ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡରେ ଗଡ଼ିଲାନି ନନ୍ଦିଘୋଷ : ଜଗା ଦର୍ଶନରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

ଶୂନ୍ୟ ପଡ଼ିଲା ଜନ୍ମବେଦୀ, ଭକ୍ତ ଆଖିରେ ଲୁହ

ବାରିପଦା : ରଥେ ତୁ ବାମନଂ ଦୃଷ୍ଟା, ପୁର୍ନଜନ୍ମ ନ ଲଭ୍ୟତେ। ବଡ଼ଦାଣ୍ଡରେ ବାମନ ରୂପି ମହାପ୍ରଭୁଙ୍କୁ ଦର୍ଶନ କଲେ ପୁର୍ନଜନ୍ମରୁ ମୁକ୍ତି ମିଳିବା ସହିତ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ମାତ୍ର ଚଳିତ ବର୍ଷ କିନ୍ତୁ ଭକ୍ତ ମନ ନିରାଶ ହୋଇଛି। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ କିନ୍ତୁ ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିନି ନନ୍ଦିଘୋଷ ରଥ। ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦୁଇଦିନ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ କାଳିଆ ରଥ ଗଡ଼ିଥାଏ। ମାତ୍ର କରୋନା କଟକଣା କାରଣରୁ ଚଳିତ ବର୍ଷ କିନ୍ତୁ କାଳିଆ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଅଗଣିତ ଭକ୍ତସମାଜ। ପ୍ରତ୍ୟେକ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନସିଂହାସନ ତ୍ୟାଗକରି ଭକ୍ତମାନଙ୍କ ସହିତ ଲୀଳାଖେଳା କରିବା ନିମନ୍ତେ ବଡ଼ଦାଣ୍ଡକୁ ବିଜେ ହୋଇଥାନ୍ତି । କିନ୍ତୁ କରୋନା କଟକଣା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାକୁ ବନ୍ଦ କରିଦେଇଛି। ରଥ ପଥ ପ୍ରସ୍ତୁତ ଥିଲେ ମଧ୍ୟ ହୋଇପାରିନାହିଁ ଭକ୍ତଭଗବାନଙ୍କ ଅପୂର୍ବ ମିଳନ। ବଡ଼ଦାଣ୍ଡରେ ଗଡ଼ିଲା ନାହିଁ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ । ଶୁନ୍ୟ ପଡ଼ିଲା ଜନ୍ମବେଦୀ । ଶ୍ରୀହୀନ ହେଲା ବଡ଼ଦାଣ୍ଡ। ଜଗନ୍ନାଥ ପ୍ରେମୀଙ୍କ ମନରେ ଘାରିଛି ଘୋର ନିରାଶା ଭାବ। ବଡ଼ଦାଣ୍ଡରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାରୁ ବଞ୍ଚିତ ଭକ୍ତ ଆଖିରୁ ବହୁଛି ଅବାରିତ ଅଶ୍ରୁଝର। ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି । ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବିନା ଭକ୍ତରେ କେବଳ ସେବାୟତ ଓ ଜିଲ୍ଲା ପ୍ରଶାସନର କେତେକ କର୍ମଚାରୀମାନଙ୍କ ଗହଣରେ ମନ୍ଦିର ବେଢ଼ା ଭିତରେ ଶେଷ ହେଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ।

