ଜିଏସ୍‌ଟି ସ୍କାନରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ

ମିଥ୍ୟା ଭାଉଚରରେ ଆଦିବାସୀଙ୍କ କଲ୍ୟାଣ ଅର୍ଥ ହଡ଼ପ ଅଭିଯୋଗ

୭ ଯନ୍ତ୍ରୀଙ୍କ ବୟାନ ରେକର୍ଡ ସରିଛି, ୬୦ ଠିକାଦାର ଦେବେ ଲିଖିତ ବିବରଣୀ
୩ ବର୍ଷର ତଥ୍ୟର ହିସାବ ମାଗିଛି ଜିଏସ୍ଟି ଏନଫୋର୍ସମେଣ୍ଟ୍ ବିଭାଗ

ବାରିପଦା : ପୁଣି ବିବାଦରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ। ଏଥର ଜିଏସ୍‌ଟି ଦାଖଲ ସମ୍ପର୍କିତ ତଥ୍ୟକୁ ନେଇ ସ୍କାନରରେ ଏହି କାର୍ଯ୍ୟାଳୟରେ କାମ କରୁଥିବା ଯନ୍ତ୍ରୀ, ଅଧିକାରୀ ଓ ଠିକାଦାର। ୨୦୧୭ ଜୁଲାଇ ପହିଲାରୁ ୫ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବାରିପଦା ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା(ଆଇଟିଡିଏ) କାର୍ଯ୍ୟାଳୟରେ ଅଢ଼େଇ ଲକ୍ଷରୁ ଊର୍ଧ୍ବ ମୂଲ୍ୟର ହୋଇଥିବା ସମସ୍ତ କାର୍ଯ୍ୟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଛନ୍ତି ବାରିପଦା ସିଟି ଏବଂ ଜିଏସଟି, ଏନ୍‌ଫୋର୍ସମେଣ୍ଟ୍ ୟୁନିଟ୍। ଉପରୋକ୍ତ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ମୂଲ୍ୟର କାର୍ଯ୍ୟଗୁଡ଼ିକୁ ନେଇ ଦାଖଲ କରାଯାଇଥିବା ଜିଏସ୍‌ଟି ଏବଂ ଟିଡିଏସ୍ କଟାଯିବାକୁ ନେଇ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ବାରିପଦା ଆଇଟିଡିଏ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ଲମ୍ବୋଦର ମାଝୀ, ସୁରେଇ ମୁର୍ମୁ, କନିଷ୍ଠ ଯନ୍ତ୍ରୀ ସନ୍ଦିପ କୁମାର ପାତ୍ର, ପିତାମ୍ବର ରାୟବାବୁ, ବର୍ତ୍ତମାନ କପ୍ତିପଦା ଆଇଟିଡିଏରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ତଥା ପୂର୍ବତନ କନିଷ୍ଠ ଯନ୍ତ୍ରୀ ବାରିପଦା କମଳଲୋଚନ ଟୁଡୁ ଏବଂ ପୂର୍ବତନ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କଠାରୁ ବୟାନ ରେକର୍ଡ କରାଯାଇଥିବା ବାରିପଦା ସିଟି ଏବଂ ଜିଏସ୍‌ଟି, ଏନ୍‌ଫୋର୍ସମେଣ୍ଟ୍ ୟୁନିଟ୍ ଅଧିକାରୀ ଆର ସେଠ୍ ସୂଚନା ଦେଇଛନ୍ତି। ଏହି ଘଟଣାରେ ପ୍ରାୟ ୬୦ଜଣ ଠିକାଦାରଙ୍କଠାରୁ ମଧ୍ୟ ତଥ୍ୟ ମଗାଯାଇଛି।

ବିଭିନ୍ନ କାର୍ଯ୍ୟ ନିମନ୍ତେ ସାମଗ୍ରୀ ଯୋଗାଇଥିବା କିଛି ସଂସ୍ଥାକୁ ମଧ୍ୟ ସମନ ଜାରି କରାଯାଇଥିବା ଜଣାପଡ଼ିଛି। ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ମିଥ୍ୟା ଭାଉଚର ଛାପି ଆଦିବାସୀଙ୍କ କଲ୍ୟାଣ ପାଇଁ ଆସିଥିବା ଅର୍ଥ ହଡପ ହେଉଥିବା ଅଭିଯୋଗ ହେବା ପରେ ଜିଏସ୍ଟି ବିଭାଗ ପକ୍ଷରୁ ଏପରି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏପରିକି ଜିଏସ୍ଟି ଅଧିକାରୀମାନେ ଏକାଧିକବାର ଆଇଟିଡିଏ ପିଏଙ୍କ କାର୍ଯ୍ୟାଳୟକୁ ଯାଇ ଉପରୋକ୍ତ ଘଟଣାକୁ ନେଇ ତଦନ୍ତ କରିଛି। ବାରିପଦା ଆଇଟିଡିଏ କାର୍ଯ୍ୟାଳର କିଛି କାମକୁ ନେଇ ଅଭିସଯୋଗ ହୋଇଥିବା ସ୍ବିକାର କରିଛନ୍ତି ପିଏ ବସନ୍ତ କୁମାର ସେଠୀ। ତେଣୁ ଜିଏସଟି ବିଭାଗ ପକ୍ଷରୁ ତଥ୍ୟ ମଗାଯାଇଛି। ଏସମ୍ପର୍କରେ ଜିଏସଟି ସହିତ ସହଯୋଗ କରାଯାଉଛି। ତଦନ୍ତ ଜାରି ରହିଛି, ତେଣୁ ଆଗକୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପିଏ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଉଲ୍ଳେଖଯୋଗ୍ୟଯେ ଗତବର୍ଷ ଜୁଲାଇ ମାସରେ ଏହି କାର୍ଯ୍ୟାଳୟରେ ଏପରି ଦୁର୍ନୀତି ହେଉଥିବା ଜନୈକ ଠିକାଦାର ତପନ କୁମାର ହାବଡ଼ା ଅଭିଯୋଗ କରିଥିଲେ। ତାଙ୍କ ଅଗଚୋରରେ ମିଥ୍ୟା ଦସ୍ତଖତ ମାଧ୍ୟମରେ ଏକ ସରକାରୀ କାମରୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପୁଲିସରେ ଜଣାଇବା ସହ ଜିଲ୍ଲାପାଳ ତଥା ଅନ୍ୟ ଉପରିସ୍ଥ ଅଧିକାରୀମାନଙ୍କୁ ଏହି ମାମଲା ସମ୍ପର୍କରେ ଅବଗତ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ସେ ତାଙ୍କର ପ୍ରାପ୍ୟ ପାଇ ନଥିବା ଶ୍ରୀ ହାବଡ଼ା ସୂଚନା ଦେଇଛନ୍ତି। ସେହିପରି ଆଶିଷ ଦାସ ମହାପାତ୍ର ନାମକ ଆଉଜଣେ ଠିକାଦାର ମଧ୍ୟ ସମାନ ଅଭିଯୋଗ ଥାନାରେ କରିଛନ୍ତି ।

OdishaTV

ଆଇଟିଡିଏ ଯନ୍ତ୍ରୀ ମାନଙ୍କର କଳା କାରନାମାର ଗୁମର ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି । କିଛିମାସ ତଳେ ତପନ କୁମାର ହାବଡା ନାମକ ଏକ ଠିକାଦାର ଥାନାରେ ଏତଲା ଦେଇଥିଲେ କି ତାଙ୍କ ନାମରେ ମିଥ୍ୟା ଦସ୍ତଖତ କରି ସେ କରିଥିବା କାମରୁ ଡିପାର୍ଟ ମେଣ୍ଟାଲ ବିଲ କରି ଅର୍ଥ ହଡପ କରାଯାଇଅଛି । ଏହିପ୍ରକାର ଅଭିଯୋଗ ଆଧାରରେ ରାଜ୍ୟ ଜିଏସଟି ବିଭାଗ ପକ୍ଷରୁ କିଛିଦିନ ହେବ ତଦନ୍ତ ଆରମ୍ଭ ହୋଇଛି । ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଠିକାଦାରଙ୍କ ବିଲ୍ଗୁଡ଼ିକୁ ବ୍ୟବହାର କରାଯାଇ ବାରିପଦା ଆଇଟିଡିଏର ଯନ୍ତ୍ରୀମାନେ ଟଙ୍କା ଉଠାଇଛନ୍ତି। ମାତ୍ର ଏସମ୍ପର୍କରେ ଠିକାଦାରଙ୍କ ପାଖରେ ଆଦୌ ତଥ୍ୟ ନଥିବା ପ୍ରକାଶ। ତେଣୁ ଯେହେତୁ ସେମାନେ ଟଙ୍କା ନେଇନାହାନ୍ତି, ତେଣୁ ଜିଏସଟି ଦାଖଲ କରିବେ କିପରି ବୋଲି ଠିକାଦାରମାନେ ପ୍ରଶ୍ନ କରିଛନ୍ତି। ଯଦି ଏହି କଥା ସତ୍ୟ ହୋଇଥାଏ, ତେବେ ଏହା ସାଂଘାତିକ। ମିଛ ଭାଉଚରରେ ବିଲ କରିବା ବ୍ୟବସାୟ ବାରିପଦା ଆଇଟିଡିଏରେ ବହୁ ପୂର୍ବରୁ ଚାଲିଆସିଥିଲେ ବି ଉପରିସ୍ଥ ଅଧିକାରୀ ମାନେ କିପରି ଜାଣିପାରୁ ନଥିଲେ ବୋଲି ଭଂଜସେନା ନେତା ନିମାଇଁ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏଭଳି ଘଟଣାକୁ ନେଇ ବିଗତ ୫ବର୍ଷର ବିଲ ଭାଉଚର ତଦନ୍ତ ହେଲେ ବହୁ କୋଟି ଟଙ୍କା ହଡ଼ପ ଘଟଣା ପଦାକୁ ଆସିବା ସୁନିଶ୍ଚିତ । ତେବେ ଜି ଏସ ଟି ବିଭାଗ ଖାଲି ଠିକାଦାର ବା ତଳିଆ ଅଫିସରଙ୍କୁ ନାଲିଆଖି ନ ଦେଖାଇ, ସହକାରୀ ନିର୍ବାହୀ ଯନ୍ତ୍ରୀ, ପ୍ରକଳ୍ପ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସର ମଧ୍ୟକୁ ଆଣିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଦୁର୍ନୀତିକୁ ଆଦୌ ସହ୍ୟ କରିବେ ନାହିଁ ବୋଲି ଡିଣ୍ଡିମ ପିଟୁଛନ୍ତି। ଗତ ବର୍ଷ ଜୁଲାଇ ମାସରୁ ଏଭଳି ଅଭିଯୋଗ ହୋଇଥିଲେ ମଧ୍ୟ ତଦନ୍ତ ପାଦଟିଏ ମଧ୍ୟ ଆଗେଇନାହିଁ। ତେଣୁ ଏକ୍ଷେତ୍ରରେ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା । ଏହି ଘଟଣାରେ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର