ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଲେ ବାରିପଦାର କୃଷକ, କାଳିଆ ଯୋଜନାର ସୁଫଳ ନେଇ ଅଭିଜ୍ଞତା ରଖିଲେ

କ୍ଷୁଦ୍ର ଚାଷୀଙ୍କ ପାଇଁ ବହୁତ ସହାୟକ ହୋଇଛି କାଳିଆ ଯୋଜନା

ବାରିପଦା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସିଧାସଳଖ କଥା ହୋଇଛନ୍ତି ବାରିପଦା ବ୍ଲକ୍ ଭାଗବତଚନ୍ଦ୍ରପୁର ପଞ୍ଚାୟତ ଓରାଚନ୍ଦାବିଲା ଗ୍ରାମର କୃଷକ ବିନୋଦ କୁମାର ନାୟକ। କାଳିଆ ଯୋଜନାର ସୁଫଳ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଅଭିଜ୍ଞତା ବଖାଣିଥିଲେ ବିନୋଦ। କାଳିଆ ଯୋଜନା ତାଙ୍କ ଭଳି କ୍ଷୁଦ୍ର ଚାଷୀଙ୍କ ପାଇଁ ବିଶେଷ ସହାୟକ ହୋଇଥିବା ସେ ପ୍ରକାଶ କରିଥିଲେ।

ପ୍ରଥମ ଦଫାରେ ମିଳିଥିବା ୫ହଜାର ଟଙ୍କାକୁ ସେ ଧାନ ଚାଷରେ ଉପଯୋଗ କରିଥିଲେ। କ୍ଷୁଦ୍ର ଚାଷୀ ଭାବେ ସେ କୌଣସି ପ୍ରକାରରେ ଚାଷ କରୁଥିଲେ। ମାତ୍ର ବିଶେଷ କିଛି ସୁଫଳ ପାଇପାରୁନଥିଲେ। କିନ୍ତୁ କାଳିଆ ଯୋଜନାରେ ମିଳିଥିବା ଅର୍ଥକୁ ଉପଯୋଗ କରି ଉଭୟ ଧାନ ଓ ପରିବା ଚାଷ କରି ୪ ଗୁଣା ଫସଲ ଅମଳ କରିପାରିଥିବା ବିନୋଦ ପ୍ରକାଶ କରିଥିଲେ। ୨ୟ କିସ୍ତିରେ ମିଳିଥିବା ଟଙ୍କାକୁ ସେ ପରିବା ଚାଷରେ ବିନିଯୋଗ କରିଥିଲେ। ଏହା ତାଙ୍କୁ ଆର୍ଥିକ ରୂପରେ ମଧ୍ୟ ଦୃଢ଼ କରିଛି। ଆଜି ପୁଣି କାଳିଆ ଯୋଜନାରେ ମିଳିଥିବା ଅର୍ଥକୁ ସେ ପାଣି ପମ୍ପ କିରି ଜଳସେଚନ ନିମନ୍ତେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଧାନ ଅମଳ ପରେ ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ କରନ୍ତି। ମାତ୍ର ଅର୍ଥ ଅଭାବରୁ ସେ ସଫଳ ହୋଇପାରୁନଥିଲେ। ମାତ୍ର କାଳିଆ ଯୋଜନାରେ ମିଳୁଥିବା ଅର୍ଥରୁ ସେ ଚାଷ କାର୍ଯ୍ୟରେ ସଫଳତା ପାଇଛନ୍ତି। ଏଥିନିମନ୍ତେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଯୋଜନା ତାଙ୍କ ଭଳି ହଜାର ହଜାର କ୍ଷୁଦ୍ର ଚାଷୀଙ୍କୁ ସୁଫଳ ଆଣିଦେଇଥିବା ବିନୋଦ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସେ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର