ବାରିପଦା: ୨୦୨୨ ରଥଯାତ୍ରା ଯାଏ ରତ୍ନ ସିଂହାସନକୁ ଯାଇ ପାରିବେନି ଠାକୁର

ମନ୍ଦିର ବେଢାରେ ରୀତିନୀତି ପାଳନ ପରାମର୍ଶକୁ ସେବାୟତଙ୍କ ପ୍ରତ୍ୟାଖାନ

ଶାସ୍ତ୍ର ସମ୍ମତ ନୁହେଁ କହି ପ୍ରଶାସନକୁ ପତ୍ର ଲେଖିଲେ ସେବାୟତ

ବାରିପଦା : ପବିତ୍ର ଶ୍ରୀଗୁଣ୍ଡିଚାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନିରାଶାଜନକ ସ୍ଥିତି ଉପୁଜୁଛି। କରୋନା କଟକଣା କାରଣରୁ ଶ୍ରୀଶ୍ରୀ ହରିବଳଦେବ ଜିଉଙ୍କ ରଥଯାତ୍ରା ଏଥର ଅନୁଷ୍ଠିତ ହେଉନାହିଁ। ମାତ୍ର ଗତବର୍ଷ ମନ୍ଦିର ଭିତରେ ରଥଯାତ୍ରାର ସମସ୍ତ ନୀତିକାନ୍ତି ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଏ ସବୁ ନହେବା ପରିସ୍ଥିତି ଉପୁଜିଛି। ବେଢ଼ା ମଧ୍ୟରେ ରୀତିନୀତି ପାଳନ ନିମନ୍ତେ ପ୍ରଶାସନ ଦେଇଥିବା ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେବାୟତବୃନ୍ଦ। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ସେବାୟତ ଅରୁଣ କୁମାର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ଦୁର୍ଗା ଚରଣ ଜିତ୍‌ବାବୁ(ପରିଚ୍ଛା), ଦେବକାନ୍ତ ପଣ୍ଡା, ଭାନୁ ମହାପାତ୍ର, କୃଷ୍ଣ ଚନ୍ଦ୍ର ବାରିକ, ମହେଶ୍ୱର ମହାକୁଡ଼, ଅଭିଶେକ ଦେଓଘରିଆ, ଗଣେଶ୍ୱର ମହାପାତ୍ର ପ୍ରମୁଖ। ଏଥିରେ ଉଲ୍ଲେଖ ଅଛି ଯେ ଶାସ୍ତ୍ରୀୟ ମତରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର କୌଣସି ବିକଳ୍ପ ନାହିଁ। କରୋନା ପାଇଁ ଗତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ହଠାତ୍ ବନ୍ଦ କରି ଦିଆଯାଇଥିଲା ଓ ମନ୍ଦିର ବେଢ଼ା ଭିତରେ ତରବରିଆ ଭାବେ ରୀତିନୀତି ଆୟୋଜନ କରାଯାଇଥିଲା। ଏଥିପାଇଁ ସେବାୟତମାନେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡ଼ିଥିଲେ ଓ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ସମସ୍ତ ସେବାୟତ ଠାକୁରଙ୍କ ପାଖରେ ନିଜର ଭୁଲ ପାଇଁ ପ୍ରାୟଶ୍ଚିତ କରିଥିଲେ।

‌ତେ‌ବେ ଏଥର କିନ୍ତୁ ଏପରି କରିବାକୁ ମନା କରିଛନ୍ତି ସେବାୟତ। ସେମାନଙ୍କ କହିବା କଥା ମହାପ୍ରଭୁ ଅଣସର ଗୃହରୁ ସୁସ୍ଥ ହୋଇ ବାହାରିବା ଓ ନେତ୍ରୋତ୍ସବ ପୂଜା ଶେଷ ହେବା ପରେ ରଥାରୁଢ଼ ହୋଇ ଜନ୍ମବେଦୀକୁ ବିଜେ କରିଥାନ୍ତି। ସେଠାରେ ୭ ଦିନ ରହଣି ପରେ ପହଣ୍ଡି ବିଜେରେ ରତ୍ନସିଂହାସନକୁ ଫେରିଥାନ୍ତି। ଚଳିତ ବର୍ଷ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ହେଉନଥିବା ବେଳେ ନେତ୍ରୋତ୍ସବ କିନ୍ତୁ ଶେଷ ହୋଇସାରିଛି। ଏଣୁ ମହାପ୍ରଭୁ ଜନ୍ମ ବେଦୀକୁ ନଗଲା ଯାଏ ରତ୍ନସିଂହାସନରେ ବିଜେ କରିପାରିବେ ନାହିଁ। ଏଣୁ ଆସନ୍ତା ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ମନ୍ଦିରର ନାଟ ମଣ୍ଡପର ଭଦ୍ର ସିଂହାସନରେ ହିଁ ବିରାଜିତ ହୋଇରହିବେ। ଏଥିପାଇଁ ଦେବୋତ୍ତର ବିଭାଗ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିବାକୁ ସେବାୟତମାନେ ଲିଖିତ ଭାବେ ଅବଗତ କରାଇଛନ୍ତି।

ତେବେ ସେବାୟତମାନଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ମୟୂରଭଞ୍ଜ ମନ୍ଦିର ମଠ ସୁରକ୍ଷା ସମିତିର ମୁଖପାତ୍ର ନିମାଇଁ ତ୍ରିପାଠୀ। ପୁରୀ ମୁକ୍ତି ମଣ୍ଡପର ମତ ଲୋଡ଼ିବା ପରେ ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନକୁ ବିଜେ କରିବା ପାଇଁ ଅନ୍ୟ ବିକଳ୍ପ ଥିବା ସେ କହିଛନ୍ତି। ଏଣୁ ମହାପ୍ରଭୁ ବର୍ଷେ ପର୍ଯ୍ୟନ୍ତ ନାଟ ମଣ୍ଡପରେ ଅବସ୍ଥାନ କରିବା ନେଇ ସେବାୟତମାନେ ଯେଉଁ କଥା କହୁଛନ୍ତି ସେ ନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ସର୍ବସାଧାରଣରେ ସ୍ପଷ୍ଟିକରଣ ରଖିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର