ବାରିପଦା: ବାରିପଦା ପିଆର୍ଏମ୍ ମେଡିକାଲ୍ ଆଣ୍ଡ ହସ୍ପିଟାଲ୍ରେ ଆଜି ୨ ଜାଆଁଳା ଶିଶୁ ଜନ୍ମ ପରେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଓ ନର୍ସଙ୍କ ନାଁରେ ପୁଣି ଚିକିତ୍ସା ଅବହେଳା ଅଭିଯୋଗ ହୋଇଛି। ଏନେଇ ବାରିପଦା ଥାନାରେ ମୃତ ମହିଳାଙ୍କ ସ୍ବାମୀ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ; ରାଇରଙ୍ଗପୁର ଥାନା ବଡ଼ବେଲପାହାଡ଼ି ଗାଁ’ର ଲକ୍ଷ୍ମଣ ଟୁଡୁ ପତ୍ନୀ ରୋହିଣୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବାରିପଦା ପିଆର୍ଏମ୍ ମେଡିକାଲ୍ ଆଣ୍ଡ ହସ୍ପିଟାଲ୍କୁ ନିଆଯାଇଥିଲା। ରୋହିଣୀ ଆଜି ସକାଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଦିନ ୧୧ଟା ୩୦ରେ ଜାଆଁଳା ଶିଶୁ ଜନ୍ମ ଦେଇଥିଲେ। ଏହି ସମୟରେ ରୋହିଣୀଙ୍କ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ବେଡ୍ରେ ଛଟପଟ ହୋଇ ବଞ୍ଚାଅ ବଞ୍ଚାଅ ବୋଲି ରୋହିଣୀ ଚିତ୍କାର କରିଥିଲେ ବି ଡାକ୍ତର କି ନର୍ସ କେହି କିଛି ଶୁଣି ନଥିଲେ। ଶେଷରେ ଚିକିତ୍ସା ଅବହେଳାରୁ ରୋହିଣୀ ଆଖି ବୁଜି ଦେଇଥିଲେ ବୋଲି ସ୍ବାମୀ ଲକ୍ଷ୍ମଣ ବାରିପଦା ଥାନାରେ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଥାଉକି ଗତ ୧ ତାରିଖରେ ଗୋଟିଏ ଦିନରେ ବାରିପଦା ପିଆର୍ଏମ୍ ମେଡିକାଲ୍ ଆଣ୍ଡ ହସ୍ପିଟାଲ୍ରେ ୨ ଜଣ ପ୍ରସୂତି ଓ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର, ନର୍ସଙ୍କ ଅବହେଳାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୫ ତାରିଖ ଦିନ ଦୋଷୀ ମେଡିକାଲ୍ ଅଧୀକ୍ଷକ, ପ୍ରଫେସର ଓ ଡାକ୍ତରଙ୍କ ବଦଳି ଦାବିରେ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।