ବାରିପଦା : ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ କଦଳିବାଡ଼ିଆ ଗ୍ରାମରେ ଡ୍ରେନେଜ ସମସ୍ୟାକୁ ନେଇ ଗ୍ରାମବାସୀମାନେ ବାରିପଦା–ଲୁଲୁଙ୍ଗ୍ ରାସ୍ତାକୁ କଦଳିବାଡ଼ିଆ ଛକ ନିକଟରେ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ମୋଟର ଚଳାଚଳ କରିନପାରି ଅଟକି ରହିଥିଲା। ବିଶେଷକରି ପିଠାବଟା(ଲୁଲୁଙ୍ଗ) ଫାଟକ ଦେଇ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ବାରିପଦା ସଦର ଥାନା ପୁଲିସ ସହିତ ବାରିପଦା ପୂର୍ତ୍ତ ଡିଭିଜନର ଏସଡିଓ, କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ରାସ୍ତାରେ ଡ୍ରେନ୍ କାର୍ଯ୍ୟ ଆରମ୍ଭ କରିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।
ସୂଚନା ଯୋଗ୍ୟଯେ, ବାରିପଦା–ଲୁଲୁଙ୍ଗ ରାସ୍ତାର କଦଳିବାଡ଼ିଆ ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଡ୍ରେନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲେ ମଧ୍ୟ ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯାଇନଥିଲା । ଫଳରେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଗ୍ରାମ ଭିତରେ ଜନସାଧାରଣଙ୍କ ଘରେ ପ୍ରବେଶ କରୁଛି । ଏଥି ସହିତ ବର୍ଷାପାଣି ଏଣେତେଣେ ଜମା ହୋଇ ରହିବାରୁ ପାରିପାର୍ଶ୍ବିକ ପରିବେଶକୁ ପ୍ରଦୂଷିତ କରାଉଛି । ଛୋଟ ଛୋଟ ପିଲାମାନଙ୍କ ସ୍କୁଲ ଯିବା ଆସିବା ଆଦିରେ ସମସ୍ୟା ସୃଷ୍ଟି କରାଉଛି । ଗ୍ରାମବାସୀମାନେ ସମ୍ମୁଖୀନ ହୋଇ ଆସୁଥିବା ସମସ୍ୟାକୁ ନେଇ ପୂର୍ତ୍ତ ଓ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ଏସଡ଼ିଓ ଓ ଜେଇଙ୍କଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୪ ମାସ ପୂର୍ବେ ରାସ୍ତା ଅବରୋଧ କରିଥିଲେ । ସେହି ସମୟରେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ୭ ଦିନ ଭିତରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆନ୍ଦୋଳନକାରୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଭୁଲିଯାଇଥିଲେ । ଫଳରେ ପୁଣି ଆଜି ଦ୍ୱିତୀୟ ଥର ନିମନ୍ତେ ଗ୍ରାମର ରାମହରି ମହାନ୍ତ, ଦେବେନ୍ଦ୍ର ମହାନ୍ତ, ଦଶରଥ ମହାନ୍ତ, ଦୁର୍ଗା ମହାନ୍ତ, ସୁଗନ୍ଧା ସୋରେନ, ଶ୍ୟାମାଖୁଣ୍ଟା ସରପଞ୍ଚ ଚନ୍ଦ୍ର ମୋହନ ସିଂ, ସିରିସବଣୀ ସରପଞ୍ଚ ପ୍ରମୁଖ ରାସ୍ତା ରୋକରେ ସାମିଲ ଥିଲେ।