ଶ୍ରୀହୀନ ଦ୍ୱିତୀୟ ଶ୍ରୀକ୍ଷେତ୍ର : ଖାଁ ଖାଁ ବଡ଼ଦାଣ୍ଡ, ଗଡ଼ିଲାନି ରଥ, ହୋଇପାରିଲାନି ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ

ମହାବାହୁଙ୍କୁ ନପାଇଁ ଭକ୍ତ ନିରାଶ, ଭକ୍ତଙ୍କୁ ନପାଇଁ ଠାକୁର ବିରସ
୧୪୪ ଧାରା ଜାରି, ମନ୍ଦିର ଭିତରେ ସମ୍ପନ୍ନ ହେଲା ନୀତିକାନ୍ତି

ବାରିପଦା : ରଥ ପ୍ରସ୍ତୁତ ଥିଲା। ପଥ ମଧ୍ୟ ପ୍ରସ୍ତୁତ ଥିଲା। ରଥଯାତ୍ରା ଅବସରରେ ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ଅପୂର୍ବ ସୌଭାଗ୍ୟ ପ୍ରାପ୍ତି ଆଶାରେ ଭକ୍ତଙ୍କ ମନରେ ଥିଲା ନାହିଁନଥିବା ଉଲ୍ଲାସ। ନିଜ ଗହଣରେ ଭକ୍ତଙ୍କୁ ପାଇବାର ଖୁସିରେ ମହାବାହୁ କଳାଠାକୁରଙ୍କ ମନରେ ମଧ୍ୟ ଥିଲା ଆନନ୍ଦ। ମାତ୍ର ହୋଇପାରିଲାନି ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ। ଶ୍ରୀହୀନ ହୋଇପଡ଼ିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା। ଖାଁ ଖାଁ ବଡ଼ଦାଣ୍ଡ। ନଥିଲା ଘଣ୍ଟଘଣ୍ଟାର ନାଦ କିମ୍ବା ଭକ୍ତଙ୍କ କୋଳାହୋଳ। କରୋନା କାରଣରୁ କେବଳ ଶ୍ରୀକ୍ଷେତ୍ର ପୁରୀକୁ ଛାଡ଼ି ରାଜ୍ୟର ବାକି ସମସ୍ତ ସ୍ଥାନରେ ରଥଯାତ୍ରା ବନ୍ଦ ନିଷ୍ପତି କାରଣରୁ ବାରିପଦାରେ ମଧ୍ୟ ବନ୍ଦ ରହିଛି ରଥଯାତ୍ରା।

ନିଆରା ପରମ୍ପରା ମୁତାବକ ପୁରୀରେ ରଥଯାତ୍ରାର ଗୋଟିଏ ଦିନ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାରେ ହୋଇଥାଏ ରଥଯାତ୍ରା। ପ୍ରଥମ ଦିନରେ ବଡ଼ଠାକୁର ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ରଥ ଟଣାହୋଇଥାଏ। ଏହିକ୍ରମରେ ଆଜି ବାରିପଦାରେ ହେବାର ଥିଲା ରଥଯାତ୍ରା। ଗଡ଼ିଥାଆନ୍ତା ରଥ। ବଡ଼ଦାଣ୍ଡରେ ତିନିଠାକୁରଙ୍କୁ ରଥ ଉପରେ ଦର୍ଶନ କରି ଜନ୍ମଜନ୍ମାନ୍ତରର ପୂଣ୍ୟ ଲାଭ କରିଥାଆନ୍ତେ ଭକ୍ତସମାଜ। ଠାକୁରଙ୍କୁ କିଏ ଫୁଲ ଦେଇ ନିଜର ମନ କଥା ପ୍ରକାଶ କରିଥାଆନ୍ତା ତ’ ଆଉ କିଏ ଢାଳିଦେଇଥାଆନ୍ତା ନିଜ ଭକ୍ତିର ଅର୍ଘ୍ୟ। ମାତ୍ର ସେପରି କୌଣସି ମୁହୂର୍ତ୍ତ ଆସିଲା ନାହିଁ। ଏନେଇ ଭକ୍ତ ମନରେ ଛାଇ ଯାଇଛି ବିଷାଦ। ନିଜ ଠାକୁରଙ୍କୁ ନପାଇବାରୁ ବିଷର୍ଣ୍ଣ ଭାବରେ ରହିଛି ଭକ୍ତ। ସେହିପରି ଭକ୍ତଙ୍କୁ ନପାଇ ତିନିଠାକୁରଙ୍କ ମନ ମଧ୍ୟ ବିରଶ ଥିବା ପ୍ରତୀୟମାନ ହୋଇଛି।

କାହିଁ କେଉଁ କାଳରୁ ବାରିପଦାରେ ଚଳିଆସୁଥିବା ଏହି ରଥଯାତ୍ରା ବନ୍ଦ ଫଳରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଏବଂ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ରାଜ୍ୟର ଭକ୍ତଙ୍କ ମନରେ ଦେଖାଦେଇଛି ବିଷାଦ। ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର ନିକଟରେ ୧୪୪ଧାରା ଜାରି କରାଯାଇଛି। ଏହାସହିତ ଯେପରି କୌଣସି ଭକ୍ତ ମନ୍ଦିରକୁ ନଆସନ୍ତି ସେନେଇ କଡ଼ା ପୁଲିସ୍ କଟକଣା ମଧ୍ୟ ଜାରି କରାଯାଇଛି। ମନ୍ଦିର ଭିତରେ ହିଁ ଠାକୁରଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଠାକୁରମାନେ ରଥକୁ ଯାଇନଥିବାରୁ ରଥଯାତ୍ରାର ସେପରି କୌଣସି ନୀତିକାନ୍ତି ହୋଇନାହିଁ। ଜନସ୍ରୁତି ଅନୁସାରେ ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶତାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରବର୍ତ୍ତୀ ସମୟରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଓ ନିୟମ ଅନୁସାରେ ମହାପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଅଛି ।

ଭାଙ୍ଗିଲା ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଟାଣିବାର ଅନନ୍ୟ ପରମ୍ପରା
ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଟାଣିବାର ଅନନ୍ୟ ପରମ୍ପରା ରହିଛି। ଯାହାକି ସମଗ୍ର ବିଶ୍ବରେ ନିଆରା। ମାତ୍ର ଚଳିତ ବର୍ଷ ଏହି ନିଆରା ପରମ୍ପରା ମଧ୍ୟ ଭାଙ୍ଗିଛି। ନାରୀଶକ୍ତିର ପ୍ରତୀକ ସ୍ୱରୂପ ଏହି ପରମ୍ପରା ସମଗ୍ର ନାରୀ ସମାଜ ପାଇଁ ଏକ ପ୍ରେରଣାର ସ୍ରୋତ ପାଲଟିଥାଏ।

ସମ୍ବନ୍ଧିତ ଖବର