍ୱତନ୍ତ୍ର ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କ ରାଜତ୍ୱ ସମୟରୁ ରାଜ ପ୍ରାସାଦ ସଂଗଲଗ୍ନ କିଚକେଶ୍ୱରୀ ମନ୍ଦିର ସମ୍ମୁଖ ଦେବୀମାଲା ମଣ୍ଡପରେ ଆରମ୍ଭ ହୋଇଥିବା ମା ଦୁର୍ଗାଙ୍କ ପୂଜା ବାବୁସାହି କିଚକେଶ୍ୱରୀ ମନ୍ଦିର ଫାଟକ ନିକଟରେ ସ୍ଥାନୀୟ କେତେକ ପରିବାର ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ବେଳେ ଚଳିବ ବର୍ଷ ବିଶ୍ୱମହାମାରୀ କରୋନା କଟକଣା ସବୁକିଛି ଗୋଳମାଳ ବା ଓଲଟପାଲଟ କରାଇ ପକାଇଛି ।
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ସମସ୍ତ ପୂଜା ମଣ୍ଡପକୁ ବାଟବଣା କରାଇ ଦେଇଛି । ବିନା ଭକ୍ତରେ ସାର୍ବଜନୀନ ପୂଜା ଇତିହାସରେ ପ୍ରଥମ ଘଟଣା ହୋଇଥିବା ବେଳେ ବାରିପଦାରେ ସମସ୍ତ ପୂଜା ମଣ୍ଡପରେ କେବଳ ବିଧି ରକ୍ଷାର ବ୍ୟବସ୍ଥା କରାଯାଇଛି । ନାହିଁ ଆକର୍ଷଣୀୟ ତୋରଣ ଅଥବା ଆଲୋକର ରଙ୍ଗବେରଙ୍ଗ ସାଜସଜ୍ଜା । ସେହିପରି ଜନସାଧାରଣଙ୍କ ମଧ୍ୟରେ ପୂର୍ବ ପରି ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହେବାର ପରିଲକ୍ଷିତ ହୋଇପାରି ନାହିଁ । କରୋନା ଜନସାଧାରଣଙ୍କ ନିକଟରୁ ସେମାନଙ୍କ ଜୀବନ ଜୀବିକାକୁ ଛଡ଼ାଇ ନେଇଛି । ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ କାହା ନିକଟରୁ ତାର ପିତା, ମାତା, ପୁତ୍ର , ସ୍ତ୍ରୀ, କନ୍ୟା, ଆତ୍ମୀୟସ୍ୱଜନ ଆଦିକୁ ଛଡ଼ାଇ ନେଇଥିବାରୁ କେତେକ ପରିବାର ସେହି ଦୁଃଖଯନ୍ତ୍ରଣାରୁ ବାହାରକୁ ବାହାରି ପାରିନାହାନ୍ତି । ଫଳରେ ବଜାରର ଗହଣା, ଲୁଗା ଦୋକାନ ସହିତ ବିଭିନ୍ନ ଗୃହ ଉପକରଣ ଦୋକାନଗୁଡ଼ିକରେ ଭିଡ଼ ଆଉ ଦେଖିବାକୁ ମିଳୁ ନାହିଁ ।