ସୂଚନାଯୋଗ୍ୟ ଯେ, ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାଖେଳା ଶେଷ କରିସାରିବା ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ପରଦିନ ଦର୍ଶନ ଦେଇଥାନ୍ତେ । ପୁରୀ ରଥଯାତ୍ରାର ଦିନ ତିନି ଠାକୁର ଗୋଟି ପହଣ୍ଡିରେ ବଡ଼ଦାଣ୍ଡରେ ରଥାରୂଢ଼ ହୋଇ ସାରା ରାତି ଅବସ୍ଥାନ କରିଥାଆନ୍ତେ। ପରଦିନ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଥାଏ। ବିଶ୍ୱର ନିଆରା ପରମ୍ପରା ଭାବେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ବଡ଼ଦାଣ୍ଡର ମଧ୍ୟସ୍ଥଳ ବାରିପଦା ଟାଉନ ଥାନା ସମ୍ମୁଖରେ ପହଁଞ୍ଚାଇବା ପରେ ରଥଟଣା ବନ୍ଦ ରହିଥାନ୍ତା । ଜୁନ ୨୫ ଅର୍ଥାତ ଆଜି ପୁଣି ମହିଳାମାନେ ଟାଉନ ଥାନା ସମ୍ମୁଖରୁ ଦର୍ପଦଳନ ରଥକୁ ଟାଣି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇବା ପରେ ମନ୍ଦିର ବେଢ଼ା ନିକଟରେ ଅପେକ୍ଷାରେ ଥିବା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାନ୍ତା । ଏହାପରେ ତିନି ରଥରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମାଉସୀ ମା ମନ୍ଦିର ଭିତରକୁ ନିଆଯାଇଥାଏ । ମହାପ୍ରଭୁ ଜନ୍ମ ବେଦୀରେ ଲୀଳାଖେଳା ଶେଷ କରି ପୁଣି ଥରେ ବାହୁଡ଼ି ଆସିଥାନ୍ତେ ରତ୍ନ ସିଂହାସନ ଅଭିମୁଖେ । କିନ୍ତୁ ପୁରୀରେ କଟକଣା ଭିତରେ ମହାପ୍ରଭୂଙ୍କ ଘୋଷଯାତ୍ରା ଆୟୋଜନ ହୋଇଥିବା ବେଳେ ମୟୂରଭଞ୍ଜରେ ମଧ୍ୟ କଟକଣାଯୁକ୍ତ ରଥଯାତ୍ରା ଦାବି ଜୋର୍ ଧରିଥିଲା। ମାତ୍ର ବାରିପଦାରେ ରଥଯାତ୍ରା ସମ୍ଭବ ହୋଇନାହଁ।

ତେବେ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ କାରଣରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୁ, ସାନ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ସହିତ ମାଉସୀ ମା(ରାଧାମୋହନ) ମନ୍ଦିର, ସାନ ଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିର ଓ ବଡ଼ଦାଣ୍ଡ ଶ୍ରୀହୀନ ଅବସ୍ଥାରେ ଦେବୋତ୍ତର ବିଭାଗର ପାରିବା ପଣିଆକୁ ଅଟ୍ଟହାସ୍ୟ କରୁଛି । ପ୍ରତ୍ୟେକ ବର୍ଷ ଭଳି ମନ୍ଦିରେ ରଙ୍ଗ ହେଲା ନାହିଁ କି ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲା ନାହିଁ । ଏଥି ସହିତ ଭକ୍ତ ସାଲବେଗ, ଭିକାରୀ ବଳ ଆଦିଙ୍କ ଶ୍ରୀଜଗନ୍ନାଥ ଜଣାଣର ମୁର୍ଚ୍ଛନା ଶୁଣିବାକୁ ମିଳିଲା ନାହିଁ । ସର୍ବତ୍ର ଖାଁ ଖାଁ ଲାଗୁଛି । ଏପରିକି ମନ୍ଦିର ବେଢ଼ାରେ ମହାପ୍ରଭୂଙ୍କ ରୀତିକାନ୍ତି ଆଦିକୁ ଗଣମାଧ୍ୟମରେ ପ୍ରସାରଣ ନିମନ୍ତେ ମଧ୍ୟ ଅନୁମତି ମିଳିଲା ନାହିଁ । ପୁଣି ବଡ଼ଦାଣ୍ଡକୁ ମୌଖିକ ଭାବେ ସଟଡ଼ାଉନ କରାଇ ବ୍ୟବସାୟୀମାନଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନିଆଗଲା । ଫଳରେ ବାରିପଦାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର