ବାରିପଦା ରେଳ ଷ୍ଟେସନରେ ଆରମ୍ଭ ହେଲା ଟିକେଟ୍ ବୁକିଂ ଓ ବାତିଲ ବ୍ୟବସ୍ଥା : ବୁକିଂ ତୁଳନାରେ ବାତିଲ ପରିମାଣ ଅଧିକ

ଆୟକୁ ବ୍ୟୟ ବଳଉଛି, ୧ଲକ୍ଷରୁ ଊର୍ଧ୍ବ ଟଙ୍କାର ଟିକେଟ୍ ବାତିଲ୍
୩ ଦିନରେ ବୁକିଂ କରିଛନ୍ତି ମାତ୍ର ୧୫ଜଣ, ବାତିଲ କରିଛନ୍ତି ୯୧

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଏକମାତ୍ର ବାରିପଦା ରେଳ ଷ୍ଟେସନରେ ମଙ୍ଗଳବାରଠାରୁ ଟିକେଟ୍ ବୁକିଂ ଓ ବାତିଲ ବ୍ୟବସ୍ଥା ଆରମ୍ଭ ହୋଇଛି। ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଥିନିମନ୍ତେ ଷ୍ଟେସନରେ ବୁକିଂ କାଉଣ୍ଟର୍ ଖୋଲା ରହୁଛି। ମାତ୍ର ଆୟ ତୁଳନାରେ ବ୍ୟୟ ବଳେଇଯାଉଥିବା ବାରିପଦା ଷ୍ଟେସନ ଇନ୍‌ଚାର୍ଯ ଶୁଭେନ୍ଦୁ କୁମାର ଦାଶ ସୂଚନା ଦେଇଛନ୍ତି। ତିନି ଦିନ ମଧ୍ୟରେ ମାତ୍ର ୧୫ଜଣ ଯାତ୍ରୀ ଟିକେଟ୍ ବୁକିଂ କରିଛନ୍ତି। କିନ୍ତୁ ବାତିଲ୍ କରିଛନ୍ତି ୯୧ ଜଣ। ଟଙ୍କାରେ ଦେଖିଲେ ବୁକିଂ ହୋଇଥିବା ଟିକେଟ୍‌ରୁ ବାରିପଦା ରେଳଷ୍ଟେସନରେ ୧୨ହଜାର ୨ଶହ ୯୦ ଟଙ୍କା ଆୟ ହୋଇଛି। ବାତିଲ୍ ହୋଇଥିବା ଟିକେଟ୍ ବାବଦରେ କିନ୍ତୁ ୯୯ହଜାର ୧୫ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯାଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସିକନ୍ଦରାବାଦ, ବିଶାଖାପାଟଣା, ବେଙ୍ଗାଲୁରୁ, ନିୟୁଦୀଲ୍ଲୀ ଆଦି ସ୍ଥାନକୁ ଟିକେଟ୍ ବୁକିଂ କରାଯାଇଛି। ପ୍ରାୟ ଅଢ଼େଇ ମାସର ବ୍ୟବଧାନ ପରେ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଜିଲ୍ଲାକୁ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଆସିଥିଲା। ଜିଲ୍ଲାରୁ ଚାଲୁଥିବା ରୂପ୍ସା-ବାଙ୍ଗିରିପୋଷୀ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବାକୁ ଆହୁରି କିଛି ଦିନ ଲାଗିପାରେ ବୋଲି ଜଣାପଡ଼ିଛି। ସେହିପରି ଖୋଲା ରହୁଥିବା କାଉଣ୍ଟର୍‌ରୁ ଟ୍ରେନ୍ ସମ୍ବନ୍ଧିତ ବିଭିନ୍ନ ସୂଚନା ସହିତ ବୁକିଂ ଓ ବାତିଲ୍ କରାଯାଉଛି। ବାରିପଦା ରେଳ ଷ୍ଟେସନ ଜିଲ୍ଲାର ପିଆରଏସ୍ ଷ୍ଟେସନ ହୋଇଥିବାରୁ ଏଠାରେ ଲକ୍‌ଡାଉନ୍‌ ସରିନଥିଲେ ମଧ୍ୟ ଟିକେଟ୍ ବୁକିଂ ଓ ବାତିଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଜିଲ୍ଲାର ଯାତ୍ରୀମାନଙ୍କୁ ବିଶେଷ ସହାୟତା ପ୍ରଦାନ କରୁଥିବା ଜଣାପଡ଼ିଛି। ଏହି ବ୍ୟବସ୍ଥା ବର୍ତ୍ତମାନ ସମୟ ପାଇଁ ଚାଲୁରହିବ ବୋଲି ସୂଚନା ମିଳିଛି। ସାମାଜିକ ଦୂରତା ଅବଲମ୍ବନପୂର୍ବକ ଏହି ସେବା ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର