ବାରିପଦା : ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ଆକ୍ରମଣ ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ଙ୍କୁ ପୁଲିସ ଆଜି ଗିରଫ କରିଛି। ତେବେ ଗିରଫ ପରେ ବିଧାୟକଙ୍କୁ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରୁ ୩୦ ହଜାର ଟଙ୍କା ବେଲ୍‌ବଣ୍ଡରେ ସର୍ତ୍ତମୂଳକ ଜାମିନ୍ ମିଳିଛି। ଏହି ଘଟଣାକୁ ନେଇ ଆଜି ବାରିପଦାରେ ଉତ୍ତେଜନା ଲାଗି ରହିଥିଲା।

Advertisment

ନିର୍ବାହୀଯନ୍ତ୍ରୀ ଶ୍ରୀ ଜେନାଙ୍କ ଅଭିଯୋଗ ଆଧାରରେ ଆଜି ସକାଳେ ବାରିପଦା ଟାଉନ୍‌ ଥାନା ପୁଲିସ ବିଧାୟକ ଶ୍ରୀ ସୋରେନ୍‌ଙ୍କ ସମେତ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପରେ ଶ୍ରୀ ସୋରେନ୍‌ଙ୍କୁ ଗିରଫ କରାଯାଇ ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଥିଲା।

ଶ୍ରୀ ଜେନା ଅଭିଯୋଗ କରିଥିଲେ ଯେ ବିଧାୟକ ଗତକାଲି ପୂର୍ବାହ୍‌ଣ ୧୦ଟାରେ ତାଙ୍କୁ ଦେଖା କରିବାକୁ ଫୋନ୍‌ କରିଥିଲେ। ମାତ୍ର ସେ କ୍ଷେତ୍ର ପରିଦର୍ଶନରେ ଯାଇଥିବାରୁ ସନ୍ଧ୍ୟା ୭ଟାରେ ବାରିପଦା ସର୍କିଟ୍‌ହାଉସକୁ ଆସି ବିଧାୟକଙ୍କୁ ସାକ୍ଷାତ କରିଥିଲେ। ସେଠାରେ ବିଧାୟକ ଶ୍ରୀ ସୋରେନ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।

ଅନ୍ୟପକ୍ଷରେ, ନିର୍ବାହୀଯନ୍ତ୍ରୀଙ୍କ ଅଭିଯୋଗକୁ ବିଧାୟକ ଶ୍ରୀ ସୋରେନ ଖଣ୍ଡନ କରିବା ସହ ଏହା ଏକ ମନଗଢ଼ା କାହାଣୀ ବୋଲି କହିଛନ୍ତି। ସେ ତାଙ୍କୁ ଆଦୌ ମାରଧର କରିନାହାନ୍ତି, କେବଳ ଯାହା ଗାଳି କରିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ବର ଟୁଡ଼ୁ ମଧ୍ୟ ଘଟଣାକୁ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ସର୍କିଟ୍‌ହାଉସ୍‌ ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରୁଛି। ଆମେ ପୁଲିସକୁ ସହଯୋଗ କରିବାକୁ ପ୍ରସ୍ତୁତ। କିନ୍ତୁ ପ୍ରଶାସନ ଯଦି ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଶ୍ରୀ ଟୁଡୁ କହିଛନ୍ତି।

ଆଜି ସକାଳେ ବିଧାୟକ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ପୁଲିସ୍‌ ଥାନାକୁ ଆଣିବା ପରେ ବିଜେପି ଦଳର ସମର୍ଥକମାନେ ଥାନା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ଫଳରେ ପୁଲିସ୍‌ ସହିତ ଧସ୍ତାଧସ୍ତି ହୋଇଥିଲା। ଥାନା ଫାଟକରେ ତାଲା ପକାଯାଇଥିବାରୁ ସମର୍ଥକମାନେ ବାହାରେ ରହି ନାରାବାଜି କରିବା ସାଙ୍ଗକୁ ଥାନା ସମ୍ମୁଖ ବଡ଼ଦାଣ୍ଡକୁ ଅବରୋଧ କରିଥିଲେ। ପରେ ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡ଼ୁ, ବିଜେପିର ମୟୂରଭଞ୍ଜ ଜିଲ୍ଲା ପୂର୍ବ ଭାଗ ସଂଗଠନ ସଭାପତି ବିଧାୟକ କାନ୍ଦ୍ରା ସୋରେନ, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ନରୋତ୍ତମ ପାଣିଗ୍ରାହୀ ପ୍ରମୁଖ ଭିତରକୁ ଯାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦାମ ସାହୁଙ୍କ ସହ ଆଲୋଚନା କରିଥିଲେ। ଥାନାରେ ଜିଲ୍ଲାର ୬ ବିଜେପି ବିଧାୟକ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଦିନତମାମ ବାରିପଦାରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା।